ନକ୍ସଲ ଏନକାଉଣ୍ଟର ପରେ ଡିଜିପିଙ୍କ ମାଲକାନଗିରି ଗସ୍ତ, ଗ୍ରାଉଣ୍ଡ ଜିରୋରେ ବସି ପ୍ରସ୍ତୁତ କଲେ ନୂତନ ରଣନୀତି, ସ୍ଵାଭିମାନ ଅଞ୍ଚଳ ହେବ ମାଓମୁକ୍ତ

Published By : Prameya-News7 Bureau | December 14, 2020 IST

ମାଲକାନଗିରି ୧୪।୧୨: ନକ୍ସଲ ଏନକାଉଣ୍ଟର ପରେ ମାଲକାନଗିରି ଜିଲ୍ଲା ଗସ୍ତ କରିଛନ୍ତି ପୋଲିସ ମହା ନିର୍ଦ୍ଦେଶକ ଶ୍ରୀ ଅଭୟ । ସାଥିରେ ଥିଲେ ଗୁଇନ୍ଦା ନିର୍ଦ୍ଦେଶକ ଆର୍.କେ ଶର୍ମା ଓ ଆଇ.ଜି ଅପରେସନ ଅମିତାଭ ଠାକୁର । ବି.ଏସ.ଏଫ ବାହିନୀର ସ୍ଵତନ୍ତ୍ର ହେଲିକ୍ୟାପଟର ଯୋଗେ ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳର ହନ୍ତାଳଗୁଡା ଠାରେ ପହଞ୍ଚି ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଥିଲେ । ଏହା ପରେ ସମଗ୍ର ଲାଲ୍ ଇଲାକାକୁ ନିଜ କବଜାକୁ ନେଇଥିବା ପୋଲିସ ଜବାନଙ୍କ ସହ ଆଲୋଚନା କରି ଗ୍ରାଉଣ୍ଡ ଜିରୋରେ ବସି ନୂତନ ରଣନୀତି ପ୍ରସ୍ତୁତ କରିଥିଲେ ଡିଜିପି ।

ଗତକାଲି ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳର ସିଙ୍ଗାରାମ ଜଙ୍ଗଲରେ ଗୁଳିବିନିମୟ ବେଳେ ଟଳି ପଡିଥିଲେ ଦୁଇ  ମାଓବାଦୀ। ଆଉ ଆଜି ଅପରେସନରେ ଭାଗ ନେଇଥିବା ଜବାନଙ୍କ ମନବଳ ବୃଦ୍ଧି କରିବା ଲାଗି ସ୍ବାଭିମାନ ଅଞ୍ଚଳ ଗସ୍ତ କରିଥିଲେ ପୋଲିସ ଡିଜି ଶ୍ରୀ ଅଭୟ । କେବଳ ଗସ୍ତ କରିନଥିଲେ ଆଗାମୀ ଦିନରେ ସ୍ବାଭିମାନ ଅଞ୍ଚଳକୁ ସଂପୂର୍ଣ୍ଣ ଭାବେ ମାଓମୁକ୍ତ କରିବା ଲାଗି ନୁଆ ରଣନୀତି ମଧ୍ୟ ପ୍ରସ୍ତୁତ କରିଥିଲେ । ଗତକାଲି ଦୁଇ ଜଣ ହାଡକୋର ମାଓବାଦୀ ପ୍ରାଣ ହରାଇଥିବା ବେଳେ ଘଟଣା ସ୍ଥଳରୁ ଯବାନ ମାନେ ଦୁଇଟି ଅତ୍ୟାଧୁନିକ ବନ୍ଦୁକ ସହ ଭାରି ମାତ୍ରାରେ ବିସ୍ଫୋରକ ସାମଗ୍ରୀ ଜବତ କରିଛନ୍ତି । ଯାହା ମଧ୍ୟରେ ରହିଛି SLR ଓ INSAS ପରି ଅତ୍ୟାଧୁନିକ ବନ୍ଦୁକ ଯାହାକୁ ବଡ ନକ୍ସଲ କ୍ୟାଡର ମାନେ ବ୍ୟବହାର କରନ୍ତି । ମୃତକଙ୍କ ମଧ୍ୟରେ ଜଣେ ପୁରୁଷ ଓ ଅନ୍ୟ ଜଣେ ମହିଳା ମାଓବାଦି ରହିଛନ୍ତି । ପୁରୁଷ ମାଓବାଦି ଜଣକ ସ୍ବାଭିମାନ ଅଞ୍ଚଳର ଏ.ସି.ଏମ ମାଲା ମାଢି ବୋଲି ଜଣା ପଡିଥିବା ଥିବା ବେଳେ ମହିଳା ମାଓବାଦୀଙ୍କର ବର୍ତମାନ ସୁଦ୍ଧା ପରିଚୟ ମିଳି ନାହି । ସ୍ବାମିମାନ ଅଞ୍ଚଳକୁ ସଂପୁର୍ଣ ଭାବେ ମାଓ ମୁକ୍ତ କରାଯିବ ବୋଲି ଘୋଷଣା କରିଛନ୍ତି ପୋଲିସ ଡିଜି ଶ୍ରୀ ଅଭୟ । ଯାହାକୁ ନେଇ ଏବେ ଆକ୍ସନ ମୋଡରେ ଯବାନ ।  

