ଲଗାଣ ବର୍ଷାରେ ଧସିଲା ସାମନବାଡ଼ି ରାସ୍ତା, ବିପଦ ସଂକୁଳ ଅବସ୍ଥାରେ ଯାତାୟତ

Published By : Prameya-News7 Bureau | August 20, 2022 IST

ବାଲିଗୁଡା ୨୦/୦୮: ସାରା ରାଜ୍ୟରେ ବନ୍ୟା ବିଭୀଷିକା ଲାଗି ରହିଥିବା ବେଳେ ଦାଉ ସାଧିଛି ଲଘୁଚାପ ଜନିତ ଲଗାଣ ବର୍ଷା । ଫଳରେ ଦାରିଙ୍ଗବାଡ଼ି ବ୍ଲକ ତିଲୋରୀ ପଞ୍ଚାୟତର ସାମନବାଡ଼ି ଗ୍ରାମ ନିକଟରେ ଥିବା ପୋଲର ପାର୍ଶ୍ଵ ରାସ୍ତା ଧସି ଯାଇଛି । ଯାହା ଫଳରେ ସେହି ରାସ୍ତା ଦେଇ ବସ ଚଳାଚଳ ସମ୍ପୂର୍ଣ୍ଣ ଭାବେ ଠପ୍ ହୋଇ ଯାଇଥିବା ବେଳେ ଲୋକେ ବିପଦ ସଂକୁଳ ଅବସ୍ଥାରେ ଅଟୋରେ ଯାତାୟାତ କରୁଛନ୍ତି ।

ପୋଲଟି ଧସିଯିବାରୁ ଏହି ରାସ୍ତା ଦେଇ ଦାରିଙ୍ଗବାଡ଼ିରୁ ବୁଡ଼ାଗୁଡା ଦେଇ ବାଲିଗୁଡା ଯାତାୟାତ କରି ପାରୁନାହାଁନ୍ତି । ଏହି ରାସ୍ତା ଉପରେ ଦାରିଙ୍ଗବାଡ଼ି ବ୍ଲକର ତିଲୋରୀ ସମେତ ବୁଡ଼ାଗୁଡା ଗୁମିକିଆ ସହିତ ପଡ଼ୋଶୀ କୋଟଗଡ ବ୍ଲକ ର ପକାରୀ ଓ ବାଲିଗୁଡା ବ୍ଲକର ଋତୁଙ୍ଗିଆ ପଞ୍ଚାୟତ ବାସୀ ନିର୍ଭର କରିଥାନ୍ତି l ଗତକାଲି ଠାରୁ ଅଞ୍ଚଳରେ ଲାଗିରହିଥିବା ଲଗାଣ ବର୍ଷାରେ ଆଜି ପୋଲଟି ଧସି ଯାଇଥିବା ଗ୍ରାମବାସୀ ମାନେ ପ୍ରକାଶ କରିବା ସହ ଏହି ପୋଲଟି ୧୯୮୨ ମସିହାରେ ନିର୍ମାଣ ହୋଇଥିବା କହିଛନ୍ତି ଗ୍ରାମବାସୀ ।

ଉକ୍ତ ରାସ୍ତାର ଅବସ୍ଥା ଦେଖିବାକୁ କୌଣସି ସରକାରୀ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚିନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଏନେଇ ପୁର୍ତ୍ତ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ସହିତ ଆଲୋଚନା କରିବା ପରେ ପରେ ସେ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ଉକ୍ତ ରାସ୍ତାଟି ପୂର୍ବରୁ ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ରହିଥିଲା ଏବେ ପୂର୍ତ୍ତ ବିଭାଗକୁ ହସ୍ତାନ୍ତର ହୋଇଛି । ସନ୍ଧ୍ୟା ସୁଦ୍ଧା ଧସି ଯାଇଥିବା ସ୍ଥାନଟିକୁ ଯୁଦ୍ଧ କାଳୀନ ଭିତ୍ତିରେ ମରାମତି କରିବା ସହିତ ଉକ୍ତ ପୋଲ ଦେଇ ଯାତାୟାତ ସୁବିଧା କରିବାକୁ କାର୍ଯ୍ୟ ଆରମ୍ଭ କରାଯାଇଥିବା କୁହାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.