ଶିଶୁ ପୁତ୍ର ଉପରେ ଚଢିଗଲା ଧାନକଟା ମେସିନ, ଚାଲିଗଲା ଜୀବନ
24/12/2022 at 2:30 PM

କେନ୍ଦ୍ରାପଡା ୨୪/୧୨: ଏମିତି ବି ଆସେ ମୃତ୍ୟୁ । କେହି କିଛି ବୁଝିବା ପୂର୍ବରୁ ନିମିଷକେ ଝଡିଗଲା ଜୀବନ । କାନ୍ଦି କାନ୍ଦି ମାଆ ବାପାଙ୍କର ଆଖିରୁ ଶୁଖୁନି ଲୁହ । ଏପରି ଏକ ଅଭାବନୀୟ ଘଟଣା ଘଟିଛି କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ଅଧିନ ଖଡିଅଂଟା ଗାଁରେ ।
ଶୁକ୍ରବାର ଅପରାହ୍ନ ୪ଟା ସମୟରେ ଧାନକଟା ମେସିନ ଚଢି ଜଣେ ୮ ବର୍ଷର ବାଳକର ମୁତ୍ୟୁ ହୋଇଛି । ମୃତକ ହେଲେ ଖଡିଅଂଟା ଗ୍ରାମର ସନ୍ନାସୀ ମଳିକଙ୍କ ପୁଅ ଶିବୁ ମଳିକ । ଶିବୁ ଖଡିଅଣ୍ଟା ବିଦ୍ୟାଳୟର ତୃତୀୟ ଶ୍ରେଣୀର ଛାତ୍ର । ଏ ନେଇ ସଂପୃକ୍ତ ବାଳକଙ୍କ ବାପା ପଟ୍ଟାମୁଣ୍ଡାଇ ଆଦର୍ଶ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଖବର ପାଇ ପଟ୍ଟାମୁଣ୍ଡାଇ ପୋଲିସ ଘଟଣl ସ୍ଥଳରେ ପୋଲିସ ପହଂଚି ମେସିନକୁ ଜବତ କରିଛି । ତେବେ ମେସିନ ଚାଳକ ଏବେବି ଫେରାର ଅଛନ୍ତି ।
ସୂଚନା ଥାଉକି ଖଡିଅଂଟାର ଏକ ଚାଷଜମିରେ ମେସିନ୍ ଦ୍ଵାରା କଟା ଚାଲିଥିଲା ଧାନକଟା । ସନ୍ୟାସୀ ମଳିକ ନିଜ ବିଲରେ ଧାନ କାଟୁଥିଲେ । ତାଙ୍କୁ ଶୋଷ ହେବାରୁ ସେ ଘରକୁ ପିଇବା ପାଣି ଆଣିବା ପାଇଁ ଖବର ଦେଇଥିଲେ । ପତ୍ନୀ ପୁଅ ଶିବୁଙ୍କ ହାତରେ ପିଇବା ପାଣି ବିଲକୁ ପଠାଇଥିଲେ । ତେବେ ଶିବୁ ପାଣି ନେଇ ବାପାଙ୍କ ନିକଟକୁ ଆସୁଥିବାବେଳେ ପାଖ ବିଲରେ ଧାନ ଅମଳ କାର୍ଯ୍ୟରେ ନିୟୋଜିତ ଥିବା ଧାନକଟା ମେସିନଟି ଶିବୁଙ୍କୁ ଜୋରରେ ଧକ୍କା ଦେଇ ତାଙ୍କଲ ଉପରେ ମାଡି ଯାଇଥିଲା । ଧାନକଟା ମେସିନ ଚାଳକଙ୍କ ଅସାବଧାନତା ପାଇଁ ନିମିଷକ ମଧ୍ୟରେ ଏଭଳି ଏକ ବଡ ଦୁର୍ଘଟଣା ଘଟିଯାଇଥିଲା ବୋଲି କୁହାଯାଉଛି । ସେଠାରେ ଶିବୁ ବେହୋସ ହୋଇଯାଇଥିଲେ ।
ରକ୍ତ ଜୁଡୁବୁଡୁ ଅବସ୍ଥାରେ ତାଙ୍କୁ ସ୍ଥାନୀୟ ଲୋକେ ଶିବୁଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପଟ୍ଟାମୁଣ୍ଡାଇ ଡାକ୍ତରଖାନାକୁ ଚିକିତ୍ସା ପାଇଁ ଆଣିଥିଲେ । ହେଲେ ଶିବୁଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ କଟକ ବଡଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ମାତ୍ର ବାଟରେ ଯିବାବେଳେ ତାଙ୍କର ମୃତ୍ୟୂ ହୋଇଯାଇଥିଲା । ସେପଟେ ଘଟଣା ପରେ ଗାଁରେ ଶୋକାକୂଳ ପରିବେଶ ଖେଳିଯାଇଛି ।