ଡାକ୍ତରଖାନା ନା ନର୍କ ? ବାରଣ୍ଡାରେ ପ୍ରସବ କଲେ ମହିଳା, ତଳେ ପଡି ଗଲା ଶିଶୁର ପ୍ରାଣ, ଉତ୍ତେଜନା ଓ ଭଙ୍ଗାରୁଜା

Published By : Prameya-News7 Bureau | August 21, 2020 IST

ଢେଙ୍କାନାଳ,୨୧।୦୮: ଡାକ୍ତରଖାନା ବାରଣ୍ଡାରେ ପ୍ରସବ କଲେ ମହିଳା । ଏହାପରେ ଶିଶୁଟି ତଳେ ପଡିଯାଇ ପ୍ରାଣ ହରାଇଲା । ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଡାକ୍ତରଖାନାର ସ୍ତ୍ରୀ ଓ ପ୍ରସୂତି ବିଭାଗ ବିରୋଧରେ ସାମ୍ନାକୁ ଆସିଛି ଏପରି ଅଭିଯୋଗ । ପୂର୍ବରୁ ମଧ୍ୟ ବିଭାଗ ବିରୋଧରେ ବାରମ୍ବାର ଏପରି ଅଭିଯୋଗ ଆସିଛି ।  ଏଥିପାଇଁ ମୁଖ୍ୟ ଡାକ୍ତରଖାନାରେ ବାରମ୍ବାର ଉତ୍ତ୍ୱେଜନା ମଧ୍ୟ ପ୍ରକାଶ ପାଇଛି ।

ସୂଚନା ଅନୁସାରେ, ଗଁନ୍ଦିଆ ଥାନା ଅନ୍ତର୍ଗତ କାବେରା ନିକଟସ୍ଥ ଚବସିଆ କୋଡା ଗ୍ରାମର ପ୍ରଶାନ୍ତ ଦେହୁରୀ ତାଙ୍କ  ପତ୍ନୀ ସସ୍ମିଆ ଦେହୁରୀଙ୍କୁ ପ୍ରସୂତି ଜନିତ ଯନ୍ତ୍ରଣା ପାଇଁ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନା ଆଣିଥିଲେ । ତାଙ୍କୁ ସ୍ତ୍ରୀ ଓ ପ୍ରସୂତି ବିଭାଗରେ ଭର୍ତ୍ତି କରିଥିଲେ । ମାତ୍ର ତାଙ୍କ ଅବସ୍ଥା ଗୁରୁତର ଦର୍ଶାଇ ତାଙ୍କୁ ଡାକ୍ତର କଟକ ସ୍ଥାନାନ୍ତର କରିବାକୁ କହିଥିଲେ । କଟକ ଯିବା ପୂର୍ବରୁ ପ୍ରସୂତି ବିଭାଗ ସାମ୍ନାରେ ଶିଶୁଟି ଜନ୍ମ ହୋଇଯାଇଥିଲା । ଏପରିକି ଚିକିତ୍ସା ଅବହେଳାରୁ ନବଜାତ ଶିଶୁର ମୃତ୍ୟୁ ଘଟିଥିବା ପ୍ରସୂତି ପରିବାର ପକ୍ଷରୁ ଅଭିଯୋଗ ହୋଇଛି ।

ଯାହାକୁ ନେଇ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାରେ ଉତ୍ତ୍ୱେଜନା ପ୍ରକାଶ ପାଇଥିଲା ।  ମହିଳାଙ୍କ ପରିବାର ଓ ସମର୍ଥକମାନେ ଡାକ୍ତରଖାନା ପ୍ରସୂତି ବିଭାଗର ଡୋର କାଚ ଭାଙ୍ଗି ଦେଇଛନ୍ତି । ଖବର ପାଇ ଟାଉନ ପୁଲିସ ପହଂଚି ବୁଝା ସୁଝା ପରେ ପରିସ୍ଥିତି ଶାନ୍ତ ପଡିଛି । ଘଟଣାର ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲ୍ଲା ମୁଖ୍ୟ ଚିକିସ୍ଥାଧିକାରୀ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.