ନୂଆଦିଲ୍ଳୀ, ୨୦/୦୧: ବିମାନରେ ସହଯାତ୍ରୀଙ୍କ ଉପରେ ପରିସ୍ରା କରିବା ଘଟଣାରେ ଡିଜିସିଏର ବଡ଼ କାର୍ଯ୍ୟାନୁଷ୍ଠାନ। ବେସାମରିକ ବିମାନ ଚଳାଚଳ ନିର୍ଦେ୍ଦଶାଳୟ ଏୟାର ଇଣ୍ଡିଆ ଉପରେ ୩୦ ଲକ୍ଷର ଫାଇନ୍ ଲଗାଇଛି। ନିୟମ ଉଲ୍ଲଘଂନ ଅଭିଯୋଗରେ ଏୟାର ଇଣ୍ଡିଆ ଉପରେ ଲାଗିଛି ଏହି ଜରିମାନା। ଏହାସହ ଠିକ୍ ଭାବରେ ନିଜର ଦାୟିତ୍ବ ନିର୍ବାହ କରିନଥିବା ପାଇଁ ବିମାନ ଉଡ଼ାଉଥିବା ପାଇଲଟ-ଇନ୍-କମାଣ୍ଡରଙ୍କ ଲାଇସେନ୍ସ ମଧ୍ୟ ତିନି ମାସ ପାଇଁ ରଦ୍ଧ କରିଛନ୍ତି। ଏହା ବ୍ୟତୀତ ଏୟାର ଇଣ୍ଡିଆର ଡାଇରେକ୍ଟର ଇନ-ଫ୍ଲାଇଟ୍-ସର୍ଭିସ୍ ଉପରେ ମଧ୍ୟ ୩ ଲକ୍ଷର ଜରିମାନା ଲଗାଯାଇଛି।
ଗତବର୍ଷ ନଭେମ୍ବର ୨୬ ରେ ଘଟିଥିବା ଏହି ଘଟଣା ସାମ୍ନାକୁ ଆସିବା ପରେ ଚର୍ଚ୍ଚା ଜୋର୍ ଧରିଥିଲା। ଘଟଣାରେ ଅଭିଯୁକ୍ତ ଶଙ୍କର ମିଶ୍ରାଙ୍କୁ ଗିରଫ କରାଯାଇଥିଲା। ସେ ନ୍ୟୁୟର୍କରୁ ଦିଲ୍ଲୀ ଯାତ୍ରା ସମୟରେ ନିଶା କରିଥଲେ ଏବଂ ନିଶାସକ୍ତ ଅବସ୍ଥାରେ ବିଜନେସ୍ କ୍ଲାସରେ ବସିଥିବା ୭୨ ବର୍ଷୀୟ ମହିଳାଙ୍କ ଉପରେ ପରିସ୍ରା କରିଥିଲେ। ଏୟାର ଇଣ୍ଡିଆ ଶଙ୍କର ମିଶ୍ରାଙ୍କ ଉପରେ ୪ ମାସର ବ୍ୟାନ୍ ଲଗାଇଥିଲା।