ଖୋର୍ଦ୍ଧା ୧୧।୬: ଭୁବନେଶ୍ବର IITର ଅରଗୁଳ କ୍ୟାମ୍ପସରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଅରଗୁଳ କ୍ୟାମ୍ପସରେ ଅସ୍ଥାୟୀ କେନ୍ଦ୍ରୀୟ ବିଦ୍ୟାଳୟର କ୍ୟାମ୍ପସକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉଦଘାଟନ କରିଛନ୍ତି । ଏହାସହ କେନ୍ଦ୍ର ଶିକ୍ଷାମନ୍ତ୍ରୀ କେନ୍ଦ୍ରୀୟ ବିଦ୍ୟାଳୟର ସ୍ଥାୟୀ କ୍ୟାମ୍ପସର ଭୂମି ପୂଜା କରିଛନ୍ତି ।
କେନ୍ଦ୍ରୀୟ ବିଦ୍ୟାଳୟରେ ବାଲ ବାଟିକା ଶ୍ରେଣୀରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ପଢି ପାରିବେ । ଏଥିରେ ୩୦ଟି ସେକ୍ସନରେ ୧୨ ଶହ ଛାତ୍ରଛାତ୍ରୀ ପାଠ ପଢିବାର ସୁଯୋଗ ପାଇବେ । ବିଶେଷ କରି IIT ଏବଂ NISERର କର୍ମଚାରୀମାନଙ୍କ ପିଲାମାନେ ଏହି କେନ୍ଦ୍ରୀୟ ବିଦ୍ୟାଳୟରେ ପାଠ ପଢିବାର ସୁବିଧା ପାଇବେ । ଖୋର୍ଦ୍ଧା ଜିଲ୍ଲାରେ ଏହି କେନ୍ଦ୍ରୀୟ ବିଦ୍ୟାଳୟକୁ ମିଶାଇ ମୋଟ୍ ୯ଟି ବିଦ୍ୟାଳୟର ରହିଛି । ଏହି ବିଦ୍ୟାଳୟ ନିର୍ମାଣ ପାଇଁ ମୋଟ୍ ୨୫ କୋଟି ଟଙ୍କା କେନ୍ଦ୍ର ସରକାର ଖର୍ଚ୍ଚ କରିବେ । ବର୍ତ୍ତମାନ କେନ୍ଦ୍ରୀୟ ବିଦ୍ୟାଳୟର ସ୍ଥାୟୀ କ୍ୟାମ୍ପସ୍ IIT ଅରଗୁଳ କ୍ୟାମ୍ପସ୍ରେ ଚାଲିବ । ପରବର୍ତ୍ତୀ ପର୍ଯ୍ୟାୟରେ ସ୍ଥାୟୀ କ୍ୟାମ୍ପସ୍ ନିର୍ମାଣ ହେଲେ ସେଠାକୁ ସ୍ଥାନାନ୍ତର କରାଯିବ । କେନ୍ଦ୍ରୀୟ ବିଦ୍ୟାଳୟ ନିର୍ମାଣ ପାଇଁ ୧୦ ଏକର ଜାଗା IIT ଯୋଗାଇଦେଇଛି ।
ଏହି ଅବସରରେ କ୍ୟାମ୍ପସରେ ଏକ ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଏହାସହ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ, ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ, ଖୋର୍ଦ୍ଧା ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର, ଆଇଆଇଟି ଡାଇରେକ୍ଟର ଭି.କେ. ତିୱାରୀ ପ୍ରମୁଖ ଉପସ୍ଥିତ ଥିଲେ ।