ଡକାୟତି ଗ୍ୟାଙ୍ଗ ଠାବ, ମାଷ୍ଟର ମାଇଣ୍ଡ ସମେତ ୫ଗିରଫ, ସୁନାଚେନ, ବାଇକ, ମୋବାଇଲ ସହ ବିଭିନ୍ନ ସାମଗ୍ରୀ ଜବତ

Published By : Prameya-News7 Bureau | June 27, 2021 IST

ଚଣ୍ଡିଖୋଲ, ୨୭/୦୬: ଯାଜପୁର ଜିଲ୍ଲା ଧର୍ମଶାଳା ପୋଲିସକୁ ମିଳିଛି ବଡ ଧରଣର ସଫଳତା । ଏକ ଡକାୟତି ଗ୍ୟାଙ୍ଗକୁ ଠାବ କରିବାରେ ସଫଳ ହୋଇଛି ଧର୍ମଶାଳା ପୋଲିସ । ଗ୍ୟାଙ୍ଗର ମାଷ୍ଟର ମାଇଣ୍ଡ ସହ ୫ଜଣକୁ ଗିରଫ କରିବାରେ ସକ୍ଷମ ହୋଇଥିବା ବେଳେ ସେମାନଙ୍କ ନିକଟରୁ ୪ଟି ସୁନା ଚେନ, ୨ଟି ବାଇକ୍‌, ୮ଟି ମୋବାଇଲ ସହ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛି ।

ବିଶେଷ କରି ଏହି ଗ୍ୟାଙ୍ଗ ଜାତୀୟ ରାଜପଥରେ ଯାଉଥିବା ମହିଳାମାନଙ୍କୁ ଟାର୍ଗେଟ କରି ଛିନତାଇ କରିଥାନ୍ତି । ଏମାନଙ୍କ ନାମରେ ଜିଲ୍ଲା ତଥା ଜିଲ୍ଲା ବାହାରର ବିଭିନ୍ନ ଥାନାରେ ୧୦ରୁ ଅଧିକ ଛିନତାଇ ମାମଲା ରହିଥିବା ପୋଲିସ ସୂଚନା ଦେଇଛି । ଏହି ଘଟଣାର ମାଷ୍ଟରମାଇଣ୍ଡ କଟକ ସଦର ଥାନା ବ୍ରାହ୍ମଣୀଝରିଲୋ ଗ୍ରାମର କୁଦୁଶ ଖାନ୍‌କୁ ପୋଲିସ ଗିରଫ କରିବା ସହ ସଂପୃକ୍ତ ଥିବା ଅନ୍ୟ ୪ଜଣଙ୍କୁ ଗିରଫ କରିଛି । ଏମାନେ ହେଲେ ସଦର ଥାନା ଅଂଚଳର ୟୁନୁସ ଖାନ୍‌, ଜଗତସିଂହପୁର ଥାନା କେନ୍ଦଳା ଅଂଚଳର ଜ୍ଞାନ ରଂଜନ ସାହୁ, ବାଲେଶ୍ୱର ଥାନା ଖନ୍ତପଡା ଅଂଚଳର ସୁଶାନ୍ତ କୁମାର ଜେନା, ବ୍ରହ୍ମବରଦା ଅଂଚଳର ମହେଶ୍ୱର ସାହୁ । ବିଭିନ୍ନ ସ୍ଥାନରେ ଚଢାଉ କରି ଏମାନଙ୍କୁ ଗିରଫ କରିଥିବା ଧର୍ମଶାଳା ପୋଲିସ ସୂଚନା ଦେଇଛି । ଗିରଫ ପରେ ଆଜି ଏମାନଙ୍କୁ କୋର୍ଟ ଚାଲାଣ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.