ଇଭିଏମ୍‌ରେ ସିଲ୍‌ ହେଲା ଧାମନଗର ପ୍ରାର୍ଥୀଙ୍କ ଭାଗ୍ୟ, ମୋଟ ୬୬.୬୩% ମତଦାନ, ୬ ତାରଖରେ ଗଣତି

Published By : Prameya-News7 Bureau | November 03, 2022 IST

ଭଦ୍ରକ, ୦୩/୧୧: ସରିଲା ଧାମନଗର ଉପନିର୍ବାଚନ ପାଇଁ ମତଦାନ । ଇଭିଏମରେ ସିଲ୍ ହେଲା ପ୍ରାର୍ଥୀଙ୍କ ଭାଗ୍ୟ । ବହୁ ବାଦ ବିବାଦ, ଛକାପଞ୍ଛାରେ ଧାମନଗର ବାସୀ ସେମାନଙ୍କ ବିଧାୟକ କିଏ ହେବ ତାଙ୍କ ନାଁରେ ମୋହର ମାରିଛନ୍ତି। ମୈଦାନରେ ଥିବା ୫ ପ୍ରାର୍ଥୀଙ୍କ ଭିତରୁ କାହା ମୁଣ୍ଡରେ ଭୋଟର ସୁନା କଳସ ଢାଳିଛନ୍ତି ତାହା ୬ ତାରିଖରେ ଜଣାପଡିବ । କିନ୍ତୁ  ଆଜି ଦିନ ତାମାମ ଭୋଟ ଦାନକୁ ନେଇ ଯେଭଳି ଛକାପଞ୍ଛା ଲାଗି ରହିଥିଲା ତାକୁ ନେଇ ଚାରିଆଡେ ଚର୍ଚ୍ଚା । ସକାଳ ୭ରୁ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ସକାଳ ୫ ଟା ୩୦ରେ ଆରମ୍ଭ ହୋଇଥିଲା ମକ୍‌ ପୋଲିଂ । ଏଜେଣ୍ଟଙ୍କ ଉପସ୍ଥିତିରେ ଇଭିଏମ ଖୋଲାଯାଇଥିଲା । ଏଜେଣ୍ଟମାନେ ଭୋଟ ଦେଇଥିଲେ ଓ ସମସ୍ତଙ୍କ ସମ୍ମୁଖରେ ଗଣତି ପରେ ଆରମ୍ଭ ହୋଇଥିଲା ବିଦ୍ଧିବଦ୍ଧ ମତଦାନ ।

ସକାଳୁ ସକାଳୁ ମତଦାନ କେନ୍ଦ୍ରରେ ଭିଡ଼ ଆରମ୍ଭ ହୋଇଥିଲା । ୧୫ନମ୍ବର ବୁଥ ଓ ୭୫ ନମ୍ବର ବୁଥରେ ଇଭିଏମରେ ଅସୁବିଧା କାରଣରୁ ପ୍ରାୟ ୨ ଘଣ୍ଟା ବିଳମ୍ବରେ ମତଦାନ ଆରମ୍ଭ ହୋଇଥିଲା । ବିଜେଡି ପାର୍ଥୀ ଅବନ୍ତି ଦାସ କାଁପଡା ସ୍ଥିତ ୭୮ ନମ୍ବର ବୁଥରେ ମତଦାନ କରିଥିଲେ । ପରେ ବିଭିନ୍ନ ବୁଥ ବୁଲୁଥିବା ବେଳେ ତାଙ୍କ ଗାଡିକୁ ଦେଖି ଲୋକେ ପ୍ରତିବାଦ କରିଥିଲେ । ଅବନ୍ତୀଙ୍କ ଗାଡିରେ ନିର୍ବାଚନୀ ପୋଷ୍ଟର ଲାଗିଥିବାରୁ ଏଭଳି ସ୍ଥିତି ଉପୁଜିଥିଲା । ସେହିଭଳି ସ୍ୱାଧୀନ ପାର୍ଥୀ ରାଜେନ୍ଦ୍ର ଦାସ ୭୫ ନମ୍ବର ବୁଥ କାଁପଡାରେ ମତସାବ୍ୟସ୍ଥ କରିଥିଲେ । କିନ୍ତୁ ସେହି ବୁଥରେ ଇଭିଏମରେ ତ୍ରୁଟି ପାଇଁ ଡେରିରେ ଦେଇଥିଲେ । କଂଗ୍ରେସ ପାର୍ଥି ବାବା ହରେକୃଷ ସେଠୀ ଧାମନଗର ଏନଏସି ଅଧିନ ୨୫ ନମ୍ବର ବୁଥରେ ନିଜ ଭୋଟ ଦେଇଥିଲେ । ବିଜେପି ପାର୍ଥି ସୂର୍ଯ୍ୟବଂଶୀ ସୁରଜଙ୍କ ନାଁ ଭୋଟର ତାଲିକାରେ ନଥିବାରୁ ସେ ଭୋଟଦାନ କରିନଥିଲେ । ହେଲେ ସମସ୍ତ ବୁଥ ବୁଲି ମତଦାନ କିପରି ହେଉଛି ଦେଖିଥିଲେ ।

