ଆପ୍‌ରେ ମିଶିଲେ କର୍ମଚାରୀଙ୍କୁ ବୋନସରେ କାର-ଘର ଦେଉଥିବା ହୀରା ବ୍ୟବସାୟୀ ମହେଶ ସବାନି

Published By : Prameya-News7 Bureau | June 27, 2021 IST

ଅହମ୍ମଦାବାଦ ୨୭।୦୬ : ଦିଲ୍ଲୀରେ ସରକାର ଗଠନ କରି ପାର୍ଟି ସୁଦୃଢ କରିଥିବା ଆମ୍ ଆଦମୀ ପାର୍ଟି ଏବେ ଅନ୍ୟ ରାଜ୍ୟରେ ନିଜର ସ୍ଥିତି ସୁଦୃଢ ପାଇଁ ଲକ୍ଷ୍ୟ ରଖିଛି। ଦଳ ଆସନ୍ତା ବର୍ଷ ଅନେକ ରାଜ୍ୟରେ ନିର୍ବାଚନ ଲଢିବାକୁ ଲକ୍ଷ୍ୟ ରଖିଛି। ଏହି କ୍ରମରେ ଆପର ନଜର ଗୁଜରାଟ ବିଧାନସଭା ନିର୍ବାଚନ ଉପରେ ରହିଛି। ସେଥିପାଇଁ ଦଳ ଏବେଠୁ ପ୍ରସ୍ତୁତି ଆରମ୍ଭ କରି ଦେଇଛି। ଏହା ମଧ୍ୟରେ ରବିବାର ସୁରଟର ହୀରା ବ୍ୟବସାୟୀ ତଥା ସାମାଜିକ କର୍ମୀ ମହେଶ ସବାନି ଆମ୍ ଆଦମୀ ପାର୍ଟିରେ ଯୋଗ ଦେଇଛନ୍ତି। ତାଙ୍କର ଯୋଗଦାନ ଆପ୍‌ ପାଇଁ ବଡ ସଫଳତା ବୋଲି କୁହାଯାଉଛି। ଉଲ୍ଲେଖନୀୟ  ଆସନ୍ତା ବର୍ଷ ଗୁଜରାଟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି।

ଦିଲ୍ଲୀର ଉପ ମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆଙ୍କ ଉପସ୍ଥିତିରେ ଆଜି ସବାନି ଆପର ସଦସ୍ୟତା ଗ୍ରହଣ କରିଛନ୍ତି। ରାଜ୍ୟରେ କ୍ଷମତାସୀନ ଭାରତୀୟ ଜନତା ପାର୍ଟି (ବିଜେପି)କୁ ହରାଇବାକୁ ଲକ୍ଷ୍ୟ ରଖିଥିବା ଆପ୍ ପାଇଁ ଏହା ଏକ ବଡ ସଫଳତା। ସିସୋଦିଆ କହିଛନ୍ତି, ଗୁଜରାଟର ସଫଳ ଉଦ୍ୟୋଗପତି ଓ ବିଶିଷ୍ଟ ସମାଜସେବୀ ମହେଶ ସବାନୀ ଆଜି ଆମ ଆଦମୀ ପାର୍ଟିରେ ଯୋଗ ଦେଇଛନ୍ତି। ମହେଶ ଭାଇଙ୍କୁ ଆମ୍ ଆଦମୀ ପାର୍ଟି ପରିବାର ତରଫରୁ ସ୍ଵାଗତ। ତାଙ୍କ ଯୋଗଦନ ଗୁଜରାଟରେ ଆପ୍‌କୁ ଆହୁରି ଶକ୍ତିଶାଳୀ କରିବ।

ସୁରଟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ମନିଷ ସିସୋଦିଆ କହିଛନ୍ତି, ଆପ୍ ଗୁଜରାଟରେ ଏକ ଖାଲି ଭୂଖଣ୍ଡ ସଦୃଶ, ଯେଉଁଠି ରାଜ୍ୟର ନୂତନ ଓ ଆଧୁନିକ ରାଜନୀତିର ଘର ଗଠନ କରାଯାଇ ପାରିବ। ଏହାର ମୂଳଦୁଆ ମଜବୁତ ପାଇଁ ଆମେ ମହେଶ ଜୀଙ୍କୁ ଆପ୍‌ରେ ସ୍ଵାଗତ କରୁଛୁ। ଏବେ ଗୁଜରାଟରେ ଆମ୍ ଆଦମୀ ପାର୍ଟି ଦିନ ରାତି ଚାରିଗୁଣରେ ଆଗକୁ ବଢୁଛି।

ମହେଶ ସବାନି

ପ୍ରତି ବର୍ଷ ଦୀପାବଳିରେ ସୁରଟର ହୀରା ବ୍ୟବସାୟୀ ମହେଶ ସବାନି ବୋନସ ଭାବେ ନିଜ କର୍ମଚାରୀଙ୍କୁ କାର, ଫ୍ଲାଟ୍  ଆଦି ଉପହାର ଦେଇଥାନ୍ତି। ଏହା ବ୍ୟତୀତ ସେ ୫୦୦ରୁ ଅଧିକ ଝିଅଙ୍କ ବିବାହ କରାଇଛନ୍ତି। ଏହି  କାରଣରୁ କେବଳ ଗୁଜରାଟ ନୁହେଁ ସବାନି ସାରା ଭାରତରେ ଖ୍ୟାତି ଅର୍ଜନ କରିଛନ୍ତି।  ଗୁଜରାଟର ଭାବନଗର ଏକ ଗାଁରୁ ଜନ୍ମିତ ମହେଶ ସବାନିଙ୍କ ବାପା ପ୍ରାୟ ୪୦ ବର୍ଷ ପୂର୍ବେ ଅହମ୍ମଦାବାଦ ଆସିଥିଲେ। ସେଠାରେ ସେ  ହୀରା ପଲିସ୍ କାମ ଆରମ୍ଭ କରିଥିଲେ। ଧିରେ ଧିରେ କାମ ବଢିବା ବ୍ୟବସାୟ ପରିଧି ବିସ୍ତାର ହୋଇ ଚାଲିଲା।  ଏବେ  ତାଙ୍କ ପରିବାର ଏତେ ସମୃଦ୍ଧ ଯେ ପ୍ରତି ଝିଅଙ୍କ ବିବାହରେ ପ୍ରାୟ ୪ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ସମର୍ଥ।

ଗୁଜରାଟ ସମେତ ଏହି ରାଜ୍ୟରେ ନିର୍ବାଚନ ଲଢିବା ପ୍ରସ୍ତୁତିରେ ଆପ୍

ଗୁରଜାଟ ନଗର ନିଗମ ନିର୍ବାଚନରେ ୧୨୦ ଆସନରୁ ୨୭ଟି ସିଟ୍ ଜିତି ନିଜର ଅସ୍ଥିତ୍ଵ ଜାହିର କରିବା ପରେ ଆପ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗୃହ ରାଜ୍ୟରେ ବିଜେପିକୁ କ୍ଷମତାରୁ ବେଦଖଲ କରିବାର ଯୋଜନା କରୁଛି। ଦଳ ଆସନ୍ତାବର୍ଷ ବିଧାନସଭା ନିର୍ବାଚନରେ ସମସ୍ତ ଆସନରେ ପ୍ରାର୍ଥୀ ଦେବ ବୋଲି ଘୋଷଣା କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.