ସ୍ବାଭିମାନ ଅଞ୍ଚଳକୁ ସଂପୂର୍ଣ୍ଣ ଭାବେ ମାଓମୁକ୍ତ କରିବା ଲାଗି ଅଣ୍ଟା ଭିଡିଛି ମାଲକାନଗିରି ପୋଲିସ । ହେଲେ ସ୍ବାଭିମାନ ଅଞ୍ଚଳରେ ଆନ୍ଧ୍ର କ୍ୟାଡର ମାନେ ଲିଡର ସିପ୍ କରୁଥିବା ବେଳେ ସିମାନ୍ତରେ ହିଂସା କାଣ୍ଡ ଘଟାଉଛନ୍ତି ଆଉ ଆଦିବାସି ଲୋକଙ୍କୁ ଭୟବିତ କରି ନିଜ ଆଡକୁ ରଖିବା ଲାଗି ଚେଷ୍ଟା ମଧ୍ୟ କରୁଛନ୍ତି । ପୋଲିସ ଡିଜି ଶ୍ରୀ ଅଭୟଙ୍କ ଗସ୍ତ ବେଳେ ମଧ୍ୟ ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି । ଆନ୍ଧ୍ର ଓଡିଶା ସିମାନ୍ତରେ ନକ୍ସଲ ମାନେ ପୋଲିସ ଇନଫରମର ସନ୍ଦେହରେ ଆଜି ଜଣେ ଯୁବକଙ୍କୁ ଗୁଳି କରି ହତ୍ୟା କରିଛନ୍ତି । ହତ୍ୟା ପରେ ସ୍ବାଭିମାନ ଅଞ୍ଚଳ ବାସିଙ୍କୁ ପୋଷ୍ଟର ଲଗାଇ ଧମକ ମଧ୍ୟ ଦେଇଛନ୍ତି ଲାଲ୍ ବାହିନୀ । ହେଲେ ନକ୍ସଲ ପନ୍ଥିଙ୍କୁ ହିଂସାର ରାସ୍ତା ଛାଡି ସମାଜର ମୁଖ୍ୟ ସ୍ରୋତରେ ଫେରି ଆସିବା ଲାଗି ଆହ୍ବାନ କରିଛନ୍ତି ପୋଲିସ ଡିଜି ଶ୍ରୀ ଅଭୟ ।

ଗୁରୁପ୍ରିୟା ସେତୁ ନିର୍ମାଣ ହେବା ପରେ ସ୍ବାଭିମାନ ଅଞ୍ଚଳରେ ଆଗେଇ ଚାଲିଛି ଉନ୍ନୟନ ମୁଳକ କାର୍ଯ୍ୟ ହେଲେ ଆଦିବାସିଙ୍କ ବିକାଶ ଧାରାରେ ବାଧା ସୃଷ୍ଟି କରୁଥିବା ଲାଲ୍ ବାହିନିକୁ ଚେକୁ ଦେବା ଲାଗି ଲାଲ୍ ଗଡରେ ପ୍ରସ୍ତୁତ ହୋଇ ରହିଛନ୍ତି ଜବାନ । ବର୍ତ୍ତମାନ ସୁଦ୍ଧା ସ୍ବାଭିମାନ ଅଞ୍ଚଳରେ ୮ ଟି ବି.ଏସ.ଏଫ କ୍ୟାମ୍ଫ ସ୍ଥାପନ ହୋଇଥିବା ବେଳେ ଆଗକୁ ଆହୁରି ତିନୋଟି କ୍ୟାମ୍ଫ ସ୍ଥାପନ କରିବା ଲାଗି ଘୋଷଣା କରିଛନ୍ତି ପୋଲିସ ଡିଜି ଅଭୟ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.