ଆଗାମୀ ନିର୍ବାଚନ ଲଢିବାର ସଙ୍କେତ ଦେଲେ ଧର୍ମେନ୍ଦ୍ର ପ୍ରଧାନ, କହିଲେ- ଦଳ ସ୍ଥିର କରିବ ବିଧାନସଭା ଲଢିବି ନା ଲୋକସଭା
23/01/2023 at 5:16 PM

ଭୁବନେଶ୍ଵର: ଆଗାମୀ ୨୦୨୪ ସାଧାରଣ ନିର୍ବାଚନକୁ ନେଇ ପାଗଭିଡା ଆରମ୍ଭ ହୋଇଗଲାଣି। ଓଡିଶାରେ ଏକ ସଙ୍ଗେ ବିଧାନସଭା ଏବଂ ଲୋକସଭା ନିର୍ବାଚନ ହେବାକୁ ଯାଉଛି। ଏବେଠୁ କେଉଁ ନେତା କେଉଁ ଆସନରେ ନିର୍ବାଚନ ଲଢିବେ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି। ତେବେ ସଂପ୍ରତି ସବୁଠୁ ଅଧିକ ଚର୍ଚ୍ଚା କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ନେଇ ଚାଲିଛି। ୨୦୦୪ ପରଠୁ ଆଉ କୌଣସି ପ୍ରତ୍ୟେକ୍ଷ ନିର୍ବାଚନ ଲଢିଥିବା ନଥିବା ଧର୍ମେନ୍ଦ୍ର ପ୍ରଧାନ ଏଥର ନିର୍ବାଚନ ଲଢିବେ ବୋଲି ଜାତୀୟ ଛାପା ଗଣମାଧ୍ୟମ ଦ ନ୍ୟୁ ଇଣ୍ଡିଆନ ଏକ୍ସପ୍ରେସକୁ ଦେଇଥିବା ସ୍ଵତନ୍ତ୍ର ସାକ୍ଷାତକାରରେ ସଙ୍କେତ ଦେଇଛନ୍ତି। ଏହାକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇ ଉଠିଛି।
ଖିଣ୍ଡାରେ ବୀର ସୁରେନ୍ଦ୍ର ସାଏଙ୍କ ୨୧୫ ତମ ଜନ୍ମ ଜୟନ୍ତ୍ରୀରେ ଯୋଗ ଦେଇ ନିର୍ବାଚନ ଲଢିବ ପ୍ରସଙ୍ଗରେ ମତ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଆଗାମୀ ସାଧାରଣ ନିର୍ବାଚନରେ ଓଡିଶାରେ ନିର୍ବାଚନ ଲଢିବା ନେଇ ଜାତୀୟ ଛାପା ଗଣମାଧ୍ୟମ ଦ ନ୍ୟୁ ଇଣ୍ଡିଆନ ଏକ୍ସପ୍ରେସରେ ଛପିଥିବା ଖବର ଉପରେ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଦେଇ ଧର୍ମେନ୍ଦ୍ର ନିର୍ବାଚନ ଲଢିବାର ସମ୍ୟକ ସୂଚନା ଦେଇଛନ୍ତି। ଲୋକସଭା ନା ବିଧାନସଭା ନିର୍ବାଚନ ଲଢିବେ ସେ ନେଇ ଦଳ ନିଷ୍ପତ୍ତି ନେବ ବୋଲି କହିଛନ୍ତି। ତାଙ୍କର ଏହି ମନ୍ତବ୍ୟ ପରେ ରାଜନୀତି ସରଗରମ ହୋଇଛି।
ଏ ଖବର ପଢନ୍ତୁ- ଦକ୍ଷିଣରୁ ବାଜିବ ଚତୁର୍ଥ ମୋର୍ଚ୍ଚାର ବିଗୁଲ୍ ! ବୁଧବାର କେସିଆରଙ୍କ ରାଲିରେ ଯୋଗ ଦେବେ ଅଖିଳେଶ ଏବଂ କେଜ୍ରିଓ୍ଵାଲ
