ଧନୁଯାତ୍ରା ତୃତୀୟ ଦିନ: ଗୋପରେ ଧୁମ୍ଧାମ୍ରେ ହେଲା ନନ୍ଦୋତ୍ସବ, ବିଜୁଳି କନ୍ୟାଙ୍କ ଶୂନ୍ୟବାଣୀ
29/12/2022 at 11:39 PM

ବରଗଡ଼ ୨୯/୧୨: ବରଗଡ଼ର ବିଶ୍ବପ୍ରସିଦ୍ଧ ମୁକ୍ତାକାଶ ରଙ୍ଗମଞ୍ଚର ତୃତୀୟ ଦିନରେ ନନ୍ଦରାଜା ଓ ରାଣୀ ଶ୍ରୀକୃଷ୍ଣଙ୍କୁ ପାଇ ଆତ୍ମବିଭୋର ହୋଇ ନନ୍ଦୋତ୍ସବ ଆୟୋଜନ କରିଛନ୍ତି। ଏଥିରେ ସମସ୍ତ ପୋପପୁରବାସି ସାମିଲ ହୋଇ ଆନନ୍ଦ ଉତ୍ସାହର ସହ ନାଚି ଗାଇ କୃଷ୍ଣଙ୍କୁ ଦୋଳିରେ ଝୁଲାଇଛନ୍ତି । ଏପଟେ ମହାରାଜା କଂସ ଦେବକୀଙ୍କ ଅଷ୍ଟମ ଗର୍ଭର ସନ୍ତାନକୁ ଦର୍ପଣ ଶୀଳାରେ ପ୍ରହାର କରିବାକୁ ଯିବାବେଳେ ଶୂନ୍ୟରେ ଆର୍ବିଭାବ ହୋଇ ବିଜୁଳକନ୍ୟା ଦେଇଛନ୍ତି ଶୂନ୍ୟବାଣୀ,। ପରେ ମହାରାଜ କଂସ ଅତ୍ୟନ୍ତ ବ୍ୟସ୍ତ ବିବ୍ରତ ହୋଇପଡ଼ି ଥିବାବେଳେ କୃଷ୍ଣଙ୍କୁ ମାରିବା ପାଇଁ ଗୋପପୁରକୁ ପଠାଇଛନ୍ତି ଷଡ଼ମଲ୍ଲ ସହ ପୁତନା ରାକ୍ଷସୀଙ୍କୁ।
କୃଷ୍ଣ ଜନ୍ମପରେ ସାରା ଗୋପପୁର ହୋଇପଡ଼ିଛି ଉତ୍ସବମୁଖର। ବୃଦ୍ଧକାଳେ ପୁତ୍ରସନ୍ତାନ ଲାଭକରି ନନ୍ଦରାଜା ଓ ରାଣୀ ଖୁସୀରେ ଆତ୍ମବିଭୋର ହୋଇଛନ୍ତି। ଏହାସହ କୃଷ୍ଣଙ୍କ ଆଗମନରେ ସମସ୍ତ ଗୋପୀ ଓ ଗୋପାଳ ବେଶ ଉତ୍ସାହିତ ହୋଇଥିବା ବେଳେ ନନ୍ଦଭବନରେ ବଡ଼ ଧୁମଧାମରେ ଆୟୋଜନ କରାଯାଇଛି ନନ୍ଦୋତ୍ସବ। ନନ୍ଦରାଜାଙ୍କ ନିମନ୍ତ୍ରଣ ପାଇ ସମସ୍ତ ଗୋପି, ଗୋପାଳ ନନ୍ଦୋତ୍ସବରେ କୃଷ୍ଣଙ୍କୁ ଦୋଳିରେ ଝୁଲାଇବା ସହ ରାସନୃତ୍ୟରେ ମାତିଛନ୍ତି। କୃଷ୍ଣଙ୍କ ଦର୍ଶନ ପାଇଁ ଗୋପପୁର ବାସୀ ଆତ୍ମବିଭୋର ହୋଇ ପଡ଼ିଥିବା ବେଳେ ଧୂପ, ଦୀପ ନୈବେଦ୍ୟ ଦେଇ କୃଷ୍ଣଙ୍କୁ ପୂଜାର୍ଚ୍ଚନା କରିବା ସହ ଘଣ୍ଟ ଘଣ୍ଟା, ବାଦ୍ୟ, ସଂକୀର୍ତ୍ତନରେ ଉଛୁଳି ପଡ଼ୁଛି ଗୋପଦାଣ୍ଡ ଓ ନନ୍ଦରାଜା ଓ ଯଶୋଦାଙ୍କ କୋଳରେ ଶୋଭା ପାଉଛନ୍ତି ଶ୍ରୀକୃଷ୍ଣ। ଏହି ଅବସରରେ ଗୋପପୁରରେ ଥିବା ନନ୍ଦ ଦରବାରର ଉଦଘାଟନ ହୋଇଛି। ବରଗଡ଼ ଉପ ଜିଲ୍ଲାପାଳ ଲଲାଟ ଲୁହା ଏବଂ ଏସଡିପିଓ ଅମୃତ କୁମାର ପଣ୍ଡା ଏହାକୁ ଫିତା କାଟି ଉଦଘାଟନ କରିଛନ୍ତି ।
