ମିନାକ୍ଷୀଙ୍କ ଆତ୍ମାହୁତି ମାମଲାରେ ଉଚ୍ଚସ୍ତରୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଲେ ଡିଜିପି
24/02/2020 at 7:37 PM

ବ୍ରହ୍ମପୁର୨୪/୨: ବ୍ରହ୍ମପୁରର ମୀନାକ୍ଷୀ ମିଶ୍ର ଆତ୍ମାହୁତି ମାମଲାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଡିଜିପି ଅଭୟ ନିର୍ଦେଶ ଦେଇଛନ୍ତି । କେଉଁ ପରିସ୍ଥିତିରେ ସେ ଆତ୍ମାହୁତି ଦେଇଥିଲେ ସେ ନେଇ ପୁଙ୍ଖାନୁପୁଙ୍ଖ ତଦନ୍ତ ପାଇଁ ଆଇଜି ଆଧୁନିକୀକରଣ ରେଖା ଲୋହାନୀଙ୍କୁ ନିର୍ଦେଶ ଦେଇଛନ୍ତି। କ୍ରାଇମ୍ ବ୍ରାଞ୍ଚ ପକ୍ଷରୁ ଟୁଇଟ୍ କରି ଏନେଇ ସୂଚନା ଦିଆଯାଇଛି।
ପୁଅର ଗିରଫ ଦାରୀର ପ୍ରତିବାଦ କରି ନ୍ୟାୟ ମାଗିବାକୁ ଯାଇଥିବା ବେଳେ ବ୍ରହ୍ମପୁର ଜିଲ୍ଲା ପୋଲିସ ମୁଖ୍ୟାଳୟ ପରିସରରେ ଆତ୍ମାହୁତି ଉଦ୍ୟମ କରି ଡାକ୍ତରଖାନାରେ ଆଖି ବୁଜିଥିଲେ ମୀନାକ୍ଷୀ ମିଶ୍ର । ଜାନୁୟାରୀ ୨୮ ତାରିଖରେ ବ୍ରହ୍ମପୁର ବୈଦ୍ୟନାଥପୁର ଥାନା ପଣ୍ଡା କଲୋନି ନିବାସୀ ମୀନାକ୍ଷୀ ଓ ତାଙ୍କ ପୁଅଙ୍କୁ କିଛି ଦୁବୃର୍ତ୍ତ ଆକ୍ରମଣ କରିଥିଲେ। ମାମଲାରେ ବୈଦ୍ୟନାଥପୁର ଥାନା ପୋଲିସ ୪ ଅଭିଯୁକ୍ତଙ୍କ ସହ ମୀନାକ୍ଷୀଙ୍କ ପୁଅ କୃତିବାସ ଓରଫ ରାଜାଙ୍କୁ ଗିରଫ କରିଥିଲା ।
ପୁଅକୁ ମିଥ୍ୟା ମାମଲାରେ ଫସାଇ ଦିଆଯାଇଛି ବୋଲି ମୀନାକ୍ଷୀ ଅଭିଯୋଗ କରିଥିଲେ। ଏ ନେଇ ସେ ଗତ ୬ ତାରିଖରେ ବ୍ରହ୍ମପୁର ଏସପି ପିନାକ ମିଶ୍ରଙ୍କୁ ଭେଟି ନ୍ୟାୟ ମାଗିଥିଲେ । ଗତ ୧୨ତାରିଖରେ ଏସ୍.ପି.ଙ୍କୁ ସାକ୍ଷାତ କରିବାକୁ ଯାଇ ନିରାସ ହେବା ପରେ କାର୍ଯ୍ୟାଳୟ ସମ୍ମୁଖରେ ଦେହରେ କିରାସିନି ଢାଳି ଆତ୍ମାହୁତି ଉଦ୍ୟମ କରିଥିଲେ।