ରେଳ ଧାରଣାରେ କାମ କରୁଥିବା ବେଳେ ଚାଲିଗଲା ଜୀବନ; ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ୮ ଶ୍ରମିକ ମୃତ
29/05/2023 at 2:08 PM

ଧାନବାଦ: ଝାଡ଼ଖଣ୍ଡରେ ଅଭାବନୀୟ ଘଟଣା । ରେଳ ବିଭାଗର ଉଚ୍ଚ କ୍ଷମତା ସମ୍ପନ୍ନ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ୮ଜଣଙ୍କ ମୃତ୍ୟୁ ହୋଇଛି । ଏଥିରେ ଅନେକ ଲୋକ ଗୁରୁତର ହୋଇଛନ୍ତି । ଆହତଙ୍କୁ ରେସକ୍ୟୁ ଟିମ୍ ଉଦ୍ଧାର କରୁଛି ।
ସୂଚନା ଅନୁଯାୟୀ, ଧାନବାଦ ଓ ଗୋମୋ ଷ୍ଟେସନ ମଧ୍ୟରେ ନିଶ୍ଚିତପୁର ରେଳ ଫାଟକ ନିକଟରେ ଏହି ଦୁର୍ଘଟଣା ଘଟିଛି । ଶ୍ରମିକମାନେ ଟ୍ରାକ୍ କାମ କରୁଥିବା ବେଳେ ୨୫ ହଜାର ଭୋଲ୍ଟ ହାଇଟେନସନ୍ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିଥିଲେ । ଫଳରେ ୮ଜଣ ଶ୍ରମିକ ପ୍ରାଣ ହରାଇଛନ୍ତି । ଏନେକ ଗୁରୁତର ଭାବେ ଆହତ ରହିଥିବାରୁ ମୃତ୍ୟୁ ସଂଖ୍ୟା ବଢ଼ିପାରେ ବୋଲି କୁହାଯାଉଛି ।
ରେଳ ବିଭାଗର ସୂଚନା ମୁତାବକ, ଧାନବାଦ ରେଳ ମଣ୍ଡଳର ହାଓଡା-ନୂଆଦିଲ୍ଲୀ ରୁଟରେ ଏହି ଅଭାବନୀୟ ଘଟଣା ଘଟିଛି । ଦୁର୍ଘଟଣା ପରେ ଏହି ରୁଟରେ ରେଳ ଚଳାଚଳ ପ୍ରଭାବିତ ହୋଇଛି । ଆହତଙ୍କୁ ଉଦ୍ଧାର ପାଇଁ ରେସକ୍ୟୁ ଟିମ୍ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ରେଳ ବିଭାଗର ଡାକ୍ତରୀ ଦଳ ମଧ୍ୟ ପହଞ୍ଚି ଚିକିତ୍ସା ସୁବିଧା ଯୋଗାଇ ଦେଉଛନ୍ତି ।