ଏପଟେ ମଥୁରାରେ ମହାରାଜ କଂସଙ୍କ ରାଜୁତି ଜୋରସୋରରେ ଚାଲିଛି। ପ୍ରଥମେ ଶ୍ୟାମେଶ୍ଵର ମହାଦେବଙ୍କ ଦର୍ଶନ କରିବା ପରେ ନଗର ପରିକ୍ରମା କରିଥିଲେ। ପରେ ରାଜ ଦରବାରକୁ ପହଂଚିବା ପରେ ଦେବକୀଙ୍କ ଅଷ୍ଟମ ଗର୍ଭ ସନ୍ତାନ ଜନ୍ମ ନେଇଥିବା ସୁଚନା ମିଳିଛି ମହାରାଜ କଂସଙ୍କୁ । ଏହାପରେ ମହାରାଜ କଂସ କାରାଗୃହକୁ ଯାଇ ବିଜୁଳି କନ୍ୟାକୁ ଛଡାଇ ଆଣିଛନ୍ତି ଦେବକୀଙ୍କ କୋଲରୁ। ଦେବକୀ ବସୁଦେବ ଶିଶୁକନ୍ୟାକୁ ଛାଡ଼ିଦେବାକୁ ବହୁ କାକୁତି ମିନତୀ ହୋଇଥିଲେ ମଧ୍ୟ ମାନି ନାହିଁ କଂସ ।
ଶେଷରେ ଶିଶୁକନ୍ୟାକୁ ପଥର ଶିଳାରେ କଚାଡିବା ବେଳେ କଂସର ହାତରୁ ଶିଶୁ କନ୍ୟାଟି ଅନ୍ତର୍ଧ୍ୟାନ ହୋଇଯାଉଛି ଏବଂ ଶୂନ୍ୟ ମହାକାଶରେ କହିଛନ୍ତି ଦୈଵବାଣୀ ” ରେ କଂସ ତତେ ମାରିବ ସିଏ ଗୋପରେ ବଢୁଛି ” । ଏଥିରେ ଅତ୍ୟନ୍ତ ଭୟ ଓ ବ୍ୟତିବସ୍ତ ହୋଇ ମହାରାଜ କଂସ ରାଜଦରବାରକୁ ଫେରି ଆସି ମନ୍ତ୍ରୀପରିଷଦ ବର୍ଗଙ୍କ ସହ ମନ୍ତ୍ରଣା କରିଛନ୍ତି। ଏହି ସମୟରେ ନାରଦ ପହଞ୍ଚି କଂସ ମହାରାଜଙ୍କୁ ବିଜମନ୍ତ୍ର ପ୍ରଦାନ କରିଥିବାବେଳେ କୃଷ୍ଣଙ୍କୁ ମାରିବା ପାଇଁ କଂସ ଆହ୍ବାନ କରିଛନ୍ତି ଷଡ଼ମଲ୍ଲ ବିର ସହ ପୁତୁନା ରାକ୍ଷସୀଙ୍କୁ। ପୁତନା, ତୃଣା, ବକା ସକଟା, ଷଣ୍ଡା ଆଦି ରାକ୍ଷସ ରାକ୍ଷସୀ କଂସଙ୍କ ଆଦେଶରେ କୃଷ୍ଣ ବଲରାମଙ୍କୁ ମାରିବା ପାଇଁ ବାହାରି ପଡିଛନ୍ତି ଗୋପପୁରକୁ।
ଏହି ଅବସରରେ ମହାରାଜ କଂସ ଆୟୋଜନ କରିଛନ୍ତି ରାଜ୍ୟ ତଥା ରାଜ୍ୟ ବାହାରୁ ଆସିଥିବା କଳାକାରଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ। ତେବେ ଧନୁଯାତ୍ରାର ତୃତୀୟ ଦିନରେ ରାଜ ଦରବାରକୁ ନିମନ୍ତ୍ରିତ ଅତିଥି ଭାବେ ସମ୍ବଲପୁର ରେଳ ଡିଭିଜନର ମୁଖ୍ୟ ବିନିଥ ସିଂ ଯୋଗଦେଇଥିବା ବେଳେ ବରଗଡ଼ ଧନୁଯାତ୍ରା ପାଇଁ ଏକ ସ୍ୱନ୍ତ୍ରତ୍ର ଟ୍ରେନ ଚଳାଇବାକୁ ମହାରାଜ ତାଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଅନ୍ୟତମ ଅତିଥି ଭାବେ ଓଡ଼ିଶା ସରକାରଙ୍କ ହସ୍ତତନ୍ତ ଓ ବୟନ ଶିଳ୍ପମନ୍ତ୍ରୀ ରିତା ସାହୁ ଯୋଗ ଦେବା ସହ ମଥୁରାରେ ଆୟୋଜିତ ପଲ୍ଲୀଶ୍ରୀ ମେଳାର ଉଦଘାଟନ କରିଛନ୍ତି ।
ସେପଟେ ଧନୁଯାତ୍ରାର ଚତୁର୍ଥ ଦିନରେ ଗୋପପୁରରେ ଗୋପୀ ଗୋପାଳଙ୍କ ସହ କୃଷ୍ଣ ବଳରାମଙ୍କ ଲୀଳାଖେଳା, କୃଷ୍ଣ ହାତରେ କଂସଙ୍କ ପ୍ରେରିତ ପୁତନା ରାକ୍ଷସୀଙ୍କ ସହ ଷଡମଲ୍ଲଙ୍କ ବଦ୍ଧ ହେବାର ଦୃଶ୍ୟ ଅଭିନୀତ ହେବ।