ଧନତେରସ ଏହି ଦିନ, ଜାଣନ୍ତୁ କେଉଁ ଧାତୁର ବାସନ କିଣିଲେ ମିଳିବ ଧନ୍ୱନ୍ତରୀ ଓ ମା ଲକ୍ଷ୍ମୀଙ୍କ କୃପା
29/10/2023 at 5:18 PM

ଧନତେରସ ଚଳିତବର୍ଷ ୧୦ ନଭେମ୍ବର ଶୁକ୍ରବାର ପାଳିତ ହେବ। ଧନତେରସ ପର୍ବକୁ ଭାରତରେ ଧନତ୍ରୟୋଦଶୀ ମଧ୍ୟ କୁହାଯାଏ। ଏହି ଦିନ ଲକ୍ଷ୍ମୀଙ୍କ ପୂଜା ପ୍ରଦୋଷ କାଳ ଅର୍ଥାତ ସନ୍ଧ୍ୟାରେ କରାଯାଇଥାଏ। କାର୍ତିକ ମାସ କୃଷ୍ଣପକ୍ଷ ତ୍ରୟୋଦଶୀ ତିଥିକୁ ଧନତେରସ ପର୍ବ ପାଳନ କରାଯାଏ। ଚଳିତବର୍ଷ ଧନତେରସରେ ଅନେକ ଶୁଭ ଯୋଗ ନିର୍ମିତ ହେଉଛି। ଏହି ଦିନ ଦ୍ୱାଦଶୀ ତିଥି ମଧ୍ୟ ରହୁଛି। ଦ୍ୱାଦଶୀ ତିଥିରେ ଏକାଦଶୀର ପାରଣ ମଧ୍ୟ ହୋଇଥାଏ। ଏହା ସହିତ ଏହି ଦିନ ଗୋବତ୍ସା ଦ୍ୱାଦଶୀ ମଧ୍ୟ ପାଳିତ ହେବ। ଏଥିରେ ଗୋ ମାତା ଓ ବାଛୁରୀ ପୂଜା ହୁଏ।

ତେବେ ଧନତେରସ ପର୍ବ ଉଦୟ ତିଥି ଅନୁସାରେ ୧୦ ନଭେମ୍ବର ୨୦୨୩ରେ ପାଳିତ ହେବ। ପଞ୍ଚାଙ୍ଗ ଅନୁସାରେ ଏହି ଦିନ ଅଭିଜିତ ମୁହୂର୍ତ୍ତ ୧୧ଟା ୪୩ରୁ ୧୨ଟା ୨୬ ମଧ୍ୟରେ ରହିବ। ସେହି ଅନୁସାରେ ଧନତେରସରେ କିଣାକିଣି ନିମନ୍ତେ ଶୁଭ ଯୋଗ ୧୦ ନଭେମ୍ବର ମଧ୍ୟାହ୍ନ ୨ଟା ୩୫ ମିନିଟ୍ରୁ ୧୧ ନଭେମ୍ବର ପୂର୍ବାହ୍ନ ୬ଟା ୪୦ ମିନିଟ୍ ପର୍ଯ୍ୟନ୍ତ ରହିବ। ଧନତେରସରେ ସୁନା, ରୂପା, ପିତଳ ଆଦି ଧାତୁ କ୍ରୟ କରିବା ଶୁଭ ହୋଇଥାଏ। କୁହାଯାଏ ଏହି ଦିନ କିଣାକିଣି କଲେ ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି।

ଧନତେରସ ଦିନ ତୁଳା ରାଶିରେ ସୂର୍ଯ୍ୟ ଓ ମଙ୍ଗଳଙ୍କ ଯୁତି ବ୍ୟବସାୟ ସମ୍ପର୍କିତ ଲୋକଙ୍କ ନିମନ୍ତେ ଲାଭଜନକ ସ୍ଥିତି ସୃଷ୍ଟି କରୁଛି। ଏହି ଦିନର ଉତ୍ସାହ ଓ ନୂଆ ଆଇଡିଆ ଧନଲାଭ କରାଇପାରେ। ଏହି ଦିନରେ କନ୍ୟା ରାଶିରେ ଅତ୍ୟନ୍ତ ଶୁଭ ଯୋଗ ସୃଷ୍ଟି ହେଉଛି। କନ୍ୟା ରାଶିରେ ଶୁକ୍ର ଓ ଚନ୍ଦ୍ରଙ୍କ ଯୁତି ଯୋଗୁ କଳାତ୍ମକ ଯୋଗ ନିର୍ମାଣ କରୁଛି। ସୃଜନଶୀଳ ଲୋକଙ୍କ ନିମନ୍ତେ ଭଲ ଫଳାଫଳ ଦେବ। ତେବେ ଚଳିତବର୍ଷ ଧନତେରସରେ ଆପଣ ସୁନା, ରୂପା, ପିତଳ, ତମ୍ବା, କାଂସ୍ୟ ଓ ମାଟି ନିର୍ମିତ ବାସନକୁସନ କ୍ରୟ କରିପାରନ୍ତି। ଏହି ସବୁ ଧାତୁରେ ତିଆରି ସାମଗ୍ରୀ କିଣିଲେ ବହୁତ ଶୁଭ ମନେ କରାଯାଏ। ତେବେ ଏହି ଦିନ ଭୁଲରେ ବି ଷ୍ଟିଲ ନିର୍ମିତ ସାମଗ୍ରୀ କିଣନ୍ତୁ ନାହିଁ।