ବଢୁଛି ଧୋନୀଙ୍କ ବ୍ରାଣ୍ଡ ଭାଲ୍ୟୁ, ୧୦୪୦କୋଟିର ମାଲିକ:ସୋସିଆଲ ମିଡିଆରେ ୭.୫ କୋଟି ଫଲୋଅର୍ସ
31/05/2023 at 10:30 AM

ନୂଆଦିଲ୍ଲୀ,୩୧/୫ : ମହେନ୍ଦ୍ର ସିଂ ଧୋନି । କେବଳ ନାଁଟି ଯଥେଷ୍ଟ । ଭାରତ ପାଇଁ ଆଣିଛନ୍ତି ଅନେକ ଗୌରବ । ଲିଷ୍ଟରେ ଅଛି ଦିନିକିଆ କ୍ରିକେଟ ବିଶ୍ୱକପ୍, ଟି-ଟ୍ୱେଣ୍ଟି ବିଶ୍ୱକପ୍ ଓ ଆଇସିସି ଚାମ୍ପିୟନ୍ସ ଟ୍ରଫି । ଆଇପିଏଲ୍ରେ ବି ତାଙ୍କର ଅଲଗା କ୍ରେଜ୍ । ଚେନ୍ନାଇ ସୁପର କିଙ୍ଗସ୍କୁ ଦେଇଛନ୍ତି ୫ଟି ଟ୍ରଫି । ଅନ୍ତର୍ଜାତୀୟ କ୍ରିକେଟରୁ ୩ ବର୍ଷ ତଳେ ଅବସର ନେଲେଣି । ତଥାପି ବିଜ୍ଞାପନ ଦୁନିଆରେ କମିନି ତାଙ୍କର ବ୍ରାଣ୍ଡ ଭାଲ୍ୟୁ ।

କମିନି ତାଙ୍କ ପାଇଁ ଦର୍ଶକଙ୍କ ପାଗଳପଣିଆ । କୋଟି କୋଟି କ୍ରିକେଟ୍ପ୍ରେମୀଙ୍କ ଆବେଗର ପୂର୍ଣ୍ଣ ଉଚ୍ଛ୍ୱାସ, ପବିତ୍ର ମୂର୍ତ୍ତି ଓ ପ୍ରତିଟି ହୃଦୟର ହୃତ୍ସ୍ପନ୍ଦନ; ସେ ହେଉଛନ୍ତି କିମ୍ବଦନ୍ତୀ କ୍ୟାପ୍ଟେନ କ୍ରିକେଟ୍ର ବାଦ୍ଶାହ ମହେନ୍ଦ୍ର ସିଂ ଧୋନି । ଜଣେ ବିରଳ ବ୍ୟକ୍ତିତ୍ୱ, ବିଚକ୍ଷଣ କ୍ରିକେଟ୍ ଯାଦୁକର; ଯାହାଙ୍କ ଯାଦୁକରୀ ରଣକୌଶଳ ଚେନ୍ନାଇ ସୁପରକିଙ୍ଗ୍ସକୁ ଆଇପିଏଲରେ ଏକ ସଫଳ ଦଳ ଭାବେ ଗଢ଼ି ତୋଳିବାରେ ସହାୟକ ହୋଇଛି ।
ଅଗଷ୍ଟ ୧୫ ତାରିଖ ୨୦୨୦ ମସିହାରେ ଧୋନି ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ନ୍ୟାସ ନେଇଥିଲେ । କେବଳ ଆଇପିଏଲ ସମୟରେ ହିଁ ସେ ସମସ୍ତଙ୍କ ସାମ୍ନାକୁ ଆସନ୍ତି । ଏହାପରେ ସେ ନିଜ ପରିବାର ସହ ସମୟ ବିତାଇଥାନ୍ତି । ସୋସିଆଲ ମିଡିଆରେ ଆଦୌ ସକ୍ରିୟ ନୁହନ୍ତି । ତଥାପି ଦୀର୍ଘ ୩ ବର୍ଷ ତଳେ ଅନ୍ତର୍ଜାତୀୟ କ୍ରିକେଟ୍ ଛାଡ଼ିଲା ପରେ ବି ତାଙ୍କର ଲୋକପ୍ରିୟତା ହ୍ରାସ ପାଇନି ବରଂ ବର୍ଷକୁ ବର୍ଷ ବଢ଼ିବାରେ ଲାଗିଛି । ଏହି ଲୋକପ୍ରିୟତା ହିଁ ବିଜ୍ଞାପନ ବଜାରରେ ତାଙ୍କ ବ୍ରାଣ୍ଡ୍ ଭାଲ୍ୟୁ ବଢ଼ାଇବାରେ ସହାୟକ ହୋଇଛି । ୨୦୨୦ରୁ ୨୦୨୨ ମଧ୍ୟରେ ତାଙ୍କର ବ୍ରାଣ୍ଡ୍ ଭାଲ୍ୟୁ ୩୬.୩ ମିଲିୟନ ଡଲାରରୁ ୮୦.୩ ମିଲିୟନ ଡଲାରରେ ପହଞ୍ଚିଛି । ସେ ୩୬ଟି ପ୍ରମୁଖ ଅଗ୍ରଣୀ କମ୍ପାନୀର ବିଜ୍ଞାପନ କରୁଛନ୍ତି ।