ମତଦାନ ପାଇଁ ଭୋଟରଙ୍କ ଲମ୍ବା ଲାଇନ ଯେମିତି ଆରମ୍ଭ ହୋଇଥିଲା ପରେପରେ ବିଭିନ୍ନ ସ୍ଥାନରୁ ବୁଥ ରିଗିଙ୍ଗ ଅଭିଯୋଗ ଆସିଥିଲା । ଧାମନଗର କଟସାହି ପଞ୍ଚାୟତର ଖଳାଗଡ଼ିଆର ସ୍କୁଲର ୨୨ ଓ ୨୩ ନମ୍ବର ବୁଥ୍‌ରେ ରିଗିଂ ଅଭିଯୋଗ ଆସିଥିଲା। ଏହାକୁ ନେଇ ଘଟଣାସ୍ଥଳରେ ବିଜେଡି-ବିଜେପି କର୍ମୀ ମୁହାଁମୁହିଁ ହୋଇଥିଲେ । ଘଟଣା ସ୍ଥଳରେ ଜିଲ୍ଲାପାଳ, ପୋଲିସ ପହଞ୍ଚିବା ପରେ ଉତ୍ତେଜନା ଥମିଥିଲା। ସେହିପରି ଧାମନଗରର ଡରାଙ୍ଗ ପଞ୍ଚାୟତର ରାମେଶ୍ୱରପୁର ୧୬୯ ଓ ୧୭୦ନଂ ବୁଥରେ ଉତ୍ତେଜନା ପ୍ରକାଶ ପାଇଥିଲା। ଦୁଇ ଗୋଷ୍ଠୀ ମଧ୍ୟରେ ହାତାହାତି ହେବାରୁ ୨ଜଣ ଆହତ ହୋଇଥିଲେ।  ଉଭୟଙ୍କୁ ଧାମନଗର ଗୋଷ୍ଠୀ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଧାମନଗର ଥାନାରେ ଏନେଇ ବି ମାମଲା ରୁଜୁ ହୋଇଛି। ଧାମନଗର ଉପନିର୍ବାଚନ ବେଳେ ଖପରପଦା ସରକାରୀ ଉଚ୍ଚ ବିଦ୍ୟାଳୟର ୧୭ ଓ ୧୮ ନଂ ବୁଥରେ ଉତ୍ତେଜନା ଦେଖାଦେଇଥିଲା । ବୁଥ କ୍ୟାପଚରିଙ୍ଗ ଅଭିଯୋଗ ଆସିବା ପରେ ବିଏସଏଫ ଯବାନ ଆକ୍ସନକୁ ଆସିଥିଲେ । ଲାଠିଚାର୍ଜ ବି କରିବାକୁ ପଡିଥିଲା । ଏସବୁ ସତ୍ତ୍ୱେ ଦିନ ୫ଟା ସୁଧା ୫୮ ପ୍ରତିଶତ ମତଦାନ ହୋଇଥିବା ବେଳେ ମୋଟ ୬୬.୬୩ ପ୍ରତିଶତ ମତଦାନ ହୋଇଥିବା ସୂଚନା ଦେଇଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ ।

୨୫୨ଟି କେନ୍ଦ୍ରରେ ମତଦାନ ପାଇଁ ବ୍ୟବସ୍ଥା ହୋଇଥିଲା । ସେଥିମଧ୍ୟରୁ ୧୨୬ଟି ବୁଥରେ ୱେବ୍ କାଷ୍ଟିଂ କରାଯାଇଥିଲା । ବୁଥର ୧୦୦ ମିଟର ମଧ୍ୟରେ କେହି ବି କଥା ବାର୍ତ୍ତା କଲେ ସୁରକ୍ଷାକର୍ମୀ ତାଗିଦ୍ କରୁଥିଲେ । ନିର୍ବାଚନ ପ୍ରକ୍ରିୟାକୁ ସ୍ବଛ କରିବାପାଇଁ ୨୫ଟି ମାଇକ୍ରୋ ଅବଜରଭର ନିଯୁକ୍ତ ହୋଇଥିଲେ ।  ୬ ତାରିଖରେ ଖୋଲିବ ଇଭିଏମ ବାକ୍ସ । ଧାମନଗର ବାସୀଙ୍କ ଭାଗ୍ୟ ବିଧାତା କିଏ ହେବ ତାହା ସ୍ପଷ୍ଟ ହେବ । ହେଲେ ନିର୍ବାଚନ ଫଳାଫଳ ଉପରେ ନିର୍ଭର କରିବ ୨୦୨୪ ନିର୍ବାଚନର ରଣନୀତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.