ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ବଲିଉଡ୍‌ ଅଭିନେତା ଧର୍ମେନ୍ଦ୍ର; ଆଶୁ  ଆରୋଗ୍ୟ କାମନା କରୁଛନ୍ତି ପ୍ରଶଂସକ

Published By : Prameya-News7 Bureau | May 01, 2022 IST

ମୁମ୍ୱାଇ ୦୧/୦୫ : ବଲିଉଡ୍‌ର ଜଣାଶୁଣା ବର୍ଷୀୟାନ ଅଭିନେତା ଧର୍ମେନ୍ଦ୍ର ସିଂହ ଦେଓଲଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଏକ ବଡ଼ ଅପ୍‌ଡେଟ୍‌ ସାମ୍ନାକୁ ଆସିଛି। ଧର୍ମେନ୍ଦ୍ରଙ୍କୁ ଚାରି ଦିନ ପୂର୍ବରୁ ଡାକ୍ତରଖାନାରେ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଏବେ ତାଙ୍କୁ ଆଇସିୟୁରୁ ବାହାରକୁ ଅଣା ଯାଇଛି। ଧର୍ମେନ୍ଦ୍ର ଏବେ ଦକ୍ଷିଣ ମୁମ୍ୱାଇର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ସେଠାରେ ତାଙ୍କୁ ତାଙ୍କ ପୁଅ ତଥା ଅଭିନେତା ସନ୍ନୀ ଦେଓଲ ଭେଟିବା ପାଇଁ ପହଞ୍ଚିଛନ୍ତି ଓ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଛନ୍ତି। ଧର୍ମେନ୍ଦ୍ରଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଖବର ସାମ୍ନାକୁ ଆସିବା ପରେ ଧର୍ମେନ୍ଦ୍ରଙ୍କ ପ୍ରଶଂସକମାନେ ଚିନ୍ତିତ ରହିବା ସହ ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି।  

‘ଟାଇମ୍ସ ଅଫ ଇଣ୍ଡିଆ’ର ରିପୋର୍ଟ ଅନୁସାରେ ଧର୍ମେନ୍ଦ୍ର ଚାରିଦିନ ପୂର୍ବରୁ ମୁମ୍ୱାଇର ଏକ ଘରୋଇ ଡାକ୍ତରଖାନାରେ ଆଇସିୟୁରେ ଭର୍ତ୍ତି ହୋଇଥିଲେ। କିନ୍ତୁ ଗତ ରବିବାର ତାଙ୍କୁ ଆଇସିୟୁରୁ ବାହାରକୁ ଅଣାଯାଇଛି । ସେହିପରି ରିପୋର୍ଟ ଅନୁସାରେ ଧର୍ମେନ୍ଦ୍ରଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଆସିଛି। ସେ ଏବେ ଡାକ୍ତରଙ୍କ ଦେଖାରଖାରେ ଆଉ କିଛି ଦିନ ଡାକ୍ତରଖାନାରେ ରହିବେ ଓ ଏହାପରେ ତାଙ୍କୁ ତାକ୍ତରଖାନାରୁ ଡିସ୍‌ଚାର୍ଜ କରାଯିବ।    

ସୂଚନାଥାଉକି, ୮୬ ବର୍ଷ ବୟସରେ ମଧ୍ୟ ଗୌତମ ସକ୍ରିୟ ଅଛନ୍ତି। ସେ ଖୁବଶୀଘ୍ର ହିନ୍ଦି ଚଳଚ୍ଚିତ୍ର ‘ରକି ଔର ରାନୀକି ପ୍ରେମ କାହାନୀ’ରେ ନଜର ଆସିବେ। ଏହି ସିନେମାରେ ଧର୍ମେନ୍ଦ୍ରଙ୍କ ସହିତ ଆଲିଆ ଭଟ୍ଟ, ରଣବୀର ସିଂହ, ଜୟା ବଚ୍ଚନଙ୍କୁ ମଧ୍ୟ ଦର୍ଶକ ଦେଖିବାକୁ ପାଇବେ। ଏହି ଚଳଚ୍ଚିତ୍ର ୨୦୨୩ ଫେବୃଆରୀରେ ମୁକ୍ତିଲାଭ କରିବ। ସବୁଠାରୁ କୌତୁହଳ ପୂର୍ଣ୍ଣ କଥା ହେଉଛି ଚଳଚ୍ଚିତ୍ର ସୋଲେର ୪୮ ବର୍ଷ ପରେ ଧର୍ମେନ୍ଦ୍ର ଓ ଜୟା ବଚ୍ଚନ ଏକା ସହିତ ପରଦାରେ ନଜର ଆସିବେ। ଏହି ସିନେମା ଛଡ଼ା ଧର୍ମେନ୍ଦ୍ର ‘ଅପ୍ନେକି ସିକ୍କଲ’ ଚଳଚ୍ଚିତ୍ରରେ ନଜର ଆସିବେ। ଏଥିରେ ବବି ଦେଓଲ, ସନ୍ନୀ ଦେଓଲ ଓ କିରଣ ଦେଓଲ୍‌ ବି ଦେଖିବାକୁ ମିଳିବେ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.