ଅଙ୍ଗନଓ୍ବାଡୀ କର୍ମୀଙ୍କୁ ୧୦ହଜାର ଦିଅ- ଧର୍ମେନ୍ଦ୍ର ପ୍ରଧାନ

Published By : Prameya-News7 Bureau | January 14, 2019 IST

ଭୁବନେଶ୍ବର ୧୪|୧: ଅଙ୍ଗନଓ୍ବାଡୀ କର୍ମୀଙ୍କ ପାରିଶ୍ରମିକ ବୃଦ୍ଧି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଟ୍ବିଟ୍ କରି ପ୍ରତିକ୍ରିୟା ରଖିଲେ ଧର୍ମେନ୍ଦ୍ର ପ୍ରଧାନ ।  ଅଙ୍ଗନଓ୍ବାଡୀ କର୍ମୀଙ୍କ ପାରିଶ୍ରମିକ କେନ୍ଦ୍ର ସରକାର ୨୦୧୮ ମସିହା ସେପ୍ଟେମ୍ବର ମାସରେ ୧୫୦୦ ଟଙ୍କା ବୃଦ୍ଧି କରିଥିଲେ । ଏହାକୁ ଅକ୍ଟୋବର ୨୦୧୮ ମସିହାରୁ କାର୍ଯ୍ୟକାରୀ କରିବା ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ । ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କର ଏହି ପୁରୁଣା ନୀତିଗତ ନିର୍ଣ୍ଣୟ ଓ ଘୋଷଣାକୁ ଦୀର୍ଘଦିନ ଧରି କାର୍ଯ୍ୟକାରୀ ନକରି ପକାଇ ରଖିଥିଲେ । ଏବେ ନିର୍ବାଚନର ଅବ୍ୟବହିତ ପୂର୍ବରୁ କେନ୍ଦ୍ର ସରକାରଙ୍କ ଦ୍ବାରା ବର୍ଦ୍ଧିତ ପାରିଶ୍ରମିକକୁ ରାଜ୍ୟ ସରକାର ବୃଦ୍ଧି କରିଥିବା ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ ବାହାବା ନେବାପାଇଁ ଅପଚେଷ୍ଟା କରୁଛନ୍ତି । ପରଘର ତିଅଣରେ ଅତିଥି ସତ୍କାର କରିବାରେ ଓଡିଶାର ମୁଖ୍ୟମନ୍ତ୍ରୀ ସିଦ୍ଧ ହସ୍ତ ।

ଓଡିଶାର ଅଙ୍ଗନଓ୍ବାଡୀ କର୍ମୀମାନଙ୍କୁ ରାଜ୍ୟ ସରକାର ବିଭିନ୍ନ କାର୍ଯ୍ୟକ୍ରମ ନିୟୋଜନ କରୁଛନ୍ତି । ସେମାନଙ୍କ କାମଠାରୁ ଅଧିକ କାମରେ ନିୟୋଜନ କରି ଆସୁଛନ୍ତି । ରାଜ୍ୟ ସରକାର ଅଙ୍ଗନବାଡି ଭଉଣୀ ମାନଙ୍କୁ ପିଠା, କାଳିଆ ଯୋଜନା ଆଦି କାର୍ଯ୍ୟକ୍ରମରେ ଲଗାଇଛନ୍ତି । ଏହି ଅଧିକ କାମ ପାଇଁ ରାଜ୍ୟ ସରକାରଙ୍କଠାରୁ ଅଧିକ ଆର୍ଥିକ ରାଶି ପାଇବା ଅଙ୍ଗନଓ୍ବାଡୀ କର୍ମୀମାନଙ୍କର ଅଧିକାର । ବିଭିନ୍ନ ରାଜ୍ୟ ସେମାନଙ୍କ ନିଜସ୍ବ ବଜେଟରୁ ଅଧିକା କାମ ପାଇଁ ଅଧିକା ଅର୍ଥ ଯୋଗାଇ ଦେଉଛନ୍ତି । ହରିୟାଣାରେ ଅଙ୍ଗନଓ୍ବାଡୀ  କର୍ମୀମାନଙ୍କର ମାସିକ ପାରିଶ୍ରମିକ ୧୩ ହଜାର ଟଙ୍କା । ୧୩ ହଜାର ଟଙ୍କା ନହେଉ, ୧୦ ହଜାର ଟଙ୍କାକୁ ରାଜ୍ୟ ସରକାର ବୃଦ୍ଧି କରନ୍ତୁ । ରାଜ୍ୟରେ କୁପୋଷଣ ଏକ ବଡ ସମସ୍ୟା । ସାଧାରଣ ଗରିବ ଘରର ପିଲାଙ୍କୁ ସୁପୋଷଣ ଯୋଗାଇ ଦେବା ଅଙ୍ଗନବାଡି ଭଉଣୀ ମାନଙ୍କର ମୂଳ କାମ । ଗୋଟିଏ ପଟେ ରାଜ୍ୟରେ ଛତୁଆ, ମଧ୍ୟାହ୍ନଭୋଜନ ଓ ଡାଲିରେ ବଡ ଦୁର୍ନୀତି ଓ ବିଜେଡି ନେତା ଓ କର୍ମୀଙ୍କ ପିସି ପାଇଁ ବାଟ ଖୋଲାଯାଇଛି । ମାତ୍ର ଅଙ୍ଗନଓ୍ବାଡୀ କର୍ମୀମାନଙ୍କୁ ସେମାନଙ୍କର ଉଚିତ୍ ପ୍ରାପ୍ୟରୁ ବଞ୍ଚିତ କରାଯାଉଛି ।

