ଅଶ୍ବିନୀ ବୈଷ୍ଣବଙ୍କ ପ୍ରାର୍ଥୀତ୍ବକୁ ବିଜେଡି ସମର୍ଥନ କରିବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

Published By : Prameya-News7 Bureau | June 23, 2019 IST

ଭୁବନେଶ୍ବର ୨୩/୬: ବିଜେପିର ରାଜ୍ୟସଭା ପ୍ରାର୍ଥୀ ଅଶ୍ବିନୀ ବୈଷ୍ଣବଙ୍କ ପ୍ରାର୍ଥୀତ୍ବକୁ ବିଜେଡି ସମର୍ଥନ କରିବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହା ପଛରେ କୌଣସି ବାଧ୍ୟବାଧକତା ଥିବା ମତେ ଲାଗୁନି ବୋଲି ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ଅଘୋଷିତ ମେଣ୍ଟ, ଗୁପ୍ତ ବୁଝାମଣା ଏସବୁ ଆକଳନ ନିରର୍ଥକ ବୋଲି ସେ କହିଛନ୍ତି।

ଓଡ଼ିଶାର ସ୍ବାର୍ଥ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅଶ୍ବିନୀ ବୈଷ୍ଣବଙ୍କ ଲାଗି ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀ ସମର୍ଥନ ମାଗିଥିଲେ । ସବୁକଥାରେ ରାଜନୀତି ଖୋଜିବା ଠିକ୍  ନୁହେଁ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। 


ବିଜେପିର ରାଜ୍ୟସଭା ପ୍ରାର୍ଥୀ ଅଶ୍ବିନୀ ବୈଷ୍ଣବଙ୍କୁ ବିଜେଡିର ସମର୍ଥନ ନେଇ ଉଠୁଛି ପଡୁଛି ରାଜ୍ୟ ରାଜନୀତି । ଏଭଳି ଏକ ନିଷ୍ପତ୍ତିକୁ ବିରୋଧୀ କଂଗ୍ରେସ ତ ଦୂରର କଥା ଖୋଦ୍ ବିଜେପି ଓ ବିଜେଡିର ବହୁ ନେତା ହଜମ କରିପାରୁ ନାହାଁନ୍ତି । ନବୀନ- ମୋଦିଙ୍କ ଭିତରେ କଣ ଏଭଳି ଡିଲ୍ ହେଲା ଯେ ରାତାରାତି ଦୁଇ ଦଳ ଭିତରେ ସମୀକରଣ ବଦଳିଗଲା ବୋଲି ବିଜେପି-ବିଜେଡି ନେତା ଓ କର୍ମୀଙ୍କ ମହଲରେ ଟୁପୁରୁ ଟାପୁର । ନିର୍ବାଚନ ପୂର୍ବରୁ ଦଇ ଦଳର ନେତା ପରସ୍ପରକୁ ଟାର୍ଗେଟ୍ କରିଥିବା ବେଳେ ନିର୍ବାଚନ ପରେ କାହିଁକି ଏକାଠି ହେଲେ ଏବଂ ଏହାପଛର ପ୍ରମୁଖ କାରଣ କଣ ତାର ତର୍ଜମା ବି ଆରମ୍ଭ ହେଲାଣି ।

ବିଜେଡି ପାଓାରଫୁଲ କୋଟେରିର ଯୁକ୍ତି ଯେ ରାଜ୍ୟର ବିକାଶ ପାଇଁ କେନ୍ଦ୍ରକୁ ସହଯୋଗର ହାତ ବଢାଇଛି ବିଜେଡି । କଂଗ୍ରେସ କିନ୍ତୁ ବିଜେଡିର ଏଭଳି ଯୁକ୍ତିକୁ ଗ୍ରହଣ କରିବା ମୁଡ୍ ରେ ନାହିଁ । ଓଡିଶାର ଆଞ୍ଚଳିକ ଦଳ ହିସାବରେ ବିଜେଡି ପାଖରେ ରାଜ୍ୟସଭା ପ୍ରାର୍ଥୀଙ୍କୁ ଜିତାଇବାରେ ସଂଖ୍ୟାର ଅଭାବ ନଥିବା ବେଳେ ଜଣେ ବାହାର ରାଜ୍ୟର ଲୋକଙ୍କୁ ରାଜ୍ୟସଭା ପଠାଇବା ପଛରେ ବାଧ୍ୟବାଧକତା କଣ ବୋଲି ପ୍ରଶ୍ନ କରିଛି କଂଗ୍ରେସ । ସେପଟେ ବିଜେପି କହିଛି ଅଶ୍ବିନୀ ବୈଷ୍ଣବଙ୍କୁ ରାଜ୍ୟସଭା ପଠାଇବା ପଛରେ ରାଜ୍ୟର ଦୃତ ବିକାଶ କାରଣ ରହିଛି ।         

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.