ଏହା ପୂର୍ବରୁ ଦୈନିକ ଖବର କାଗଜ ଇଣ୍ଡିଆନ୍ ଏକ୍ସପ୍ରେସର ଓଡିଶା ଚାପ୍ଟରର କାର୍ଯ୍ୟକ୍ରମରେ ଭାଗ ନେଇ ଆଗାମୀ ନିର୍ବାଚନ ଲଢିବେ ବୋଲି ସଙ୍କେତ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏଥିପାଇଁ ଦଳକୁ ଅନୁରୋଧ କରିଥିବା ମନ୍ତ୍ରୀ କହିଛନ୍ତି। ତେବେ ସେ ବିଧାନସଭା ନା ଲୋକସଭା ନିର୍ବାଚନ ଲଢ଼ିବେ ସେ ନେଇ ପ୍ରଶ୍ନକୁ ଏଡାଇ ଦେଇଛନ୍ତି । ଏଥିସହ ଆଗାମୀ ନିର୍ବାଚନରେ ବିଜେପି କାହାକୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିବ ଏହି ପ୍ରଶ୍ନର ଉତ୍ତର ଦେଇ ଧର୍ମେନ୍ଦ୍ର କହିଛନ୍ତି, ଏଥିପାଇଁ ଦଳରେ ଅନେକ ଯୋଗ୍ୟ ଲୋକ ଅଛନ୍ତି । ତେଣୁ ଏବେଠୁ କହିବାର କିଛି ଆବଶ୍ୟକତା ନାହିଁ।
ଏ ଖବର ପଢନ୍ତୁ- ବଢିଲା ଜେ.ପି ନଡ୍ଡାଙ୍କ କାର୍ଯ୍ୟକାଳ, ୨୦୨୪ ଜୁନ ଯାଏ ରହିବେ ବିଜେପି ଅଧ୍ୟକ୍ଷ
ସୂଚନାଯୋଗ୍ୟ, ଧର୍ମେନ୍ଦ୍ର ପ୍ରଧାନ ଶେଷ ଥର ୨୦୦୪ ଲୋକସଭା ନିର୍ବାଚନ ଦେବଗଡ ସଂସଦୀୟ କ୍ଷେତ୍ରରୁ ଲଢି ବିଜୟୀ ହୋଇଥିଲେ। ଏହା ପରଠୁ ସେ ପ୍ରତ୍ୟେକ୍ଷ ନିର୍ବାଚନ ଲଢି ନାହାନ୍ତି। ବିଭିନ୍ନ ବିଜେପିଶାସିତ ରାଜ୍ୟରୁ ସେ ଏ ପର୍ଯ୍ୟନ୍ତ ସଂସଦର ଉଚ୍ଚସଦନ ରାଜ୍ୟସଭାକୁ ମନୋନୀତ ହୋଇ ଆସିଛନ୍ତି। କେନ୍ଦ୍ରରେ ନରେନ୍ଦ୍ର ମୋଦୀ ସରକାର ଆସିବା ପରେ ଧର୍ମେନ୍ଦ୍ର ପ୍ରଧାନ ଗୁରୁତ୍ଵପୂର୍ଣ୍ଣ ମନ୍ତ୍ରଣାଳୟ ସମ୍ଭାଳି ଆସିଛନ୍ତି।
ଆଗାମୀ ନିର୍ବାଚନରେ ଯଦି ସେ ଲୋକସଭା ନିର୍ବାଚନ ଲଢନ୍ତି ତେବେ ସେ ସମ୍ବଲପୁର ସଂସଦୀୟ କ୍ଷେତ୍ରରୁ ପ୍ରାର୍ଥୀ ହୋଇ ପାରନ୍ତି ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ଚାଲିଛି। ଯଦି ବିଧାନସଭା ନିର୍ବାଚନ ଲଢନ୍ତି ତେବେ ଅନୁଗୁଳ କିମ୍ବା ଢେଙ୍କାନାଳରୁ ଲଢି ପାରନ୍ତି ବୋଲି କୁହାଯାଉଛି। କାରଣ ସଂପ୍ରତି ଏହି ତିନୋଟି ନିର୍ବାଚନୀ କ୍ଷେତ୍ରରେ ଧର୍ମେନ୍ଦ୍ରଙ୍କ ଗତିବିଧି ଏବଂ କାର୍ଯ୍ୟକ୍ରମ ଦେଖିବାକୁ ମିଳିଛି।