ଭିସୁଟ୍ ଛାତ୍ରୀ ଚିନ୍ମୟୀ ମୃତ୍ୟୁ ମାମଲା : ପୋଲିସକୁ ଡାଏଟମ୍ ରିପୋର୍ଟ ହସ୍ତାନ୍ତର କଲା ଏଫ୍ଏମ୍ଟି
11/03/2023 at 1:24 PM

ସମ୍ବଲପୁର ୧୧।୩: ଭିସୁଟ୍ ଛାତ୍ରୀ ଚିନ୍ମୟୀ ପ୍ରିୟଦର୍ଶିନୀ ମୃତ୍ୟୁ ଘଟଣାରେ ଆସିଲା ଡାଏଟମ୍ ରିପୋର୍ଟ । ପୋଲିସକୁ ଡାଏଟମ୍ ରିପୋର୍ଟ ପ୍ରଦାନ କରିଛି ଏଫଏମଟି । ତେବେ ଡାଏଟମ୍ ରିପୋର୍ଟରେ ପଜିଟିଭ୍ ଆସିଥିବା ସୂଚନା ମିଳିଛି । ପାଣିରେ ବୁଡି ମୃତ୍ୟୁ ହୋଇଥିବା ଏକ ପ୍ରକାର ପୁଣିଥରେ ସ୍ପଷ୍ଟ ହୋଇଛି । ତେବେ ଡାଏଟମ୍ ଅପେକ୍ଷା ଭିସେରା ରିପୋର୍ଟ ପୋଲିସ ପାଇଁ ଗୁରୁତ୍ବ ବହନ କରୁଛି । ମଦ୍ୟପାନ ସମ୍ପର୍କିତ ପ୍ରମାଣ ପାଇଁ ଭିସେରା ରିପୋର୍ଟକୁ ଅପେକ୍ଷା କରିଛି ପୋଲିସ । ଯାହା ଗତ ଗୁରୁବାର ଏସଏଫଏସଏଲକୁ ପଠାଯାଇଛି ।
ସୂଚନାଯୋଗ୍ୟ ଯେ, ଫେବୃଆରୀ ୨୮ତାରିଖରେ ଭିସୁଟ୍ର ୧୪ତମ ସମାବର୍ତ୍ତନ ଉତ୍ସବରେ ଯୋଗଦେଇ ଡିଗ୍ରୀ ପ୍ରମାଣପତ୍ର ମଧ୍ୟ ଗ୍ରହଣ କରିଥିଲେ ଛାତ୍ରୀ ଚିନ୍ମୟୀ ପ୍ରିୟଦର୍ଶିନୀ ସାହୁ । ସନ୍ଧ୍ୟା ସମୟ ପ୍ରାୟ ୭ରୁ ୮ଟା ମଧ୍ୟରେ ତାଙ୍କ ପୁରୁଷ ବନ୍ଧୁ ପ୍ରୀତିମାନଙ୍କ ସହିତ ପିସି ବ୍ରିଜ୍ ଅଭିମୁଖେ ବୁଲିବାକୁ ଯାଇଥିଲେ । ଏହାପରେ ରାତି ପ୍ରାୟ ୮ରୁ ୯ଟା ମଧ୍ୟରେ ପୁରୁଷ ବନ୍ଧୁ ପ୍ରୀତିମାନଙ୍କ ସମ୍ମୁଖରେ ହିଁ ଚିନ୍ମୟୀ ପାୱାର ଚ୍ୟାନେଲ ମଧ୍ୟକୁ ଡେଇଁ ପଡ଼ିଥିବା କୁହାଯାଉଛି । ବୁର୍ଲା ପୋଲିସ ଏବଂ ଅଗ୍ନିଶମବାହିନୀ ମଙ୍ଗଳବାର ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି କରିଥିଲେ ହେଁ ଚିନ୍ମୟୀଙ୍କ କୌଣସି ପତ୍ତା ମିଳି ନଥିଲା । ନିଖୋଜ ହେବାର ୧୨ ଘଣ୍ଟା ପରେ ବୁଧବାର ପାୱାର୍ ଚ୍ୟାନେଲ ସାଇଫନ୍ ନିକଟରୁ ବୁର୍ଲା ଅଗ୍ନିଶମ ବାହିନୀ ତାଙ୍କ ମୃତଦେହ ଉଦ୍ଧାର କରିଥିଲା ।