ଡାଏନାଙ୍କ ସାଉଥ୍‌ ଏଣ୍ଟ୍ରି, ଦୁଲକର ସଲମାନଙ୍କର ସାଜିବେ ନାୟିକା

Published By : Prameya-News7 Bureau | November 18, 2022 IST

ମୁମ୍ଵାଇ ୧୮।୧୧: ବଲିଉଡ୍‌ କଳାକାରମାନେ ସାଉଥ୍‌ମୁହାଁ ହେବା କଥା ନୂଆ ନୁହେଁ । ଦୁଇ ଇଣ୍ଡଷ୍ଟ୍ରି ମଧ୍ୟରେ ସବୁବେଳେ ପ୍ରତିଭାର ବିନିମୟ ହୋଇଛି । ସାଉଥ୍‌ ଫିଲ୍ମଗୁଡ଼ିକ ଏବେ ହିନ୍ଦୀ ଭାଷୀ ଦର୍ଶକଙ୍କଠାରୁ ଖୁବ୍‌ ପ୍ରଶଂସା ସାଉଁଟୁଥିବାବେଳେ ଅଭିନେତ୍ରୀ ଡାଏନା ପେଣ୍ଟି ଏ ବର୍ଷ ସାଉଥ୍‌ ଇଣ୍ଡଷ୍ଟ୍ରିରେ ନିଜର ଭାଗ୍ୟ ପରୀକ୍ଷା କରିବାକୁ ଅଣ୍ଟା ଭିଡ଼ିଛନ୍ତି । ଅଭିନେତା ଦୁଲକର ସଲମାନ ଷ୍ଟାରର୍‌ ମାଲାୟାଲମ୍‌ ଫିଲ୍ମ ‘ସାଲ୍ୟୁଟ୍‌’ ଜରିଆରେ ସାଉଥ୍‌ରେ ଏଣ୍ଟ୍ରି କରିଛନ୍ତି ଡାଏନା ।

ଏ କ୍ଷେତ୍ରରେ ନିଜ ଅନୁଭବ ବିଷୟରେ ସେ କହିଛନ୍ତି ‘ଚଳିତ ବର୍ଷ ମୁଁ ଦକ୍ଷିଣ ସିନେ ଇଣ୍ଡଷ୍ଟ୍ରିରେ ଯାତ୍ରା ଆରମ୍ଭ କରିଛି । ସେଠାରେ କାମ କରିବାର ଅନୁଭବ ଅତି ଚମତ୍କାର । ଦକ୍ଷିଣ ସିନେମା ଓ ଏହି ଇଣ୍ଡଷ୍ଟ୍ରିର ଲୋକେ ଭଦ୍ର ବୋଲି ମୁଁ ଶୁଣିଥିଲି । ଏବେ ନିଜେ ଅନୁଭବ କରିଛି । ଦକ୍ଷିଣ ଫିଲ୍ମ ସହ ମୁଁ ବେଶି ପରିଚିତ ନ ଥିଲି । ଏବେ କିନ୍ତୁ ଦୁଲକରଙ୍କ ସହ କାମ କରି ବହୁତ ଉପଭୋଗ କରିଛି । ଭିନ୍ନ ଭିନ୍ନ ଭାଷାର ଫିଲ୍ମରେ କାମ କରିବା ବାସ୍ତବରେ ବଡ଼ ଚ୍ୟାଲେଞ୍ଜ୍‌ । ଫିଲ୍ମରେ ମୋର ଅଧିକ ଡାଇଲଗ୍‌ ନ ଥିଲା । ମାଲାୟାଲମ୍‌ ଭାଷା ସହ ପରିଚିତ ନ ଥିଲେ ଅଭିନୟ ଏତେ ସହଜ ନୁହେଁ । ତେଣୁ ମୋତେ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଛି ।’

 ସେହିପରି ଅପ୍‌କିମଙ୍ଗ ହିନ୍ଦୀ ଫିଲ୍ମ ‘ସେଲ୍‌ଫି’ର ମୁକ୍ତିଲାଭକୁ ଅପେକ୍ଷା କରିଛନ୍ତି ଡାଏନା । ଏଥିରେ ଅକ୍ଷୟ କୁମାର, ଇମ୍ରାନ ହାଶ୍‌ମି ଓ ନୁସରତ ଭରୁଚା ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି । ନୱାଜୁଦ୍ଦିନ ସିଦ୍ଦିକିଙ୍କ ସହ ‘ଅବଧୁତ୍‌’ ଫିଲ୍ମରେ ବି ସେ ନଜର ଆସିବେ । ଏହାକୁ ମିଶାଇ ତାଙ୍କ ହାତରେ ମୋଟ୍‌ ୪ଟି ଫିଲ୍ମ ରହିଛି, ଯାହାର ସୁଟିଂ ସେ ଶେଷ କରିଛନ୍ତି । କାମ ବ୍ୟସ୍ତତା ଦୃଷ୍ଟିରୁ ଚଳିତ ବର୍ଷକୁ ସେ ବେଶ ଉତ୍ସାହଜନକ ବର୍ଷ ବୋଲି କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.