ବଳଙ୍ଗା ନାବାଳିକା ପୋଡ଼ି ଘଟଣାସ୍ଥଳରେ ଡିଜିପି, କହିଲେ- ତଦନ୍ତ ଚାଲିଛି, ଖୁବଶୀଘ୍ର ଅପରାଧୀଙ୍କୁ ଧରିବୁ

Published By : Prameya-News7 Bureau | July 20, 2025 IST

ଭୁବନେଶ୍ବର ୨୦।୭: ବଳଙ୍ଗାରେ ଡିଜିପି ଓ୍ବାଇ. ବି. ଖୁରାନିଆ । ଘଟଣାସ୍ଥଳକୁ ଯାଇ ତନ୍ନ ତନ୍ନ ଯାଞ୍ଚ କଲେ । ପୀଡିତାଙ୍କୁ କେଉଁବାଟ ଦେଇ ଦୁର୍ବୃତ୍ତମାନେ ନେଇଥିଲେ । ପୀଡିତା କେଉଁବାଟ ଦେଇ ଆସିଲେ । କେଉଁଠି ପ୍ରଥମେ ପହଞ୍ଚିଥିଲେ । ତାଙ୍କୁ କିଏ ଉଦ୍ଧାର କରିଥିଲେ ତାହା ପଚାରି ବୁଝିବା ସହ ସେହି ସ୍ଥାନ ସବୁ ବୁଲି ଦେଖିଥିଲେ । ଏହାପରେ ପୀଡିତାଙ୍କ ଘରକୁ ଯାଇ ପରିବାର ଲୋକଙ୍କୁ ଘଟଣା ସଂପର୍କରେ ପଚରାଉଚରା କରିଥିଲେ ଡିଜିପି । ତାଙ୍କ ସହ ଥିଲେ କେନ୍ଦ୍ରାଞ୍ଚଳ ଆଇଜି ଓ ପୁରୀ ଏସ୍‌ପି । ଡିଜିପି କହିଛନ୍ତି ତଦନ୍ତ ଜୋରଦାର ଚାଲିଛି ।ଘଟଣା ସମ୍ବେଦନଶୀଳ ଏବଂ ତଦନ୍ତ ଚାଲିଛି ଖୁବଶୀଘ୍ର ଅପରାଧୀଙ୍କୁ ଧରିବୁ ବୋଲି କହିଛନ୍ତି ଡିଜିପି । 

ସେପଟେ ଘଟଣାସ୍ଥଳରେ ପୋଲିସ ଓ ଫୋରେନସିକ୍ ଟିମ୍‌ର ୧୨ ଜଣିଆ ସଦସ୍ୟ ମଧ୍ୟ ଛାନଭିନ କରିଛନ୍ତି । ଘଟଣାସ୍ଥଳରୁ କିରାସିନି ବୋତଲ, ଦିଆସିଲି, ପୋଡ଼ା କପଡ଼ା, ସୁନା ମୁଦି, ଅଭିଯୁକ୍ତଙ୍କ ଚପଲ ଜବତ ହୋଇଛି । ଘଟଣାସ୍ଥଳରୁ ଏହି ଟିମ୍‌ ଆଉ କିଛି ପ୍ରମାଣ ମଧ୍ୟ ସଂଗ୍ରହ କରିଛି । ପୀଡିତାଙ୍କୁ ଯିଏ ଉଦ୍ଧାର କରିଥିଲେ ତାଙ୍କ ଘରେ ପହଞ୍ଚି ଫୋରେନସିକ୍‌ ଟିମ୍‌ ଓ ବଳଙ୍ଗା ଥାନା, ନିମାପଡ଼ା ଥାନା ପକ୍ଷରୁ ତଥ୍ୟ ହାସଲ କରାଯାଇଛି । ଏହାପରେ ତଦନ୍ତକାରୀ ଟିମ୍‌ ପୀଡିତାଙ୍କ ଘରକୁ ଯାଇ ପରିବାର ଲୋକଙ୍କୁ ପଚରା ଉଚରା କରିଛି । ପୀଡିତା ରହୁଥିବା ଘରେ ତାଲା ପଡିଥିବାରୁ ଘର ଖୋଲାଗଲେ ଆଉ କିଛି ତଥ୍ୟ ମିଳିପାରିବ ବୋଲି ଜଣାପଡିଛି । ପୀଡିତାଙ୍କ ବାପା ବଳଙ୍ଗା ବଜାରରେ କରିଥିବା ଗ୍ୟାରେଜ୍‌ ଖୋଲି ସେଠାରୁ କିଛି ସାମ୍ପଲ ସଂଗ୍ରହ କରିଛି । ସେହିପରି ପୀଡିତାଙ୍କ ପିଉସୀ ଓ ଦାଦାଙ୍କୁ ଏକ ଅଜଣା ସ୍ଥାନକୁ ନେଇ ପଚରା ଉଚରା କରୁଛି ପୋଲିସ । ସିସିଟିଭିରୁ ୨ଟି ସୁରାକ ମିଳିଛି । ଘଟଣାର ତଦନ୍ତ ପାଇଁ ୪ଟି ଟିମ୍ ଗଠନ କରାଯାଇଛି । ଏହି ମାମଲାରେ ୮ ଜଣଙ୍କୁ ପଚରାଉଚରା କରାଯାଇଛି । ଅପରାଧୀଙ୍କୁ ଧରିବାରେ ପୋଲିସ କୌଣସି କୋହଳ ମନୋଭାବ ରଖୁନାହିଁ ବୋଲି ପିପିଲି ଏସ୍‌ଡିପିଓ କହିଛନ୍ତି । 

