ଦୁଇଟି ଛୋଟ ସହରର ବଡ ତାରକା ଧୋନୀ-ରାଇନା

Published By : Prameya-News7 Bureau | August 17, 2020 IST

ନୂଆଦିଲ୍ଲୀ, ୧୭|୦୮:   ମହେନ୍ଦ୍ର ସିଂ ଧୋନୀ ଓ ସୁରେଶ ରାଇନା ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇ ସାରିଛନ୍ତି । ଉଭୟ ଛୋଟିଆ ସହରରୁ ଯାତ୍ରା ଆରମ୍ଭ କରି କ୍ରିକେଟ ଜଗତରେ ଭାରତକୁ ଶୀର୍ଷରେ ପହଁଚାଇଥିଲେ । ଦୀର୍ଘଦିନ ଧରି ଧୋନୀଙ୍କ ଅବସରକୁ ନେଇ ଚର୍ଚ୍ଚା ଆଲୋଚନା ଲାଗି ରହିଥିଲା । ଯାହାର ପରଦା ଗତ ୧୫ ତାରିଖରେ ଉଠିସାରିଛି ।

ଉଭୟ ଧୋନୀ ଓ ରାଇନା ନିଜସ୍ୱ ଅନ୍ଦାଜରେ ଖେଳୁଥିଲେ । ଉଭୟ କ୍ୟାରିଅର ଆରମ୍ଭରେ ବିସ୍ପୋରକ ବ୍ୟାଟିଂ କରୁଥିଲେ । ବାମହାତୀ ବ୍ୟାଟସମ୍ୟାନ୍ ରାଇନା ଭାରତୀୟ ଦଳର ଜଣେ ଦୁର୍ଦ୍ଦଶ ଫିଲଡର୍ ଭାବେ ନାଁ କରିଥିଲେ । ତାଙ୍କ ଫିଲ୍ଡିଂ ଉଚ୍ଚକୋଟୀର । ଏହାସହ ଧୋନୀଙ୍କ ନେତୃତ୍ୱରେ ଭାରତ ଅନେକ ଉପଲବ୍ଧି ହାସଲ କରିଛି ।

ଉଭୟଙ୍କ ମଧ୍ୟରେ ଅନେକ ସାମଞ୍ଜସ୍ୟ ରହିଛି । ଉଭୟ ଖେଳାଳି ଛୋଟ ସହରରୁ ଆସିଛନ୍ତି । ଧୋନୀ ଝାଡଖଣ୍ଡର ରାଞ୍ଚୀ ଓ ରାଇନା ଉତ୍ତର ପ୍ରଦେଶର ମୁର୍ଦ୍ଦାନଗରରୁ ଅନ୍ତର୍ଜାତୀୟ କ୍ରିକେଟରେ ପାଦ ଦେଇଥିଲେ । ଉଭୟ ଅନେକଙ୍କ ପାଇଁ ପ୍ରେରଣାର ଉତ୍ସ ।

ଧୋନୀ ଓ ରାଇନାଙ୍କୁ ନେଇ ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ଦିଲ୍ଲୀପ ତିର୍କୀ କହିଛନ୍ତି ଯେ, ସେ କେବେବି ଉଭୟଙ୍କୁ ସାକ୍ଷାତ କରିନାହାଁନ୍ତି । କିନ୍ତୁ ଖେଳ ଦେଖିଛନ୍ତି । ଧୋନୀ ଥଣ୍ଡା ମିଜାଜରେ ରହି ଅନେକ ନିଷ୍ପତ୍ତି ନେଇଥାନ୍ତି । ଯାହା ଦଳର ସଫଳତାରେ କାମରେ ଆସିଛି । ରାଇନା ମଧ୍ୟ ଦଳକୁ ଅନେକ ମ୍ୟାଚ୍ ଜିତାଇଛନ୍ତି ।

ଟେବୁଲ୍ ଟେନିସ୍ ପ୍ଲେୟାର ଅଚନ୍ତ ସାରଥ କମଲ କହିଛନ୍ତି ଯେ, ସେ ଧୋନୀଙ୍କର ବହୁତ ବଡ ଫ୍ୟାନ୍ । ଧୋନୀ ହେଉଛନ୍ତି ବହୁତ ବଡ ପ୍ରେରଣା । ଧୋନୀଙ୍କ ଅବସର ନିଷ୍ପତ୍ତି ଶୁଣିବା ପରେ ସେ ଦୁଃଖ ପ୍ରକାଶ କରିଥିଲେ । ସହଜରେ ବିଶ୍ୱାସ କରିପାରିନଥିଲେ ।

ଚେସ୍ ଖେଳାଳି ବିଶ୍ୱନାଥ ଆନନ୍ଦ କହିଛନ୍ତି ଯେ, ଧୋନୀ ଜଣେ ଭଲ ଖେଳାଳି । ସେ ଥଣ୍ଡା ମିଜାଜର ଖେଳାଳି ଭାବେ ପରିଚିତ । ଆଗାମୀ ଭବିଷ୍ୟତ ପାଇଁ ସେ ଧୋନୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ବକ୍ସର୍ ବିଜେନ୍ଦର ସିଂ କହିଛନ୍ତି ଯେ, ଧୋନୀ ଏକ ଛୋଟ ସହରରୁ ଆସିଥିଲେ । ସେ ଟିଟିଇ ଭାବେ କାମ କରିଥିଲେ । ଏହାପରେ ସେ ଯାହା ହାସଲ କଲେ ତାହା ସତରେ ବିରଳ । ତାଙ୍କ ନେତୃତ୍ୱରେ ଦଳ ବହୁତ ସଫଳତା ପାଇଛି । ସେ ନିଜେ ମଧ୍ୟ ହରିୟାଣାର ଏକ ଛୋଟ ସହରରୁ ଆସିଥିବା କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.