ଶ୍ରୀମନ୍ଦିର ପଶ୍ଚିମଦ୍ବାର ନିକଟରେ ଦଳାଚକଟା, କିଛି ଭକ୍ତ ଆହତ
15/03/2023 at 1:56 PM

ପୁରୀ ୧୫।୩: ଶ୍ରୀମନ୍ଦିରରେ ଅଘଟଣ । ପଶ୍ଚିମଦ୍ୱାରରେ ଥିବା ବ୍ୟାରିକେଟ୍ ଭିତରେ ଭକ୍ତମାନେ ଦଳାଚକଟା ହୋଇଛନ୍ତି । ଫଳରେ କିଛି ଭକ୍ତ ଆହତ ହୋଇଛନ୍ତି । ତେବେ ଭିଡ଼ ନିୟନ୍ତ୍ରଣରେ ପ୍ରଶାସନ ବିଫଳ ହୋଇଥିବା କୁହାଯାଉଛି ।

ଖବର ଅନୁଯାୟୀ, ପୁରୀ ଶ୍ରୀମନ୍ଦିରରେ ଜଗାଦର୍ଶନ ପାଇଁ ବୁଧବାର ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିରହିଥିଲା । ସବୁଦିନ ଭଳି ପୂର୍ବ ଏବଂ ପଶ୍ଚିମ ଉଭୟ ଦ୍ୱାରରେ ଭକ୍ତମାନେ ପର୍ଯ୍ୟାୟକ୍ରମେ ପ୍ରବେଶ କରୁଛନ୍ତି । ତେବେ ସକାଳ ପ୍ରାୟ ସାଢେ ୧୦ଟା ସମୟରେ ଏଭଳି ଅଘଟଣ ସାମ୍ନାକୁ ଆସିଛି । ଭକ୍ତମାନେ ଦଳାଚକଟା ହୋଇଛନ୍ତି । ଭିଡ଼ ଭିତରେ କିଛି ଭକ୍ତ ଅଣନିଶ୍ଵାସୀ ହୋଇଯାଇଥିବା ବେଳେ ଦଳାଚକଟା ଯୋଗୁଁ କିଛି ଭକ୍ତ ଆହତ ମଧ୍ୟ ହୋଇଛନ୍ତି ।

ତେବେ ଏହି ଅଘଟଣ ପରେ ମନ୍ଦିରରେ ଉପସ୍ଥିତ ଥିବା ସୁରକ୍ଷାକର୍ମୀମାନେ ଭକ୍ତଙ୍କୁ ସୁରକ୍ଷିତ ଭାବେ ବାହାର କରିବାକୁ ଉଦ୍ୟମ ଜାରି ରଖିଛନ୍ତି ।
ସୂଚନାଯୋଗ୍ୟ ଯେ, କିଛି ମାସ ତଳେ ଶ୍ରୀମନ୍ଦିରରେ ସାଧାରଣଭକ୍ତଙ୍କ ଦର୍ଶନ ସମୟରେ ମନ୍ଦିରରେ ଦଳାଚକଟା ହୋଇଥିଲା । ଗୋଟିଏ ସପ୍ତାହ ମଧ୍ୟରେ ଦୁଇ ଥର ଦଳାଚକଟା ହୋଇଥିଲା । ଯେଉଁଥିରେ କିଛି ଶ୍ରଦ୍ଧାଳୁ ମଧ୍ୟ ଆହତ ହୋଇଥିଲେ । ଆହତ ପରେ ସେମାନଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲା ।
ତେବେ ଲଗାତର ଭାବେ ଶ୍ରୀମନ୍ଦିରରେ ଏପରି ଦଳାଚକଟା ଘଟଣା ବଢିଚାଲିଛି । ଆଜିର ଘଟଣାକୁ ମିଶାଇ ବିଗତ କିଛି ମଧ୍ୟରେ ଶ୍ରୀମନ୍ଦିରରେ ଏପରି ଦଳାଚକଟା ଘଟଣା ଏକାଧିକବାର ଘଟିଚାଲିଛି । ଯାହାକି ଏକ ଚିନ୍ତାର ବିଷୟ ପାଲଟିଛି ।