ଠକି ଦେଲା ଧରମ ଭାଇ : ମନ୍ଦିରରେ ସୂତା ବାନ୍ଧି କରିଥିଲା ଭଉଣୀ, ଟଙ୍କା ଭର୍ତ୍ତି ବ୍ୟାଗ୍ ଧରି ଚମ୍ପଟ ମାରିଲା

Published By : Prameya-News7 Bureau | February 23, 2021 IST

ଭୁବନେଶ୍ୱର,୨୩/୦୨: ଧରମ ଭଉଣୀକୁ ଚକମା ଦେଖାଇଲା ଧରମ ଭାଇ । ଲୁଟି ନେଲା ୩୦ ହଜାର ଟଙ୍କା । ମନ୍ଦିରରେ ମିଠା ଖୁଆଇ ହାତରେ ସୁତୁଲି ବାନ୍ଧି ଧରମ ଭଉଣୀ କରିଥିଲା । କିନ୍ତୁ ୨ ଲକ୍ଷ ଟଙ୍କାର ଲୋଭ ଦେଖାଇ ୩୦ ହଜାର ଟଙ୍କା ନେଇ ଚମ୍ପଟ ମାରିଥିଲା ଧରମ ଭାଇ । ଶେଷରେ ପୋଲିସ ହାତରେ ଧରାପଡ଼ିଲା । ଗିରଫ ଯୁବକ ହେଲେ ବସନ୍ତ କୁମାର ସ୍ୱାଇଁ । ତାଙ୍କ ଘର ପୁରୀ ଜିଲ୍ଲା ନିମାପଡ଼ା ଥାନା ଅନ୍ତର୍ଗତ ଓଳିକଣା ବୋଲି ଜଣାପଡିଛି । ଖାରବେଳନଗର ଥାନା ପୋଲିସ ବସନ୍ତଙ୍କ ଠାରୁ ୩୦ ହଜାର ଟଙ୍କା ଓ ଏକ ସ୍କୁଟି ଜବତ କରିଛି ।

ସୂଚନା ଅନୁଯାୟୀ,ସହିଦନଗର ବିଶ୍ୱେଶ୍ୱର ବସ୍ତିରେ ରହୁଛନ୍ତି ଲଳିତା ମୁଣ୍ଡା । ବସନ୍ତ ତାଙ୍କ ମୋବାଇଲ ଫୋନ୍‌କୁ ବାରମ୍ବାର ଫୋନ୍‌ କରି ମୁଁ ତୁମର ଧରମ ଭାଇ ବୋଲି ପରିଚୟ ଦେଲା । ଏଭଳି ବାରମ୍ବାର ଫୋନ୍‌ କରି ଲଳିତାଙ୍କୁ ସେ ଫସାଇବାରେ ସକ୍ଷମ ହୋଇଥିଲା । ଲଳିତାଙ୍କର ଆର୍ଥିକ ସମସ୍ୟା ଥିଲା । ତେଣୁ ସେ ବସନ୍ତଙ୍କୁ ଜଣାଇବା ସହ ତାଙ୍କୁ ୩ ଲକ୍ଷ ଟଙ୍କା ମାଗିଥିଲେ । ବସନ୍ତ ତାଙ୍କୁ ୨ ଲକ୍ଷ ଟଙ୍କା ଦେବାର ପ୍ରତିଶ୍ରୁତି ଦେଇଥିଲେ । ବସନ୍ତଙ୍କ ଗତ ୧୦ ତାରିଖରେ ଲଳିତାଙ୍କୁ ରାମ ମନ୍ଦିରକୁ ଡ଼କାଇଥିଲେ । ସେଠାରେ ଲଳିତା ତାଙ୍କ ଭଉଣୀଙ୍କ ସହ ଦିନ ୧୧ଟାବେଳେ ପହଞ୍ଚିବା ପରେ ବସନ୍ତ ତାଙ୍କ ହାତରେ ସୂତା ବାନ୍ଧି ଧରମ ଭଉଣୀ କରିଥିଲେ । ତାଙ୍କ ଆକାଉଣ୍ଟ୍‌ ବଡ଼ଗଡ଼ରେ ଏକ ବ୍ୟାଙ୍କରେ ଥିବା କହି ଲଳିତା ଓ ତାଙ୍କ ଭଉଣୀଙ୍କୁ ସ୍କୁଟିରେ ବସାଇଥିଲେ ।

ଲଳିତାଙ୍କ ଭ୍ୟାନିଟିକୁ ନେଇ ସେ ସ୍କୁଟି ହ୍ୟାଣ୍ଡେଲରେ ଓହଳାଇଥିଲେ । ସେମାନଙ୍କୁ ନେଇ ସେ କଳ୍ପନା ଛକରେ ପହଞ୍ଚିଥିଲେ । ଏହି ସମୟରେ ଟ୍ରାଫିକ୍‌ ରେଡ୍‌ ସିଗନାଲ ଦେଇଥିଲା । ଆଗରେ ଟ୍ରାଫିକ୍‌ ଚେକିଂ ଚାଲିଛି କହି ଲଳିତା ଓ ତାଙ୍କ ଭଉଣୀଙ୍କୁ ଚାଲି ଚାଲି ରାସ୍ତା ପାର ହେବାକୁ କହିଥିଲେ । ଲଳିତା ଓ ତାଙ୍କ ଭଉଣୀ ଚାଲି ଚାଲି ଯାଉଥିଲାବେଳେ ଟ୍ରାଫିକ୍‌ ଗ୍ରୀନ୍‌ ସିଗ୍‌ନାଲ ଦେଇଥିଲା । ଏତିକିବେଳେ ବସନ୍ତ ଭ୍ୟାନିଟି ବ୍ୟାଗ୍‌ ସହ ଦ୍ରୁତଗତିରେ ସେଠାରୁ ଚମ୍ପଟ ମାରିଥିଲା ।

ତେବେ ଭ୍ୟାନିଟିରେ ଲଳିତାଙ୍କର ୩୦ ହଜାର ଟଙ୍କା, ଏଟିଏମ୍‌ ଓ ବ୍ୟାଙ୍କ୍‌ ପାସ୍‌ବୁକ୍‌ ଥିଲା । କିଛି ସମୟ ଅପେକ୍ଷା କରିବା ପରେ ଲଳିତା ଧରମ ଭାଇ ବସନ୍ତଙ୍କ ମୋବାଇଲ ଫୋନ୍‌କୁ କଲ୍‌ କରିଥିଲେ । ହେଲେ ମୋବାଇଲ ସୁଇଚ୍‌ଅଫ୍‌ ଥିଲା । ଠକାମିର ଶିକାର ହୋଇଥିବା ଜାଣି ଲଳିତା ଏନେଇ ଖାରବେଳନଗର ଥାନାରେ ଅଭିଯୋଗ କରିଥିଲେ । ସିସିଟିଭି ଫୁଟେଜ୍‌ ଓ ବସନ୍ତଙ୍କ ମୋବାଇଲ ନମ୍ବରକୁ ଟ୍ରାକିଂ କରି ତାଙ୍କୁ ଗିରଫ କରିବା ସହ ୩୦ ହଜାର ଟଙ୍କା ଓ ଏକ ସ୍କୁଟି ଜବତ କରିଥିଲା ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.