ଭୁବନେଶ୍ଵର: ରାଜ୍ୟର ସମସ୍ତ ନିର୍ବାଚନ ମଣ୍ଡଳୀ ମଧ୍ୟରୁ ଦୃଷ୍ଟି କେନ୍ଦ୍ରୀଭୂତ ହୋଇଛି ସମ୍ବଲପୁର ଲୋକସଭା ନିର୍ବାଚନ ମଣ୍ଡଳୀରେ। ସେଠାରେ ହେଉଛି ମହାଲଢ଼େଇ । ମୁହାଁମୁହିଁ ହୋଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ। ଆଜି ଧର୍ମେନ୍ଦ୍ର ଆଠମଲ୍ଲିକରେ ପ୍ରଚାର କରିଥିବା ବେଳେ ପ୍ରଣବ ଦେବଗଡ଼ରେ କରିଥିଲେ ଶକ୍ତି ପ୍ରଦର୍ଶନ। ଉଭୟ ପ୍ରାର୍ଥୀ ସାଙ୍ଗରେ ନିଜର ଦଳର ବିଧାୟକ ପ୍ରାର୍ଥୀଙ୍କୁ ସାଙ୍ଗରେ ନେଇ ମଇଦାନକୁ ଓହ୍ଲାଇଛନ୍ତି।
Also read: ରାଜ୍ୟ ସରକାରଙ୍କ ବିରୋଧରେ ବିଜେପିର ଚାର୍ଜସିଟ୍, ଉନ୍ମୋଚନ କଲେ କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବ
ଧୋତି ବେଶରେ ଧର୍ମେନ୍ଦ୍ର। ମନ୍ଦିରରେ ଦର୍ଶନ କଲେ ପଦଯାତ୍ରା କଲେ ବିଶାଳ ରୋଡ ସୋ ମାଧ୍ୟମରେ ଶକ୍ତି ପ୍ରଦର୍ଶନ କଲେ। ସମ୍ବଲପୁର ଲୋକସଭା ଆସନ ପାଇଁ ବିଜେପି ପ୍ରାର୍ଥୀ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଆଠମଲ୍ଲିକରେ ପ୍ରଚାର କରିଥିଲେ। ସାଙ୍ଗରେ ଥିଲେ ସ୍ଥାନୀୟ ବିଧାୟକ ପ୍ରାର୍ଥୀ, ସ୍ଥାନୀୟ ନେତା ଓ ଶହ ଶହ କର୍ମୀ। ବିଜେପି ନେତୃବୃନ୍ଦଙ୍କ ସହ ରୋଡ଼ ସୋରେ ସାମିଲ ହୋଇଥିଲେ କେନ୍ଦ୍ରମନ୍ତ୍ରୀ। ଯେଉଁଥିରେ ହଜାର ହଜାର ବିଜେପି କର୍ମୀ ଯୋଗ ଦେଇଥିଲେ। କିଆକଟାରୁ ବିନିକେଇ ଯାତ୍ରା ମଧ୍ୟରେ ମାଧପୁରରେ କର୍ମୀଙ୍କ ସହ କରିଥିଲେ ପଦଯାତ୍ରା। ଧୋତି କୁର୍ତ୍ତା ପିନ୍ଧି କାନ୍ଧରେ ଗାମୁଛା ପକାଇ ଏକ ନୂଆ ଅବତାରରେ ଅବତୀର୍ଣ୍ଣ ହୋଇଥିଲେ । ଦେଉଳଝରୀରେ ଦିଅଁ ଦର୍ଶନ ସାରି ଆଠମଲ୍ଲିକ NAC ଅଫିସ ସ୍ଥିତ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ । ଏଥିସହିତ ରୋଡ ସୋ ମାଧ୍ୟମରେ ଶକ୍ତି ପ୍ରଦର୍ଶନ କରିଥିଲେ। ଏହି ସମୟରେ ରାଜ୍ୟ ସରକାର କାହିଁକି ଆୟୁଷ୍ମନ ଭାରତ ଯୋଜନା ଲାଗୁ କରୁନାହାନ୍ତି ବୋଲି ଧର୍ମେନ୍ଦ୍ର ପ୍ରଶ୍ନ କରିଥିଲେ। ଖାଲି ବିକାଶ କଥା କହିଲେ ହେବନି ରାଜ୍ୟ ସରକାର ଏକ ବିକାଶନେଇ ଶ୍ବେତପତ୍ର ଆଣିବା ଲାଗି ଧର୍ମେନ୍ଦ୍ର ଆହ୍ବାନ ଦେଇଥିଲେ। .
