ଜଗା ଦର୍ଶନ ପାଇଁ ବଡଦାଣ୍ଡରେ ଅସମ୍ଭାଳ ଭିଡ, ଦୀର୍ଘ ସମୟ ଧରି ଠିଆ ହେବାକୁ ପଡିବାରୁ ଭକ୍ତଙ୍କ ମନରେ ଅସନ୍ତୋଷ

Published By : Prameya-News7 Bureau | October 18, 2021 IST

ପୁରୀ ୧୮।୧୦: ଜଗା ଦର୍ଶନ ପାଇଁ ବଡଦାଣ୍ଡରେ ଲାଗିଛି ଭକ୍ତଙ୍କ ଲମ୍ବା ଧାଡି । ରବିବାର ଶ୍ରୀମନ୍ଦିର ବିଶୋଧନ ପାଇଁ ସାଧାରଣ ଦର୍ଶନ ବନ୍ଦ ଥିବାରୁ ସୋମବାର ଶ୍ରୀକ୍ଷେତ୍ରରେ ଏଭଳି ଅସମ୍ଭାଳ ଭିଡ ଦେଖିବାକୁ ମିଳିଛି । କୋଭିଡ୍ କଟକଣା ମାନି ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ କରୁଥିବା ବେଳେ ସୋମବାର କିନ୍ତୁ ଦୀର୍ଘ ସମୟ ଧରି ଭକ୍ତଙ୍କୁ ଧାଡିରେ ଠିଆ ହେବା ପାଇଁ ପଡିଥିଲା । ଯାହାକୁ ନେଇ ଭକ୍ତଙ୍କ ମନରେ ଅସନ୍ତୋଷ ପ୍ରକାଶ ପାଇଛି।

{"id":529168,"sizeSlug":"full","linkDestination":"none"}

ସୋମବାର ସକାଳୁ ମରଚିକୋଟ ଛକଠାରୁ ଶ୍ରୀମନ୍ଦିର ପର୍ଯ୍ୟନ୍ତ ଭକ୍ତଙ୍କ ଲମ୍ବା ଲାଇନ୍ ଲାଗିଥିବା ବେଳେ କୋଭିଡ୍ କଟକଣାର ଧଜିଆ ଉଡିଯାଇଥିଲା। ଭକ୍ତ ଓ ଶ୍ରଦ୍ଧାଳୁଙ୍କୁ କୋଭିଡ୍ କଟକଣା ନେଇ ସଚେତନ କରାଇବା ଦାୟିତ୍ବ ପ୍ରଶାସନର ଥିଲେ ମଧ୍ୟ କୌଣସି ଅଧିକାରୀ କିମ୍ବା ପୋଲିସ କର୍ମଚାରୀଙ୍କ ଉପସ୍ଥିତି ଏଠାରେ ଦେଖିବାକୁ ମିଳିନଥିଲା।

{"id":529170,"sizeSlug":"full","linkDestination":"none"}

ତେବେ ଏଭଳି ଭିଡ ସହ ସାମାଜିକ ଦୂରତା ନରଖିଲେ କୋଭିଡ୍ ସଂକ୍ରମଣ ବ୍ୟାପିବା ସୁନିଶ୍ଚିତ ବୋଲି ଭକ୍ତମାନେ ମତ ରଖିଛନ୍ତି । ଏଣୁ ଶୃଙ୍ଖଳିତ ଦର୍ଶନ ସହ କୋଭିଡ୍ ନିୟମକୁ କଡାକଡି ପାଳନ କରିବା ପାଇଁ ଶ୍ରୀମନ୍ଦିର ଓ ଜିଲ୍ଲା ପ୍ରଶାସନ ବ୍ୟାପକ ବ୍ୟବସ୍ଥା କରିବା ଆବଶ୍ୟକ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.