ନୂଆଦିଲ୍ଲୀ, ୩୦/୦୪: ବିମାନର କକ୍ପିଟ୍ଙ୍କୁ ମହିଳା ବନ୍ଧୁଙ୍କୁ ଆଣିବା ଘଟଣାରେ ଏୟାର ଇଣ୍ଡିଆକୁ ନୋଟିସ୍ ଜାରି କଲା ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (DGCA)। ଫେବ୍ରୁଆରୀ ୨୭ରେ ଦୁବାଇ-ଦିଲ୍ଲୀ ବିମାନର ପାଇଲଟ୍ ତାଙ୍କର ଜଣେ ମହିଳା ବନ୍ଧୁଙ୍କୁ କକ୍ପିଟ୍ ଭିତରକୁ ଡାକିବା ଘଟଣାର ସୂଚନା ଠିକ୍ ସମୟରେ ଦେଇନଥିବାରୁ ଏୟାର ଇଣ୍ଡିଆର ସିଇଓ କ୍ୟାମ୍ପବେଲ୍ ଓ୍ବିଲସନ୍ଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛି ଡିଜିସିଏ।
ଏୟାର ଇଣ୍ଡିଆର ସୁରକ୍ଷା ମୁଖ୍ୟଙ୍କୁ ମଧ୍ୟ ନୋଟିସ୍ ଜାରି କରିଛି। ସୂଚନାଥାଉ ବିମାନର ଜଣେ କର୍ମଚାରୀ ଅଭିଯୋଗ କରିଥିଲେ ଯେ ପାଇଲଟ ନିଜ ମହିଳା ବନ୍ଧୁଙ୍କୁ କକ୍ପିଟ୍କୁ ଆସିବାକୁ ଅନୁମତି ଦେଇଥିଲେ। ଡିଜିସିଏର ଜଣେ ଅଧିକାରୀ ରବିବାର କହିଛନ୍ତି ଯେ, ଏୟାର ଇଣ୍ଡିଆ ଘଟଣାର ସୂଚନା ଠିକ୍ ସମୟରେ ଦେଇ ନଥିଲା, ଏଥିପାଇଁ ଏୟାର ଇଣ୍ଡିଆର ସିଇଓ ଏବଂ ଉଡ଼ାଣ ସୁରକ୍ଷା ମୁଖ୍ୟଙ୍କୁ ୨୧ ଏପ୍ରିଲ୍ରେ କାରଣ ଦର୍ଶାଅ ନୋଟିସ୍ କରାଯାଇଥିଲା। ଅଧିକାରୀ କହିଛନ୍ତି ଯେ ଏହା ବ୍ୟତୀତ ମାମଲାର ଯାଞ୍ଚ ମଧ୍ୟ ବିଳମ୍ବରେ ହୋଇଛି। ଦୁଇ ଅଧିକାରୀଙ୍କୁ ନୋଟିସ୍ର ଜବାବ ଦେବା ପାଇଁ ୧୫ ଦିନର ସମୟ ଦିଆଯାଇଛି। ଅବଶ୍ୟ ବର୍ତ୍ତମାନ ସମୟରେ ଏୟାର ଇଣ୍ଡିଆ ତରଫରୁ କୌଣସି ବୟାନ ଦିଆଯାଇନାହିଁ।