ଦୂଷିତ ପାନୀୟ ଜଳ ଯୋଗୁଁ ବଢୁଛି ଡାଇରିଆ ଆତଙ୍କ, ପୁଣି ଆକ୍ରାନ୍ତ ହେଲେ ୧୦ଜଣ
24/08/2022 at 12:34 PM

ବୋରିଗୁମ୍ମା ୨୪।୮: କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ ଡ଼ମ ତୁରୁଞ୍ଜି ଗ୍ରାମରେ ସପ୍ତାହେ ହେବ ଡାଇରିଆ ଆତଙ୍କ ଦେଖାଦେଇଛି । ସପ୍ତାହେ ଧରି ଡାକ୍ତର ଟିମ ଡ଼ମ ତୁରୁଞ୍ଜି ଗ୍ରାମରେ ଅସ୍ଥାୟୀ ସ୍ବାସ୍ଥ୍ୟ କ୍ୟାମ୍ପ ଖୋଲି ୨୪ ଘଣ୍ଟା ଝାଡାବାନ୍ତି ଆକ୍ରାନ୍ତଙ୍କୁ ଔଷଧ ଯୋଗାଇ ଦେଉଛନ୍ତି । ଏହାସହ ଘର ଘର ବୁଲି ଲୋକଙ୍କ ସ୍ବାସ୍ଥ୍ୟ ସମସ୍ୟା ସମ୍ପର୍କରେ ବୁଝୁଛନ୍ତି ।
ଡ଼ମ ତୁରୁଞ୍ଜି ଗ୍ରାମକୁ ଯିବା ଆସିବା ପାଇଁ ଚାବେରୀ ନଦୀ ପାର ହୋଇ ଆସିବାକୁ ପଡ଼ିଥାଏ । କାରଣ ସେହି ନଦୀ ଉପରେ ପୋଲ ନିର୍ମାଣ ହୋଇନାହିଁ । ସେଥିପାଇଁ ଓଡ୍ରାଫ ଟିମ୍କୁ ନଦୀ କୂଳରେ ନିୟୋଜିତ କରାଯାଇଛି । ରୋଗୀ ହେଉ କିମ୍ବା ଡାକ୍ତରୀ ଟିମ୍ଙ୍କୁ ବୋଟ୍ ସାହାଯ୍ୟରେ ନଦୀ ପାର କରୁଛନ୍ତି ଓଡ୍ରାଫ ଟିମ୍ ।୧୧ ଜଣ ଡାଇରିଆ ରୋଗୀ ସୁସ୍ଥ ହେବା ପରେ ପୁଣି ଦୂଷିତ ପାଣି ପିଇ ୧୦ ଜଣ ଡାଇରିଆରେ ଆକ୍ରାନ୍ତ ହୋଇଛନ୍ତି । ସେମାନଙ୍କୁ ବୋରିଗୁମ୍ମା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା କରାଯାଉଛି । ଉପାନ୍ତ ଅଞ୍ଚଳରେ ବିଦ୍ୟୁତ ସମସ୍ୟା ଲାଗି ରହିଥିବା ଯୋଗୁଁ ଲୋକେ କୂଅ ପାଣିକୁ ପିଇବା ପାଣି ଭାବରେ ବ୍ୟବହାର କରୁଥିବାରୁ ଏଭଳି ସମସ୍ୟା ଉପୁଜିଛି ।
କୋରାପୁଟ CDMO ଅରୁଣ କୁମାର ପାଢୀ, ବୋରିଗୁମ୍ମା ମେଡ଼ିକାଲ ଅଫିସର, କାଠରଗୋଡା ମେଡ଼ିକାଲ ଅଫିସର ଏବଂ ସ୍ବାସ୍ଥ୍ୟ ବିଭାଗର ଏକ ଟିମ୍ ପ୍ରଭାବିତ ଅଞ୍ଚଳକୁ ଯାଇ କୂଅ ଉପରେ ଯେଉଁ ନଳକୂପ ରହିଛି ତାକୁ ବନ୍ଦ କରି ବିଶୁଦ୍ଧ ଟାଙ୍କି ପାଣି କିମ୍ବା ହୋଲଜେନ ବଟିକା ମିଶ୍ରିତ ପାଣି ବ୍ୟବହାର କରିବା ପାଇଁ ଲୋକଙ୍କୁ ବୁଝାଇଥିଲେ । ଗାଁ ଲୋକଙ୍କୁ ଡାଇରିଆ ସମ୍ପର୍କରେ ସଚେତନ କରିଥିଲେ । ବର୍ତ୍ତମାନ ଆମେ ସଜାଗ ରହିଛୁ । ପ୍ରଶାସନ ସମସ୍ତ ନଳକୂପରେ କ୍ଲୋରିନ ମିଶ୍ରଣ କରିଲେ ଡାଇରିଆ ନିୟନ୍ତ୍ରଣକୁ ଆସିବ ବୋଲି ବୋରିଗୁମ୍ମା ମେଡିକାଲ ଅଫିସର ହରପ୍ରସାଦ ପାଣିଗ୍ରାହୀ କହିଛନ୍ତି ।