ଭକ୍ତଗଣ ଧ୍ୟାନ ଦିଅନ୍ତୁ! ବୃନ୍ଦାବନ ବାଙ୍କେବିହାରୀ ମନ୍ଦିରକୁ ଏବେଠୁ ମୋବାଇଲ ମନା
20/10/2023 at 4:05 PM

ବୃନ୍ଦାବନ ୨୦।୧୦: ଭକ୍ତଙ୍କ ନିମନ୍ତେ ବୃନ୍ଦାବନରୁ ଜରୁରି ଖବର ଆସୁଛି। ବୃନ୍ଦାବନରେ ବାଙ୍କେବିହାରୀ ମନ୍ଦିରକୁ ଯାଉଥିବା ଦର୍ଶନାର୍ଥୀ ଓ ଶ୍ରଦ୍ଧାଳୁଙ୍କ ନିମନ୍ତେ ନୂଆ ଗାଇଡଲାଇନ ଜାରି ହୋଇଛି। ଗାଇଡଲାଇନ ଅନୁସାରେ ଏବେ ଭକ୍ତ ମନ୍ଦିର ପରିସରକୁ ଆଉ ମୋବାଇଲ ଫୋନ ନେଇ ଯାଇ ପାରିବେନି। ବରିଷ୍ଠ ପୋଲିସ ଅଧିକ୍ଷକ କହିଛନ୍ତି ଯେ ବାଙ୍କେବିହାରୀ ମନ୍ଦିରକୁ ଦର୍ଶନ ନିମନ୍ତେ ଆସୁଥିବା ଅଧିକାଂଶ ଭକ୍ତଙ୍କ ନିକଟରେ କ୍ୟାମେରା ରହୁଛି। ତେବେ ମନ୍ଦିର ପରିସରରେ ଫଟୋ ଉଠାଇବା ନିଷିଦ୍ଧ। ଏଥିରେ ମନ୍ଦିର ପରିସରରେ ଭକ୍ତି ବଦଳେ ଅଧିକାଂଶ ଲୋକେ ମୋବାଇଲ ଫୋନ ନେଇ ରିଲ୍ସ କରୁଥିବାର ଦେଖାଯାଉଛନ୍ତି। ଯାହା ଭକ୍ତଙ୍କୁ ଅସୁବିଧାରେ ପକାଉଛି ବୋଲି ସେ କହିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ ବେଙ୍କେବିହାରୀ ମନ୍ଦିରକୁ ଶନିବାର ଓ ରବିବାର ଏତେ ସଂଖ୍ୟାରେ ଭକ୍ତଙ୍କ ଆଗମନ ହେଉଛି ଯେ ଭିଡ ନିୟନ୍ତ୍ରଣ କଷ୍ଟକର ହୋଇପଡୁଛି। ଏଥିରେ ମୋବାଇଲ ଫୋନରେ ରିଲସ୍ କରୁଥିବା ଭକ୍ତ ଅନ୍ୟ ଭକ୍ତଙ୍କ ନିମନ୍ତେ ସମସ୍ୟା ପାଲଟୁଛନ୍ତି। ଏଣୁ ମନ୍ଦିରକୁ ଭକ୍ତିର ଫୁଲ ଚଢେଇବାକୁ ଆସୁଥିବା ଭକ୍ତଙ୍କ ସୁବିଧା ନିମନ୍ତେ ମନ୍ଦିର ପକ୍ଷରୁ ମୋବାଇଲ ଫୋନ ନିଷିଦ୍ଧ କରିବାକୁ ନିଷ୍ପତ୍ତି ନିଆଯାଇଛି। ବାଙ୍କେବିହାରୀ ମନ୍ଦିର ପ୍ରାଧିକରଣ ପ୍ରାରମ୍ଭିକ ପର୍ଯ୍ୟାୟରେ ଏଜେନ୍ସୀଙ୍କ ମାଧ୍ୟମରେ ଏହି କଟକଣା ଲାଗୁ କରିଛନ୍ତି।

ଏଜେନ୍ସୀଙ୍କ ମାଧ୍ୟମରେ ଆରମ୍ଭ କରାଯାଇଥିବା ଟ୍ରାଏଲରେ ଏଜେନ୍ସୀ ଭକ୍ତଙ୍କୁ ମୋବାଇଲ ଫୋନ ରଖିବାକୁ ପାଉଚ୍ ଦିଆଯାଉଛି। ଶ୍ରଦ୍ଧାଳୁ ପାଉଚ୍ରେ ଫୋନ ରଖି ନିର୍ବିଘ୍ନରେ ମନ୍ଦିରରେ ଦର୍ଶନ ଓ ପୂଜାର୍ଚ୍ଚନା କରିପାରିବେ। ଏହି ଟ୍ରାୟଲର ଉଦ୍ଦେଶ୍ୟ ହେଉଛି ଆଗାମୀ ସମୟରେ ମନ୍ଦିରକୁ ମୋବାଇଲ ଫୋନ ନେବା ନିଷିଦ୍ଧ ହେବ ଓ ମନ୍ଦିର ପରିସରରେ କୌଣସି ପ୍ରକାରର ଫୋଟୋଗ୍ରାଫିକୁ ନିୟନ୍ତ୍ରଣ କରାଯିବ। ଏଣୁ ଏବେ ବାଙ୍କେବିହାରୀ ମନ୍ଦିରକୁ ମଧ୍ୟ ଫୋନ ନେବା ନିଷିଦ୍ଧ ହେବ।