ଦିନା ଥିଲା ମ୍ୟାଚ୍ ଫିକ୍ସିଂ ଓ ଅନ୍ୟାନ୍ୟ ବିବାଦକୁ ନେଇ ଭାରତୀୟ କ୍ରିକେଟ୍ ହୋଇପଡିଥିଲା କଳଙ୍କିତ । କିନ୍ତୁ ସବୁ ବିବାଦରେ ଫୁଲଷ୍ଟପ୍ ପକାଇ ସୌରଭ ଗାଙ୍ଗୁଲି ଭାରତୀୟ ଦଳକୁ ଗଢିତୋଳିଥିଲେ ନୂଆ କରି । ତେବେ ଏଥିରେ ମହେନ୍ଦ୍ର ସିଂ ଧୋନି ନିଭାଇଥିଲେ ଗୁରୁତ୍ୱପୂର୍ଣ୍ଣ ଭୂମିକା । ରାଞ୍ଚି ଭଳି ଛୋଟ ସହରରୁ ଏକ ଲମ୍ବା କେଶଧାରୀ ଉଦ୍ଦାମୀ ବାଳକ ଯେ ଦିନେ ଭାରତୀୟ କ୍ରିକେଟ ମଙ୍ଗ ଧରିବ ଏବଂ ଭାରତୀୟ କ୍ରିକେଟ୍ରେ ବୈପ୍ଳବିକ ପରିବର୍ତ୍ତନ ଆଣିବ ହୁଏତ ସେ କଥା କେହି ଚିନ୍ତା କରିନଥିଲେ । ୨୦୦୭ରେ ଟି-ଟ୍ୱେଣ୍ଟି ବିଶ୍ୱକପ୍ରେ ଦଳକୁ ବିଶ୍ୱ ବିଜେତା କରାଇବା ପରେ ଦେଶବାସୀ ଉନ୍ମାଦିତ ହୋଇପଡ଼ିଥିଲେ । ସଚିନ ତେନ୍ଦୁଲକର, ସୌରଭ ଗାଙ୍ଗୁଲି, ରାହୁଲ ଦ୍ରାବିଡ଼ଙ୍କ ଭଳି କିମ୍ବଦନ୍ତୀ ଖେଳାଳିଙ୍କ ଉପସ୍ଥିତି ସତ୍ତ୍ୱେ ଧୋନିଙ୍କ ଲୋକପ୍ରିୟତା ଶୀର୍ଷରେ ପହଞ୍ଚିଥିଲା ।
ପରବର୍ତ୍ତୀ ସମୟରେ ଦଳକୁ ୨୦୧୧ ଦିନିକିଆ ବିଶ୍ୱକପ୍ ଏବଂ ୨୦୧୩ରେ ଆଇସିସି ଚାମ୍ପିଅନ୍ସ ଟ୍ରଫି ଚାମ୍ପିଅନ କରାଇ ଧୋନି ଭାରତୀୟ କ୍ରିକେଟ୍ ଇତିହାସରେ ନୂଆ ଫର୍ଦ୍ଦ ଯୋଡ଼ିଥିଲେ । ଜଣେ ନିର୍ବିବାଦୀୟ, ମିଷ୍ଟଭାସୀ, ଶାନ୍ତ ସରଳ ସ୍ୱଭାବର ଏହି ଅଦ୍ଭୁତ କ୍ରିକେଟ୍ ମଣିଷଙ୍କୁ ସମସ୍ତେ ହୃଦୟରୁ ଭଲ ପାଇ ବସିଲେ । ସେ ଭଲ ପାଇବା ଦିନକୁ ଦିନ ଅତି ଗଭୀର ହେବାରେ ଲାଗିଛି । ଧୋନିଙ୍କୁ ଏବେ ୪୨ ବର୍ଷ ବୟସ । ତଥାପି ଦର୍ଶକ ଚାହାନ୍ତି ସେ ଆଇପିଏଲ ଖେଳିବା ଜାରି ରଖନ୍ତୁ । କୋଭିଡ୍ ମୁକ୍ତ ୨୦୨୩ ଆଇପିଏଲ୍ ସଂସ୍କରଣରେ ଦେଶର ସବୁ ଷ୍ଟାଡିୟମରେ ଏହା ହିଁ ଦେଖିବାକୁ ମିଳିଥିଲା । ଚେନ୍ନାଇ ସହ ଧୋନି ଯେଉଁ ଯେଉଁ ଷ୍ଟାଡିୟମରେ ମ୍ୟାଚ୍ ଖେଳିଥିଲେ, ସେହି ଷ୍ଟାଡିୟମ କେବଳ ହଳଦୀ ରଙ୍ଗର ୭ ନଂ ଜର୍ସିରେ ହଳଦିଆ ଦେଖାଯାଉଥିଲା । ଗତ ସୋମବାର ଦିନ ଗୁଜରାଟ ଟାଇଟନ୍ସ ନିଜ ଘରୋଇ ଭେନ୍ୟୁ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଫାଇନାଲ ଖେଳୁଥିଲା । କିନ୍ତୁ ଷ୍ଟାଡିୟମରେ ଗୁଜରାଟ ପରିବର୍ତ୍ତେ ସୁପରକିଙ୍ଗ୍ସର ପ୍ରଶଂସକ ଅଧିକ ଦେଖିବାକୁ ମିଳିଥିଲା ।

ଧୋନିଙ୍କ ଅନ୍ତର୍ଜାତୀୟ କ୍ୟାରିୟର ବେଶ୍ ରୋମାଞ୍ଚକର ଥିଲା । ନିଜ କ୍ୟାରିୟର ଅପେକ୍ଷା ଦଳର ସଫଳତା ପ୍ରତି ସେ ସର୍ବଦା ଗୁରୁତ୍ୱ ଦେଉଥିଲେ । ତେଣୁ ସେ ସୁଯୋଗ ଥିଲେ ବି ୧୦୦ ଟେଷ୍ଟ ପୂର୍ବରୁ ସନ୍ନ୍ୟାସ ନେଇଥିଲେ । ୯୦ଟି ଟେଷ୍ଟ ଖେଳି ୪୮୭୬ ରନ୍ (୬ ଶତକ, ୩୩ ଅର୍ଦ୍ଧଶତକ) କରିଥିଲେ । ସେହିପରି ଦିନିକିଆରେ ୩୫୦ ମ୍ୟାଚ୍ ଖେଳି ୧୦,୭୭୩ ରନ୍ (୧୦ ଶତକ, ୭୩ ଅର୍ଦ୍ଧଶତକ) କରିବାରେ ସଫଳ ରହିଥିଲେ । ଦୀର୍ଘ ୧୬ ବର୍ଷ ଧରି ଗୋଟିଏ ଫ୍ରାଞ୍ଚାଇଜରେ ରହି ଧୋନି ଚେନ୍ନାଇକୁ ଆଇପିଏଲର ସବୁଠାରୁ ସଫଳ ଦଳ ଭାବେ ଗଢ଼ି ତୋଳି ପାରିଛନ୍ତି । ସ୍ପଟ୍ ଫିକ୍ସିଂ ମାମଲାରେ ଚେନ୍ନାଇ ୨ ବର୍ଷ ବାସନ୍ଦ ହୋଇଥିଲା ।
ଅବଶିଷ୍ଟ ୧୪ଟି ସଂସ୍କରଣରୁ ଧୋନିଙ୍କ ନେତୃତ୍ୱରେ ଚେନ୍ନାଇ ୧୦ ଥର ଫାଇନାଲ ଖେଳି ୫ ଥର ଚାମ୍ପିଅନ (୨୦୧୦, ୨୦୧୧, ୨୦୧୮, ୨୦୨୧, ୨୦୨୩) ଏବଂ ୫ ଥର (୨୦୦୮, ୨୦୧୨, ୨୦୧୩, ୨୦୧୫ ଓ ୨୦୧୯) ରନର୍ସଅପ୍ ହୋଇଛି । କ୍ରୁଲ୍ ସେଲିବ୍ରିଟି ବ୍ରାଣ୍ଡ୍ ଭାଲ୍ୟୁଏସନ ରିପୋର୍ଟ ୨୦୨୨ ଅନୁସାରେ, ଅନ୍ତର୍ଜାତୀୟ କ୍ରିକେଟରୁ ଗତ ୩ ବର୍ଷ ଧରି ଦୂରେଇ ରହିଥିଲେ ବି ଧୋନି ଏବେବି କ୍ରିକେଟର ଜଣେ ବାହୁବଳୀ ବ୍ରାଣ୍ଡ୍ । ପ୍ରତି ବର୍ଷ ତାଙ୍କର ବ୍ରାଣ୍ଡ୍ ଭାଲ୍ୟୁ ବଢ଼ିବାରେ ଲାଗିଛି । ୨୦୨୧ ଅପେକ୍ଷା ସେ ୨୦୨୨ରେ ବ୍ରାଣ୍ଡ୍ ଭାଲ୍ୟୁ ମାନ୍ୟତା ତାଲିକାରେ ଗୋଟିଏ ସ୍ଥାନ ତଳକୁ ଖସି ଆସିଛନ୍ତି । ତଥାପି ଧୋନିଙ୍କ ବ୍ରାଣ୍ଡ୍ ଭାଲ୍ୟୁ ୮୦.