ଢେଙ୍କାନାଳ: ସ୍ୱାମୀଙ୍କୁ ହତ୍ୟା କରିବାରେ ସହଯୋଗ କରିଥିବା ସ୍ତ୍ରୀ ଗିରଫ ହେଲା, ହେଲେ ଅସଲ ହତ୍ୟାକାରୀ କୁଆଡେ ଗଲା ?

Published By : Prameya-News7 Bureau | October 05, 2018 IST

ଢେଙ୍କାନାଳ ୫/୧୦ : ଢେଙ୍କାନାଳର ସୁନା ବ୍ୟବସାୟୀ ମଣ୍ଟୁ ପାତ୍ର ହତ୍ୟାକାଣ୍ଡର ଅନ୍ୟତମ ସହଯୋଗୀ ଭାବେ ମଣ୍ଟୁ ପାତ୍ରଙ୍କ ସ୍ତ୍ରୀ ଅରୁଣା ପାତ୍ରଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି | କିନ୍ତୁ ଅରୁଣା ପାତ୍ରଙ୍କ ପ୍ରେମିକ ତଥା ମଣ୍ଟୁ ପାତ୍ରଙ୍କ ହତ୍ୟାକାରୀକୁ ପୋଲିସ ଏଯାଏ ଗିରଫ ନକରିବା ନେଇ ସନ୍ଦେହ ସୃଷ୍ଟି ହୋଇଛି | ମଣ୍ଟୁ ପାତ୍ର ହତ୍ୟାକାରୀକୁ ଖସାଇ ଦେବାକୁ ପୋଲିସ ଚାହୁଁଚି ବୋଲି ମଧ୍ୟ ଚର୍ଚ୍ଚା ହେଉଛି | ହତ୍ୟାକାଣ୍ଡ ପରେ ପରେ ହିଁ ପରକୀୟା ପ୍ରୀତିକୁ ନେଇ ହତ୍ୟାକାଣ୍ଡ ଘଟିଥିବା ପୋଲିସ ଜାଣି ପାରିଥିଲା | ଗତ ମାସକ ମଧ୍ୟରେ ପୋଲିସ ଅରୁଣା ପାତ୍ରଙ୍କୁ ବାରମ୍ବାର ଥାନାକୁ ଡାକି ପଚରାଉଚୁରା କରିଥିଲା | ଏପରିକି ଅରୁଣା ପାତ୍ରଙ୍କ ପ୍ରେମିକଙ୍କୁ ମଧ୍ୟ ଥାନାକୁ ଡାକି ପଚରାଉଚୁରା କରିଥିଲା | ଯଦି ଅରୁଣାକୁ ପୋଲିସ ଗିରଫ କରିପାରିଲା ତାହେଲେ ପ୍ରେମିକକୁ କାହିଁକି ଗିରଫ କରୁନାହିଁ | କୁହାଯାଉଛି ଅରୁଣାଙ୍କ ସମ୍ପୃକ୍ତ ପ୍ରେମିକ ଜଣେ ପ୍ରଭାବଶାଳୀ ଲୋକଙ୍କ ସମ୍ପର୍କୀୟ | ତେଣୁ ପୋଲିସ ତାଙ୍କୁ ଖସାଇଦେବାକୁ ଉଦ୍ୟମ କରୁଛି | [gallery ids="47561"] ସୂଚନାଯୋଗ୍ୟ ଯେ, ଗତ ମାସ ୩ତାରିଖରେ ଢେଙ୍କାନାଳ ସହରର ସବୁଠୁ ଜନଗହଳିପୂର୍ଣ୍ଣ ମିନବଜାର ଅଂଚଳରେ ଦିନ ଦ୍ବିପ୍ରହରରେ ଘରେ ପଶି କେହି ମଣ୍ଟୁ ପାତ୍ରଙ୍କୁ ହତ୍ୟା କରିଥିଲା | ହତ୍ୟା କଲା ବେଳେ ମଣ୍ଟୁ ପାତ୍ରଙ୍କ ସ୍ତ୍ରୀ ଘରେ ଥାଇ ମଧ୍ୟ କିଏ ହତ୍ୟା କଲା ଜାଣିପାରିଲେ ନାହିଁ ବୋଲି ପୋଲିସକୁ କହିଥିଲେ | ମଣ୍ଟୁ ପାତ୍ରଙ୍କ ବୟସ ୪୦ ବର୍ଷ | ତାଙ୍କ ସ୍ତ୍ରୀ ଅରୁଣାଙ୍କ ବୟସ ୩୨ ବର୍ଷ | ତାଙ୍କର ୧୪ ବର୍ଷ ଏବଂ ୬ ବର୍ଷ ବୟସର ଦୁଇଟି ପୁଅ ମଧ୍ୟ ଅଛନ୍ତି | ପୋଲିସ ଗତକାଲି ସାମ୍ବାଦିକ ସମ୍ମିଳନୀରେ କହିଥିଲା ଯେ, ଏହି ହତ୍ୟାକାଣ୍ଡ ପରକୀୟା ପ୍ରୀତିରୁ ହୋଇଛି | ଅରୁଣା ମଧ୍ୟାହ୍ନ ଭୋଜନରେ ମଣ୍ଟୁଙ୍କୁ କିଛି ନିଶା ଦ୍ରବ୍ୟ ଦେଇଥିଲେ | ଯେଉଁଥିରେ ମଣ୍ଟୁ ଖାଇବା ପରେ ପରେ ଅଚେତ ହୋଇପଡିଥିଲେ | ଫଳରେ ତାଙ୍କୁ ହତ୍ୟାକାରୀ ସହଜରେ ହତ୍ୟା କରିପାରିଥିଲା | ଅରୁଣାଙ୍କର ଅନ୍ୟ ପୁରୁଷ ସହିତ ସମ୍ପର୍କ ଥିବା ମୃତ ମଣ୍ଟୁଙ୍କ ପରିବାର ମଧ୍ୟ ଅଭିଯୋଗ କରିଥିଲେ | ଏପରିକି ମୃତ ମଣ୍ଟୁଙ୍କ ପରିବାର ବର୍ଗଙ୍କ ଅଭିଯୋଗ କ୍ରମେ ମହିଳା ପୋଲିସ ଅରୁଣାଙ୍କ ଶରୀରର ବିଭିନ୍ନ ଅଂଶ ଯାଞ୍ଚ କରିଥିଲା | ଶରୀରର ଗୋପନୀୟ ଅଂଚଳରେ ଅରୁଣା ଟାଟୁ କାଟି ପ୍ରେମିକର ନାମ ଲେଖିଥିବା ମଧ୍ୟ ପୋଲିସ ଜାଣିପାରିଥିଲା | ହତ୍ୟାକାରୀ କିଏ ସେ ସମ୍ପର୍କରେ ପୋଲିସ ଭଲ ଭାବରେ ଜାଣିଥିଲେ ମଧ୍ୟ ହତ୍ୟାକାରୀକୁ ଗିରଫ କରୁନଥିବା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.