ରାଜ୍ୟ ସରକାର ଅଙ୍ଗନଓ୍ବାଡୀ କର୍ମୀମାନଙ୍କୁ କେନ୍ଦ୍ର ସରକାରଙ୍କ ଘୋଷଣା ଛଡା ୧ ଟଙ୍କା ବି ଅଧିକ ଦେଇନାହାନ୍ତି । ଅବସର ପରେ ୨୦ ହଜାର ଟଙ୍କାର ଅବସରକାଳୀନ ସହାୟତା ପାଇଁ ଘୋଷଣା କରିଛନ୍ତି । ମହାରାଷ୍ଟ୍ର ଭଳି ବିଜେପି ଶାସିତ ରାଜ୍ୟରେ ଅଙ୍ଗନଓ୍ବାଡୀ କର୍ମୀମାନଙ୍କ ପାଇଁ ଅବସରକାଳୀନ ସହାୟତା ୧ ଲକ୍ଷ ଟଙ୍କାରେ ପହଁଚିଲାଣି । ଗତ ସେପ୍ଟେମ୍ବର ୨୨ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଳଚେର ଓ ଝାରସୁଗୁଡା ଗସ୍ତରେ ଆସିଥିଲେ । ଏହି ଦୁଇଟି ସ୍ଥାନରେ ଅଙ୍ଗନଓ୍ବାଡୀ କର୍ମୀମାନେ ସେମାନଙ୍କର ପାରିଶ୍ରମିକ କେନ୍ଦ୍ର ସରକାର ବଢାଇଥିବା କାରଣରୁ ପ୍ରଧାନମନ୍ତ୍ରୀଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦେଇଥିଲେ । ରାଜ୍ୟରେ ଏକ ରାଧୁଆ ମିଛୁଆ ସରକାର ଚାଲିଛି । କେନ୍ଦ୍ର ସରକାରଙ୍କ ଘୋଷଣାକୁ ନିଜ ନାଁରେ କରି ମିଛ ବାହାବାର ନାଟକ କରୁଛନ୍ତି ରାଜ୍ୟ ସରକାର । ସାଧାରଣ ଓଡିଆ ଲୋକ ଆଜି ଜବାବ ମାଗୁଛନ୍ତି ।

wp:core-embed/twitter {"url":"https://twitter.com/dpradhanbjp/status/1084718527645343744","type":"rich","providerNameSlug":"twitter","className":""}
https://twitter.com/dpradhanbjp/status/1084718527645343744
/wp:core-embed/twitter

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.