ଇଣ୍ଡିଗୋକୁ ବଡ଼ ଝଟକା, ଡିଜିସିଏ ଲଗାଇଲା ୩୦ ଲକ୍ଷର ଫାଇନ୍
28/07/2023 at 5:27 PM

ନୂଆଦିଲ୍ଲୀ, ୨୮/୦୭: ଇଣ୍ଡିଗୋ ଏୟାରଲାଇନ୍ସ ଉପରେ ୩୦ ଲକ୍ଷ ଟଙ୍କାର ଫାଇନ୍। ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (DGCA) ଇଣ୍ଡିଗୋ ଏୟାରଲାଇନ୍ସ ଉପରେ ଏହି ଜରିମାନା ଲଗାଇଛି। ଏନେଇ ଶୁକ୍ରବାର ଡିଜିସିଏ ପକ୍ଷରୁ ସୂଚନା ଦିଆଯାଇଛି।
ପ୍ରକୃତରେ ଗତ କିଛି ମାସରୁ ଇଣ୍ଡିଗୋ ଏୟାରଲାଇନକୁ ଅନେକ ଦୁର୍ଭାଗ୍ୟପୂର୍ଣ୍ଣ ଘଟଣାର ସାମ୍ନା କରିବାକୁ ପଡ଼ିଛି। ଚଳିତ ବର୍ଷ ଆରମ୍ଭରେ ୬ ମାସରେ ହିଁ ଇଣ୍ଡିଗୋର ଏ୩୨୧ ବିମାନ ଛଅ ମାସ ମଧ୍ୟରେ ୪ ଥର ଟେଲ ଷ୍ଟ୍ରାଇକ୍ ଦେଖିବାକୁ ମିଳିଛି। ତେବେ ଏହି ସବୁ ଘଟଣା ପରେ ଡିଜିସିଏ ସ୍ବତନ୍ତ୍ର ଅଡିଟ୍ କରିଥିଲେ।
ଆହୁରି ପଢ଼ନ୍ତୁ: ବିମାନରେ କାର୍ଗିଲ୍ ହିରୋଙ୍କୁ ସମ୍ମାନ, ଇଣ୍ଡିଗୋ ପାଇଲଟଙ୍କ ଘୋଷଣା ଜିତିଲା ଲୋକଙ୍କ ହୃଦୟ
ଡିଜିସିଏ କମ୍ପାନିର କାଗଜପତ୍ର, ପରିଚାଳନାର ପ୍ରକ୍ରିୟା, ପ୍ରଶିକ୍ଷଣ, ଇଞ୍ଜିନିୟରିଂ ଏବଂ ବିମାନ ତଥ୍ୟ ମନିଟରିଂର ସମୀକ୍ଷା କରିଥିଲେ। ଏହି ସ୍ବତନ୍ତ୍ର ଅଡିଟ୍ ସମୟରେ ଡିଜିସିଏ ଅନେକ ଦୁର୍ବଳତା ଦେଖିବାକୁ ପାଇଥିଲେ। ଡିଜିସିଏ ତରଫରୁ କୁହାଯାଇଛି ଯେ, ପରିଚାଳନା ଏବଂ ପ୍ରଶିକ୍ଷଣ ପ୍ରକ୍ରିୟା ସହ ଇଞ୍ଜିନିୟରିଂ ପ୍ରକ୍ରିୟାରେ ଦୁର୍ବଳତା ରହିଥିଲା।
ଆଉ ଏତେ ସବୁ ଦୁର୍ବଳତା ମିଳିବା ପରେ ଡିଜିସିଏ ଇଣ୍ଡିଗୋକୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଥିଲା। କିନ୍ତୁ କମ୍ପାନି ସନ୍ତୋଷଜନକ ଉତ୍ତର ଦେବାରେ ଅସମର୍ଥ ହୋଇଥିଲା। ଫଳରେ କମ୍ପାନି ଉପରେ ଜରିମାନା ଲଗାଯାଇଛି।
ତେବେ ଡିଜିସିଏ, ଇଣ୍ଡିଗୋ ଉପରେ ଜରିମାନା ବ୍ୟତୀତ କାଗଜପତ୍ରକୁ ନେଇ ମଧ୍ୟ କିଛି ଜରୁରୀ ନିର୍ଦ୍ଦେଶ ଦିଆଯାଇଛି। କମ୍ପାନିକୁ ଡିଜିସିଏର ଆବଶ୍ୟକତା ଓଇଏମ ମାର୍ଗଦର୍ଶିକା ଅନୁଯାୟୀ ନିଜ ଦସ୍ତାବିଜ୍ ଏବଂ ପ୍ରକ୍ରିୟାରେ ପରିବର୍ତ୍ତନ କରିବାକୁ ମଧ୍ୟ କୁହାଯାଇଛି।
ଆହୁରି ପଢ଼ନ୍ତୁ: ଇଣ୍ଡିଗୋ ବିମାନର ଜରୁରୀ ଅବତରଣ, ଯାନ୍ତ୍ରିକ ତ୍ରୁଟି ପରେ ଅଧାବାଟରୁ ଦିଲ୍ଲୀ ଫେରିଆସିଲା