ଧାମନଗର ବ୍ୟାଟେଲ୍‌, ଭୋଟର ବାଛିବେ ବିଧାୟକ : ୨୫୨ବୁଥରେ ମତଗ୍ରହଣ ବ୍ୟବସ୍ଥା

Published By : Prameya-News7 Bureau | November 03, 2022 IST

ଭଦ୍ରକ ୦୩।୧୧ : ଧାମନଗର ଭୋଟ୍ । ସକାଳ ୭ଟାରୁ ସଂଧ୍ୟା ୬ଟା ଯାଏଁ ଭୋଟ୍ ଗ୍ରହଣ । ମୋଟ ୨୫୨ବୁଥରେ ମତଗ୍ରହଣ ପାଇଁ ବ୍ୟବସ୍ଥା କରାଯାଇଛି । ସକାଳ ସାଢେ ୫ଟାରେ ବିଭିନ୍ନ ବୁଥରେ ମକ ପୋଲିଂ କରାଯାଇଛି । ଏହା ପରେ ୭ଟା ରୁ ମତଦାନ ଆରମ୍ଭ ହୋଇଛି ।

ତେବେ ଧାମନଗର ଉପନିର୍ବାଚନରେ ମୋଟ ୨ ଲକ୍ଷ ୩୮ହଜାର ୪୧୭ ଭୋଟର ସେମାନଙ୍କ ମତ ସାବ୍ୟସ୍ତ କରିବେ । ସେମାନଙ୍କ ଭିତରୁ ପୁରୁଷ ଭୋଟରଙ୍କ ସଂଖ୍ୟା ୧ଲକ୍ଷ ୨୩ହଜାର ୩୮ ଥିବା ବେଳେ ମହିଳା ଭୋଟରଙ୍କ ସଂଖ୍ୟା ୧ଲକ୍ଷ ୧୫ ହଜାର ୩୪୬ । ସେହିଭଳି ୪ହଜାର ୯ଶହ ୫୬ ଦିବ୍ୟାଙ୍ଗ ଭୋଟର ଥିବା ବେଳେ ୮୦ ବର୍ଷରୁ ଅଧିକ ବୟସର ଭୋଟରଙ୍କ ସଂଖ୍ୟା ୭ହଜାର ୨୦୬ ରହିଛି । ୩୩ ଜଣ ଥାର୍ଡ଼ ଜେଣ୍ଡର ଭୋଟର ଅଛନ୍ତି । ଧାମନଗରରେ ୧୦୦୮ ପୋଲିଂ ପାର୍ଟି ନିୟୋଜିତ ହୋଇଛନ୍ତି । ୧୨୬ ବୁଥରେ ଓ୍ବେବକାଷ୍ଟିଂ ବ୍ୟବସ୍ଥା କରାଯାଇଛି । ସେଥି ମଧ୍ୟରୁ ୧୧୦ଟି ସମ୍ବେଦନଶୀଳ ବୁଥ ରହିଛି । ୧୫ଟି ଆଦର୍ଶ ବୁଥ୍ ସହ ୫ଟି ପିଙ୍କ୍ ବୁଥ କରାଯାଇଛି ।

ଭୋଟର ପରିଚୟ ପତ୍ର ଛଡ଼ା ୧୨ଟି ଅନ୍ୟ ଡକ୍ୟୁମେଣ୍ଟସ୍ ଦେଖାଇ ଭୋଟ୍ ଦେଇପାରିବେ ଭୋଟର । ନିର୍ବାଚନ ରଣାଙ୍ଗନରେ ତିନି ପ୍ରମୁଖ ରାଜନୈତିକ ଦଳ ବିଜେପି, ବିଜେଡି, କଂଗ୍ରେସ ପ୍ରାର୍ଥୀଙ୍କ ସହ ଦୁଇ ଜଣ ସ୍ବାଧୀନ ପ୍ରାର୍ଥୀ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି। ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ, ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସ, କଂଗ୍ରେସ ପ୍ରାର୍ଥୀ ବାବା ହରେକୃଷ୍ଣ ସେଠୀ, ସ୍ବାଧୀନ ପ୍ରାର୍ଥୀ ତଥା ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ ଓ ପବିତ୍ର ମୋହନ ଦାସଙ୍କ ଭାଗ୍ୟ ଆଜି ନିର୍ଣ୍ଣୟ କରିବେ ଧାମନଗରର ଜନତା ଜନାର୍ଦ୍ଦନ। ଆସନ୍ତା ୬ ତାରିଖରେ ରେଜଲ୍ଟ ପ୍ରକାଶ ପାଇବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.