ସମ୍ବଲପୁରରେ ବିଜେଡିର ପ୍ରାର୍ଥୀ ତଥା ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ଆଜି ଦୁଇଟି ସ୍ଥାନରେ କରିଥିଲେ ଶକ୍ତି ପ୍ରଦର୍ଶନ। କାନ୍ଧରେ ଶଙ୍ଖମାର୍କା ଉତ୍ତରୀ ଓ ଫର୍ମାଲ ପ୍ୟାଣ୍ଟ ସାର୍ଟ ପିନ୍ଧି ବବି ସାଧାରଣ ଲୋକଙ୍କ ସହିତ ମିଶିଯାଉଥିଲେ। କେତେବେଳେ ଫୁଲ ବର୍ଷା ହେଉଥିଲା ଆଉ କେତେବେଳେ ସେ ଆଗକୁ ଆସି ଜନତାଙ୍କୁ କରୁଥିଲେ ଜୁହାର। ଦେବଗଡ ଜିଲ୍ଲା ରିଆମାଳ ବ୍ଲକ ପଳଶମା ଗାଁରେ କର୍ମୀ ସମ୍ମିଳନୀରେ ଯୋଗଦେଇଥିଲେ ପ୍ରଣବ। ସାଙ୍ଗରେ ଥିଲେ ବିଧାୟକ ପ୍ରାର୍ଥୀ ଅରୁନ୍ଧତୀ ଦେବୀ। ଆଗାମୀ ସାଧାରଣ ନିର୍ବାଚନରେ ଦେବଗଡ ବାସୀ ଏକତ୍ରିତ ହୋଇ ଉଭୟ ବିଧାନସଭା ଓ ଲୋକସଭାରେ ଯୋଡ଼ି ଶଙ୍ଖକୁ ଜିତାଇବାକୁ ଆହ୍ବାନ ଦେଇଥିଲେ।
ସେହିପରି ଅନୁଗୋଳର ଛେଣ୍ଡିପଦାରେ ମଧ୍ୟ ପ୍ରଚାର କରିଥିଲେ ପ୍ରଣବ। ପ୍ରଣବଙ୍କ ସହ ଛେଣ୍ଡିପଦା ବିଧାନସଭା ପ୍ରାର୍ଥୀ ସୁଶାନ୍ତ କୁମାର ବେହେରା ଥିଲେ। ଏକ ବିରାଟ ପଟୁଆରରେ ବିଜେଡି କର୍ମୀ ପ୍ରଣବଙ୍କୁ ସ୍ବାଗତ କରିବା ସହ ସଭା ସ୍ଥଳକୁ ପାଛୋଟି ନେଇଥିଲେ। ଯେଉଁଠାରେ ପାଖାପାଖି ପାଞ୍ଚ ହଜାର ବିଜେଡି କର୍ମୀ ଉପସ୍ଥିତ ରହିଥିଲେ। ଆଉ ଏଠାରେ ମଧ୍ୟ ପ୍ରଣବ ଯୋଡ଼ି ଶଙ୍ଖର ଆହ୍ବାନ ଦେଇଥିଲେ। ପଶ୍ଚିମ ଓଡ଼ିଶାରେ ୪୦ ଡିଗ୍ରି ହିଟ୍ୱେଭ ବହୁଛି। କିନ୍ତୁ ଏହାଠାରୁ ବଳିଯାଇଛି ନିର୍ବାଚନ ପ୍ରଚାର ତାତି। ଦୁଇ ପ୍ରାର୍ଥୀ ଭୋଟରଙ୍କ ମନକୁ ଛୁଇଁବା ପାଇଁ ଦିନରାତି ଏକ କରିଦେଇଛନ୍ତି।