ଉପକୂଳ ଓଡିଶାର ବିକାଶରେ ବଡ ଭୂମିକା ଗ୍ରହଣ କରିବ ଦୀଘା-ଗୋପାଳପୁର ଉପକୂଳ ରାଜପଥ : ଧର୍ମେନ୍ଦ୍ର ପ୍ରଧାନ

Published By : Prameya-News7 Bureau | August 17, 2020 IST

ଭୁବନେଶ୍ବର ୧୭।୮: ଆତ୍ମନିର୍ଭର ଭାରତ ପାଇଁ ଭିତ୍ତିଭୂମିର ବିକାଶ ଏବଂ ଉତ୍ତମ ସଂଯୋଗ ସ୍ଥାପନା କରିବା ପ୍ରଧାନମନ୍ତ୍ରୀ ମୋଦିଙ୍କ ବିଶେଷ ଦୂରଦୃଷ୍ଟି ରହିଛି । ଜାତୀୟ ଭିତ୍ତିଭୂମି ପାଇପ ଲାଇନ କେବଳ ଭିତ୍ତିଭୂମି ତିଆରି କରିବାରେ ବୈପ୍ଲବିକ ପରିବର୍ତ୍ତନ କରିବ ନାହିଁ ବରଂ କୋଭିଡ-୧୯ ପ୍ରଭାବରେ ହୋଇଥିବା ଅର୍ଥନୈତିକ ମାନ୍ଦାବସ୍ଥାକୁ ମଧ୍ୟ ଦୂର କରିବ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦିଙ୍କ ଭିତ୍ତିଭୂମି ଏବଂ ଉତ୍ତମ ସଂଯୋଗ ସ୍ଥାପନା ଦିଗରେ ଓଡ଼ିଶା ଅଧିକ ଲାଭବାନ ହୋଇପାରିଛି । ସୁଦୀର୍ଘ ବେଳାଭୂମି, ଭାରତର ବୃହତ୍ତମ ବିପଣନ ବନ୍ଦର ଏବଂ ପାରାଦୀପ ସ୍ଥିତ ପେଟ୍ରୋଲିୟମ କମ୍ପଲେକ୍ସ ସହ ଓଡ଼ିଶା ନିଜର ଭୌଗଳିକ ସ୍ଥିତି କାରଣରୁ ଭିତ୍ତିଭୂମିକୁ ଅଧିକ ମଜବୁତ୍ କରିବାର ସାମର୍ଥ୍ୟ ରଖିଛି ।

ମୋଦି ସରକାରଙ୍କ ଉଚ୍ଚାକାଂକ୍ଷୀ ୪୫୧ କି.ମି. ଲମ୍ବ ଦୀଘା-ଗୋପାଳପୁର ଉପକୂଳ ରାଜପଥ ଉପକୂଳ ଓଡ଼ିଶାକୁ ପରିବର୍ତ୍ତନ କରିବାରେ ବଡ଼ ଭୂମିକା ଗ୍ରହଣ କରିବ । ସ୍ଥାନୀୟ ଅଞ୍ଚଳର ପରିବେଶକୁ ସୁରକ୍ଷା ଯୋଗାଇବା ସହ ଉପକୂଳବର୍ତ୍ତୀ ଅଞ୍ଚଳ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବ ଓ ଭାରତର ଅନ୍ୟତମ ପର୍ଯ୍ୟଟନସ୍ଥଳୀ ଭାବରେ ଉଭା ହେବ ବୋଲି ଧର୍ମେନ୍ଦ୍ର କହିଛନ୍ତି ।

ଦୀଘା-ଗୋପାଳପୁର ଉପକୂଳ ରାଜପଥ ପାରାଦୀପ ଏବଂ ଧାମରା ବନ୍ଦରକୁ କୃଷି ଏବଂ ମତ୍ସ୍ୟଜାତ ସାମଗ୍ରୀ ପରିବହନ କରିବାରେ ଅର୍ଥନୈତିକ କୋରିଡ଼ର ଭାବେ କାର୍ଯ୍ୟ କରିବ । ଏହାସହ ପ୍ରାକୃତିକ ବିପର୍ଯ୍ୟୟ ତଥା ବାତ୍ୟା ଓ ବନ୍ୟା ସମୟରେ ପରିବହନ ଓ ଯୋଗାଣରେ ପ୍ରମୁଖ ଭୂମିକା ଗ୍ରହଣ କରିବ ।

ଉପକୂଳ ଅଞ୍ଚଳରେ ଏନସିସିର ସଂପ୍ରସାରଣ ସ୍ଥାନୀୟ ଯୁବକଙ୍କ ପାଇଁ ନୂଆ ସୁଯୋଗ ସୃଷ୍ଟି କରିବ ଏବଂ ବିପର୍ଯ୍ୟୟ ପରିଚାଳନାକୁ ମଜବୁତ୍ କରିବାରେ ସହାୟକ ହେବ । ଭିତ୍ତିଭୂମି ବିକାଶ କ୍ଷେତ୍ରରେ ଓଡ଼ିଶାକୁ ମିଳୁଥିବା ବଳରେ ଆତ୍ମନିର୍ଭର ଭାରତ ନିର୍ମାଣରେ ଅଧିକ ଯୋଗଦାନ ରହିବ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।

wp:html /wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.