ପଞ୍ଚଭୂତରେ ଲୀନ ହେଲେ ନେତାଜୀ ମୁଲାୟମ ସିଂହ ଯାଦବ, ଅଖିଳେଶ ଦେଲେ ମୁଖାଗ୍ନି

Published By : Prameya-News7 Bureau | October 11, 2022 IST

ଇଟାଓ୍ଵା: ପଞ୍ଚଭୂତରେ ଲୀନ ହେଲେ  ତିନି ଥରର ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟିର ସଂସ୍ଥାପକ ମୁଲାୟମ ସିଂହ ଯାଦବ। ସୈଫଇରେ ଯାଦବ ପରିବାରର କୋଠିରୁ ପ୍ରାୟ ୫୦୦ ମିଟର ଦୂର ମେଲା ଗ୍ରାଉଣ୍ଡରେ ମୁଲାୟମଙ୍କ ଅନ୍ତିମ ସଂସ୍କାର କରାଯାଇଛି। ପୁଅ ତଥା ୟୁପିର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ତାଙ୍କୁ ମୁଖାଗ୍ନି ଦେଇଛନ୍ତି। ଏହା ପୂର୍ବରୁ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତ୍ରିରଙ୍ଗାରେ ଘୋଡାଯାଇ ତାଙ୍କ ପାର୍ଥିବ ଶରୀର ଅଣା ଯାଇଥିଲା। ମନ୍ତ୍ରୋପଚାର ସହ ବୈଦିକ ରୀତିରେ ପାର୍ଥିବ ଶରୀରକୁ ସ୍ନାନ କରାଯାଇଥିଲା। ଚନ୍ଦନ କାଠରେ ଶୋଇଥିବା ଲୋହିଆଙ୍କ ଶିଷ୍ୟ ମୁଲାୟମଙ୍କ ଶେଷ ଦର୍ଶନ ପାଇଁ ସୈଫଇକୁ ଦେଢ ଲକ୍ଷରୁ ଅଧିକ ଲୋକ ପହଞ୍ଚିଥିଲେ।

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଉତ୍ତର ପ୍ରଦେଶର ଉପ ମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ଏବଂ ବିଜ୍ରେଶ ପାଠକ, ଉତ୍ତର ପ୍ରଦେଶର ମନ୍ତ୍ରୀ ଜିତିନ ପ୍ରସାଦ, ଅସୀମ ଅରୁଣ, ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍, ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆର ରାଓ, ଆନ୍ଧ୍ର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଆଦି ନେତାଜୀ ମୁଲାୟମଙ୍କୁ ଅନ୍ତିମ ବିଦାୟ ଦେଇଛନ୍ତି।

ଏହା ପୂର୍ବରୁ ମୁଲାୟମଙ୍କ ଅନ୍ତିମ ଦର୍ଶନ ପାଇଁ ଗୋଟିଏ ପଟେ ଲକ୍ଷାଧିକ ଲୋକଙ୍କ ଭିଡ ଜମି ଥିବା ବେଳେ ଅନ୍ୟପଟେ ସମଗ୍ର ଦେଶର ଭିଆଇପି ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେବାକୁ ସୈଫଇ ପହଞ୍ଚିଥିଲେ। ସକାଳୁ ହିଁ ଅନ୍ତିମ ଦର୍ଶନ ଆରମ୍ଭ ହୋଇଥିଲା, ଯାହା ଅପରାହ୍ନ ୩ଟା ଯାଏଁ ଜାରି ରହିଥିଲା। ଅନ୍ତ୍ୟେଷ୍ଟି କ୍ରିୟାର  ଠିକ୍ ପୂର୍ବରୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଏନସିପିର ଅଧ୍ୟକ୍ଷ ଶରଦ ପାଓ୍ଵାର ଏବଂ ଅଭିନେତା ଅଭିଷେକ ବଚ୍ଚନ ମୁଲାୟମ ସିଂହଙ୍କ ଅନ୍ତିମ ଦର୍ଶନ କରିଥିଲେ।

ଶ୍ରଦ୍ଧାଞ୍ଜଳି ଦେବା ପାଇଁ ମଞ୍ଚ ପର୍ଯ୍ୟନ୍ତ ପହଞ୍ଚି ପାରିନଥିବା ଲୋକଙ୍କ ଧୈର୍ଯ୍ୟଚ୍ୟୁତ୍ ଘଟିଥିଲା ଏବଂ ବାରିକେଡ୍‌ର ଉପର ଏବଂ ତଳେ ଦେଇ ଆଗକୁ ବଢିଥିଲେ। ପୋଲିସ ବ୍ୟାପକ ସୁରକ୍ଷା ବଳ ମୁତୟନ କରିଥିଲେ ହେଁ, ଭିଡ ଏତେ ମାତ୍ରାରେ ଥିଲା ଯେ, ସମ୍ଭାଳିବା ବହୁତ ମୁସ୍କିଲ ଥିଲା। ସୈଫଇକୁ ସଂଯୋଗ କରୁଥିବା ସମସ୍ତ ମାର୍ଗ ଠପ୍ ହୋଇ ଯାଇଥିଲା। ସକାଳ ୧୦ଟାରୁ ଏକ କିଲୋମିଟର ଦୂରରୁ କାରକୁ ରୋକାଯାଉଥିଲା। କିନ୍ତୁ ପରେ ଏହାର ପରିଧିକୁ ୩ କିଲୋମିଟର କରାଯାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.