ଜଙ୍ଗଲରୁ ମିଳୁଛି ହୀରା ! ଖବର ଶୁଣିବା ପ​‌ରେ କୁଡି- କୋଦାଳ ଧରି ପାହାଡକୁ ଖୋଳି ଚାଲିଲେ ହଜାର ହଜାର ଲୋକ, ସରକାର ଦେଲେ ଯାଞ୍ଚ ନିର୍ଦ୍ଦେଶ

Published By : Prameya-News7 Bureau | November 27, 2020 IST

ନୂଆଦିଲ୍ଲୀ ୨୭/୧୧: ଜଙ୍ଗଲରୁ ମିଳୁଛି ହୀରା ! ଗାଁର ଦୁଇ ଜଣ ବ୍ୟକ୍ତିଙ୍କ ପାଖରୁ ଏଭଳି ଖବର ଶୁଣି ଗ୍ରାମବାସୀ ଜଙ୍ଗଲ ଭିତରକୁ ଦୌଡ଼ିବା ଆରମ୍ଭ କରିଥିଲେ। କୋଡ଼ି, କୋଦାଳ ସାହାଯ୍ୟରେ ପାହାଡ଼ ଖୋଳିବାକୁ ଲାଗିଗଲେ ଗ୍ରାମବାସୀ । ଏକମାତ୍ର ଲକ୍ଷ ହୀରା । ଶତାଧିକ ଗ୍ରାମବାସୀ ପାହାଡ଼ ଖୋଳିବାର ଫଟୋ ଓ ଭିଡିଓ ଏବେ ରାଜ୍ୟ ସରକାରଙ୍କ ହାତରେ ଲାଗିଛି। ହୀରା ମିଳୁଥିବା ଖବର ସରକାର ଜାଣିବା ପରେ ଯାଞ୍ଚ ପାଇଁ ଦେଇଛନ୍ତି ନିର୍ଦେଶ।

ଏଭଳି ଏକ ଘଟଣା ନାଗାଲାଣ୍ଡର ମୋନ୍‌ ଜିଲ୍ଲା ଅନ୍ତର୍ଗତ ବାନାଚିଙ୍ଗ ଗାଁରେ ଘଟିଛି। ଗାଁର ଦୁଇ ଜଣ ବ୍ୟକ୍ତି ଜଙ୍ଗଲରୁ କିଛି ଚକ୍‌ ଚକ୍‌ କରୁଥିବା ପଥର ପାଇଥିଲେ। ଏହି ପଥର ହୀରା ବୋଲି ଗାଁ  ଲୋକଙ୍କୁ କହିଥିଲେ ଦୁଇ ବ୍ୟକ୍ତି। ହୀରା ପାଇବା ଆଶାରେ କୋଡ଼ି, କୋଦାଳ ଧରି ଶତାଧିକ ଲୋକେ ଜଙ୍ଗଲକୁ ଯାଇଥିଲେ। ଜଙ୍ଗଲ, ପାହାଡ଼ ଖୋଳି ଚାଲିଲେ ଗ୍ରାମବାସୀ। ସେଠାରେ ଉପସ୍ଥିତ ଅନ୍ୟ ବ୍ୟକ୍ତି ଫଟୋ  ଓ ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ।

ଏହାକୁ ଦେଖି ରାଜ୍ୟ ସରକାର ଯାଞ୍ଚ ନିର୍ଦେଶ ଦେଇଛନ୍ତି। ଭୂବିଜ୍ଞାନୀଙ୍କ ଏକ ଟିମ୍‌ ସୋମବାର ସୁଦ୍ଧା ସେହି ସ୍ଥାନରେ ପହଞ୍ଚିବେ ବୋଲି ସୂଚନା ମିଳିଛି। ସେପଟେ ମୋନ ପୋଲିସ୍‌ କହିଛି ସେଭଳି ପଥର ଦେଖି ସେମାନେ ବି ସନ୍ଦେହରେ ପଡ଼ିଥିଲେ । କାରଣ ପଥରଗୁଡ଼ିକ ଅବିକଳ ହୀରା ଭଳି  ଦେଖାଯାଉଛି। କିନ୍ତୁ ଏହାକୁ ଖଣ୍ଡନ କରିଛନ୍ତି ଭୂବିଜ୍ଞାନୀ। କାରଣ ସେହି ଅଞ୍ଚଳରେ ହୀରା ଗଚ୍ଛିତ ଥିବା ନେଇ କୌଣସି ପ୍ରମାଣ ମିଳିନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.