ଏପଟେ ଏହି ଘଟଣାକୁ ନେଇ ତେଜିଛି ରାଜନୀତି । ଘଟଣାରେ ସଂପୃକ୍ତ ଅପରାଧୀଙ୍କୁ ଗିରଫ ଦାବିରେ ବଳଙ୍ଗା ଥାନା ଘେରିଛି ବିଜେଡି । ଘେରାଉ ବେଳେ ପୋଲିସ ଓ ବିଜେଡ଼ି କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଥିଲା । ଥାନା ସମ୍ମୁଖରେ  ବିଜେଡ଼ି କର୍ମୀ ପ୍ଲା-କାର୍ଡ ଧରି ନାରାବାଜି, ବିକ୍ଷୋଭ  ପ୍ରଦର୍ଶନ କରିଥିଲେ । ଆସନ୍ତା ୪୮ଘଣ୍ଟା ମଧ୍ୟରେ ଅଭିଯୁକ୍ତଙ୍କୁ ଗିରଫ କରାନଗଲେ ପିପିଲି ଠାରେ ଜାତୀୟ ରାଜପଥ ଅବରୋଧ କରିବାକୁ ଦଳ ପକ୍ଷରୁ କଡା ଚେତାବନୀ  ଦିଆଯାଇଛି । ସେହିଭଳି ବଳଙ୍ଗା ଥାନା ପରିସରରେ ପୁରୀ ଅତିରିକ୍ତ ଏସପିଙ୍କୁ ଭେଟି ଦାବିପତ୍ର ଦେଇଛି କଂଗ୍ରେସ । ଶୀଘ୍ର ଅପରାଧୀଙ୍କୁ  ଧରିବା ସହ ପୀଡିତଙ୍କୁ ନ୍ୟାୟ ଦାବି କରିଛି କଂଗ୍ରେସ । ସେହିପରି ଯୁବ ଛାତ୍ର କଂଗ୍ରେସ ପକ୍ଷରୁ ପୁରୀ ଏସ୍‌ପିଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ ଦାବି କରାଯାଇଛି । ଏହି ଘଟଣାରେ ବିରୋଧୀଙ୍କୁ କଡ଼ା କାଉଣ୍ଟର କରିଛନ୍ତି ମତ୍ସ୍ୟ ଏବଂ ପ୍ରାଣୀ ସମ୍ପଦ ମନ୍ତ୍ରୀ ।  କହିଛନ୍ତି ବିରୋଧୀ ଅଯଥା ରାଜନୀତି କରୁଛନ୍ତି । ଲୋକଙ୍କ ପାଖରୁ ବିରୋଧୀ ପ୍ରତ୍ୟାଖିତ ହୋଇସାରିଲେଣି । ସେମାନଙ୍କ ଶାସନ ସମୟର ଅନେକ ଉଦାହରଣ ଅଛି । କିନ୍ତୁ ବିଜେପି ଏଭଳି ଘଟଣାରେ ରାଜନୀତି କରିବାକୁ ଚାହୁଁନାହିଁ ।

You Can Read:

ଭିଜିଲାନ୍ସ ଜାଲରେ କେନ୍ଦୁଝର କେନ୍ଦୁପତ୍ର ଡିଭିଜନ୍‌ ଡିଏଫ୍ଓ, ଏକକାଳୀନ ୭ ସ୍ଥାନରେ ଚଢ଼ାଉ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.