ସ୍ପାଇସଜେଟକୁ ଡିଜିସିଏର କାରଣ ଦର୍ଶାଅ ନୋଟିସ, ୧୮ ଦିନରେ ୮ ବିମାନ ଘଟଣା ଉପରେ ମାଗିଲା ଜବାବ
6/07/2022 at 4:32 PM

ନୂଆଦିଲ୍ଲୀ: ସ୍ପାଇସଜେଟ୍ ବିମାନରେ ଲଗାତାର ତ୍ରୁଟି ଖବର ଆସିବା ପରେ ଆକ୍ସନକୁ ଆସିଛି ବେସାମରିକ ବିମାଳ ଚଳାଚଳ ମନ୍ତ୍ରଣାଳୟ। ସ୍ପାଇସଜେଟକୁ କାରଣ ଦର୍ଶାଅ ନୋଟିସ ଜାରି କରି ଜବାବ ମାଗିଛି ମନ୍ତ୍ରଣାଳୟ । ଉଲ୍ଲେଖଯୋଗ୍ୟ ଯେ, ଗତ ୧୮ ଦିନରେ ସ୍ପାଇସଜେଟର ବିମାନରେ ୮ଟି ଯାନ୍ତ୍ରିକ ତ୍ରୁଟି ଘଟଣା ପରେ ମନ୍ତ୍ରଣାଳୟ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି। ୨୦୨୧ ସେପ୍ଟେମ୍ୱରରେ ସ୍ପାଇସଜେଟର ଅଡିଟ୍ ସମୟରେ ଅନେକ ତ୍ରୁଟି ଧରିଥିଲା ଡିଜିସିଏ। ଯନ୍ତ୍ରାଂଶ ଯୋଗାଉଥିବା ସଂସ୍ଥା ଗୁଡିକୁ ନିୟମିତ ଭାବେ ଟଙ୍କା ପୈଠ କରୁ ନଥିବା ଅଡିଟ୍ ଜଣାପଡିଥିଲା । ଏହି କାରଣରୁ ଯନ୍ତ୍ରାଂଶର ଅଭାବ ମଧ୍ୟ ରହିଛି ।
ଡିଜିସିଏର ଅନୁସାରେ ସ୍ପାଇସଜେଟ୍ ଏୟାରଲାଇନ ବିମାନ ନିୟମ, ୧୯୩୭ ଅନୁସାରେ ସୁରକ୍ଷିତ, ଦକ୍ଷ ଏବଂ ବିଶ୍ୱାସନୀୟ ବିମାନ ଯାତ୍ରା ସୁନିଶ୍ଚିତ କରିବାରେ ବିଫଳ ହୋଇଛି । ଉଲ୍ଲେଖଯୋଗ୍ୟ ଯେ, ମଙ୍ଗଳବାର ଦିଲ୍ଲୀ-ଦୁବାଇ ଉଡାଣ ବେଳେ ଫ୍ୟୁଲ ଇଣ୍ଡିକେଟରରେ ତ୍ରୁଟି ଜଣାପଡିବା ପରେ ବିମାନକୁ ପାକିସ୍ତାନର କରାଚୀରେ ଜରୁରୀ ଅବତରଣ କରାଯାଇଥିଲା।
ଅନ୍ୟପଟେ ସେହିଦିନ ହିଁ, ଆକାଶରେ ବିମାନର ୱିଣ୍ଡ ସିଲ୍ଡରେ ତ୍ରୁଟି ଯୋଗୁଁ କାଣ୍ଡଲା-ମୁମ୍ୱାଇ ଉଡାଣକୁ ମହାରାଷ୍ଟ୍ରର ରାଜଧାନୀରେ ଜରୁରୀ ଅବତରଣ କରାଯାଇଥିଲା। ମଙ୍ଗଳବାର ଏହି ଦୁଇ ଘଟଣା ସାମନାକୁ ଆସିବା ପରେ ୧୮ ଦିନ ମଧ୍ୟରେ ସ୍ପାଇସଜେଟ୍ ବିମାନରେ ୮ ତ୍ରୁଟି ଘଟଣା ସାମନାକୁ ଆସିସାରିଛି । ଡିଜିସିଏ ଅନୁସାରେ, ଏହି ସବୁ ଘଟଣାକୁ ଗୁରୁତର ସହ ନେଇ ତଦନ୍ତ କରାଯାଉଛି ।