ଏୟାର ଏସିୟାକୁ ୨୦ ଲକ୍ଷ ଟଙ୍କାର ଜରିମନା କଲେDGCA, ଟ୍ରେନିଂ ହେଡଙ୍କ ଛୁଟି, ଜାଣନ୍ତୁ ପୁରା ଘଟଣା
11/02/2023 at 1:49 PM

ନୂଆଦିଲ୍ଲୀ ୧୧।୨: ବିମାନ ନିୟାମକ ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ (ଡିଜିସିଏ) ନିୟମ ଉଲ୍ଲଂଘନ ଅଭିଯୋଗରେ ଏୟାରଲାଇନ୍ସ କମ୍ପାନୀ ଏୟାର ଏସିଆ ଉପରେ ୨୦ ଲକ୍ଷ ଟଙ୍କାର ଆର୍ଥିକ ଜରିମନା ନିର୍ଦ୍ଦେଶ ଦେଇଛନ୍ତି। ପାଇଲଟଙ୍କ ପ୍ରଶିକ୍ଷଣରେ ଏୟାର ଏସିଆ ତ୍ରୁଟି କରିଥିବା ଡିଜିସିଏ କହିଛନ୍ତି। ପାଇଲଟଙ୍କ ପ୍ରୋଫିସିଏନ୍ସି ରେଟିଂ ଯାଞ୍ଚରେ ସେମାନଙ୍କୁ ଜରୁରୀ ଅଭ୍ୟାସ କରାଇ ନଥିବା ଜଣାପଡିଛି। ଯାହା ଡିଜିସିଏଙ୍କ ନିୟମର ଗୁରୁତର ଉଲ୍ଲଂଘନ ବୋଲି ଏବେ ବୁଝା ଯାଉଛି।

ଏହା ଛଡା ଏୟାର ଏସିଆଙ୍କ ପ୍ରଶିକ୍ଷଣ ମୁଖ୍ୟ ତାଙ୍କ କର୍ତ୍ତବ୍ୟ ପାଳନରେ ବିଫଳ ହୋଇଥିବାରୁ ତାଙ୍କୁ ୩ ମାସ ପର୍ଯ୍ୟନ୍ତ ପଦରୁ ହଟାଇ ଦିଆଯାଇଛି। ଏହା ଛଡା ୮ ନୋମିନେଟେଡ ପରୀକ୍ଷକଙ୍କ ଉପରେ ମଧ୍ୟ ୩ ଲକ୍ଷ ଟଙ୍କା ଲେଖାଏଁ ଜରିମନା କରାଯାଇଛି। ଏଥିଲାଗି ଡିଜିସିଏ ଏୟାର ଏସିଆଙ୍କ ମ୍ୟାନେଜର, ପ୍ରଶିକ୍ଷଣ ମୁଖ୍ୟ ଓ ନୋମିନେଟେଡ ପରୀକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି। ନିୟାମକୀୟ ଦାୟିତ୍ୱ ନିର୍ବାହରେ ବିଫଳତା ଲାଗି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କାହିଁକି କରାଯିବନି ବୋଲି ଡିଜିସିଏ ପ୍ରଶ୍ନ କରିଛନ୍ତି।

ତେବେ ଏହା ପୂର୍ବରୁ ଡିଜିସିଏ ସେମାନଙ୍କର ଲିଖିତ ଉତ୍ତରର ଯାଞ୍ଚ କରିଥିଲେ। ଏହି ଉତ୍ତର ଆଧାରରେ କାର୍ଯ୍ୟାନୁଷ୍ଠାନ କରାଯାଇଛି। ଏଥିରେ ଏୟାର ଏସିଆକୁ ନଗଦ ଆର୍ଥିକ ଜରିମନା କରାଯାଇଥିବା ବେଳେ ପ୍ରଶିକ୍ଷଣ ପ୍ରମୁଖଙ୍କୁ ୩ ମାସ ଲାଗି ପଦରୁ ହଟାଯାଇଛି। ସେହିପରି ନୋମିନେଟେଡ ପରୀକ୍ଷକଙ୍କୁ ମଧ୍ୟ ଜରିମନା କରାଯାଇଥିବା ବେଳେ କାରଣ ଦର୍ଶାଅ ନୋଟିସ୍ ମଧ୍ୟ ଜାରି ହୋଇଛି।