୩ ମିଲିୟନ ଡଲାରକୁ ବୃଦ୍ଧି ପାଇଛି । କ୍ରିକେଟରଙ୍କ ମଧ୍ୟରେ ବିରାଟ କୋହଲିଙ୍କ ପଛକୁ ସେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ବିଗତ ଦୁଇ ବର୍ଷର ତାଙ୍କର ବଜାର ଭାଲ୍ୟୁ ୨ ଗୁଣରୁ ଅଧିକ ବୃଦ୍ଧି ପାଇଛି । ୨୦୦୫ ମସିହାରେ ଧୋନି ମହୀଶୂର ସାବୁନ ସହ ପ୍ରଥମ ଚୁକ୍ତି କରିଥିଲେ । ପରବର୍ତ୍ତୀ ସମୟରେ ଏହି କମ୍ପାନୀ ସହ ତାଙ୍କର ବିବାଦ ଉପୁଜିଥିଲା । ମାମଲା କୋର୍ଟକୁ ଯାଇଥିଲା ଏବଂ ୫ ବର୍ଷ ପରେ ତାହା ସମାଧାନ ହୋଇଥିଲା । ଏବେ ଧୋନି ୩୬ରୁ ଊର୍ଦ୍ଧ୍ବ କମ୍ପାନୀ ସହ ଚୁକ୍ତିରେ ରହିଛନ୍ତି । ବିଶେଷ କରି ସେ ଇ-କମର୍ସ, ହେଲ୍ଥକେୟାର, ରିୟଲ ଇଷ୍ଟେଟ ଭଳି କମ୍ପାନୀ ଗୁଡ଼ିକର ବିଜ୍ଞାପନ କରୁଛନ୍ତି ।
ଦେଶର ବହୁ ବଡ଼ ବଡ଼ ସେଲିବ୍ରିଟି ଅମିତାଭ ବଚ୍ଚନ, ଶାହରୁଖ ଖାନ, ସଲମାନ ଖାନ ଓ ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇ ଧୋନି ସେଲିବ୍ରିଟି ବ୍ରାଣ୍ଡ୍ ତାଲିକାରେ ଷଷ୍ଠ ସ୍ଥାନରେ ରହିଛନ୍ତି । କୌଣସି ସୋସିଆଲ ମିଡିଆରେ ସେ ସକ୍ରିୟ ନୁହଁନ୍ତି, ତଥାପି ତାଙ୍କର ୭୫ ମିଲିୟନ (୭.୫ କୋଟି)ରୁ ଊଦ୍ଧ୍ୱର୍ ଅନୁଗାମୀ ରହିଛନ୍ତି । ସେ କେବଳ ଦେଶରେ ନୁହେଁ ବିଶ୍ୱ କ୍ରିକେଟରେ ମଧ୍ୟ ଜଣେ ସମ୍ମାନନୀୟ କିମ୍ବଦନ୍ତୀ କ୍ରିକେଟର । ଶୂନ୍ରୁ କ୍ୟାରିୟର ଆରମ୍ଭ କରିଥିବା ଧୋନି ଏବେ ୧୦୪୦ କୋଟିରୁ ଊଦ୍ଧ୍ୱର୍ ଟଙ୍କାର ମାଲିକ । ଆଇପିଏଲର ୧୬ଟି ସଂସ୍କରଣରୁ ସେ ୧୭୬ କୋଟି ୮୪ ଲକ୍ଷ ଟଙ୍କା ରୋଜଗାର କରିଛନ୍ତି । ଆଇପିଏଲରୁ ସର୍ବାଧିକ ରୋଜଗାର ତାଲିକାରେ ଦ୍ୱିତୀୟ ସ୍ଥାନରେ ଅଛନ୍ତି । ଚଳିତ ସଂସ୍କରଣରେ ସୁପରକିଙ୍ଗ୍ସ ଠାରୁ ୧୨ କୋଟି ଟଙ୍କା ଦରମା ନେଇଥିଲେ । ଧୋନି ବିଭିନ୍ନ ସଂସ୍ଥାରେ ନିଜର ପୁଞ୍ଜି ନିବେଶ କରିଛନ୍ତି । ଯେମିତିକି ଗରୁଡ଼ ଏରୋସ୍ପେସ, ଖାତାବୁକ୍ ଓ କାର୍ସ-୨୪ ।