ବଢିଲା ଫଡଣବିସଙ୍କ ଅଡୁଆ, ପୁନର୍ବିଚାର ଯାଚିକା ଖାରଜ କଲେ ସୁପ୍ରିମକୋର୍ଟ, ଅଦାଲତର ହେବେ ସମ୍ମୁଖୀନ

Published By : Prameya-News7 Bureau | March 03, 2020 IST

ମୁମ୍ବାଇ ୦୩।୦୩- ନିର୍ବାଚନ ସମୟରେ ଶପଥପତ୍ରରେ ଦୁଇଟି ବିଚାରଧିନ ମାମଲା ବିଷୟରେ ସୂଚନା ନଦେବା ମାମଲାରେ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡଣବିସଙ୍କ ପୁନର୍ବିଚାର ଯାଚିକାକୁ ସୁପ୍ରିମକୋର୍ଟ ମଙ୍ଗଳବାର ଖାରଜ କରି ଦେଇଛନ୍ତି। ୨୦୧୪ ଲୋକସଭା ନିର୍ବାଚନରେ ଦେଇଥିବା ଶପଥପତ୍ରରେ ଦୁଇଟି ଅପରାଧିକ ମାମଲାର ସୂଚନା ନଦେବା ମାମଲାରେ ଫଡଣବିସ କୋର୍ଟରେ ପୁନର୍ବିଚାର ଯାଚିକା ଦାୟର କରିଥିଲେ। ସଂପ୍ରତି ଫଡଣବିସ ଦୁଇଟି ମାମଲାରେ ଟ୍ରାଏଲର ସମ୍ମୁଖୀନ ହେଉଛନ୍ତି। ମିଥ୍ୟା ଓ ଜାଲିଆତି ମାମଲାରେ ୧୯୯୬ ଓ ୧୯୯୮ରେ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା।

ଜଷ୍ଟିସ ଅରୁଣ ମିଶ୍ର, ଦୀପକ ଗୁପ୍ତା ଓ ଅନିରୁଦ୍ଧ ବୋସଙ୍କୁ ନେଇ ଗଠିତ ସୁପ୍ରିମକୋର୍ଟର ତିନି ଜଣିଆ ଖଣ୍ଡପୀଠ ଆଜି ମାମଲାର ଶୁଣାଣି କରି କହିଛନ୍ତି ଯେ, ପୁନର୍ବିଚାର ଯାଚିକା ଉପରେ ବିଚାର ପାଇଁ ଆମକୁ ଉପଯୁକ୍ତ ତଥ୍ୟ ମିଳୁନାହିଁ, ତେଣୁ ଫଡଣବିସଙ୍କ ଯାଚିକାକୁ ଖାରଜ କରାଯାଉଛି।

ଭାରତୀୟ ଜନତା ପାର୍ଟି(ବିଜେପି) ୨୦୧୯ର ସୁପ୍ରିମକୋର୍ଟର ଶୁଣାଣିକୁ ଚ୍ୟାଲେଞ୍ଜ କରିଥିଲା। ଦଳ ଫଡଣବିସଙ୍କ ବିରୋଧରେ ଅପରାଧିକ ମାମଲା ନଚଲାଇବାକୁ ଅପିଲ କରିଥିଲା। ଫେବୃଆରୀ ମାସରେ ବରିଷ୍ଠ ଆଡଭୋକେଟ୍ ମୁକୁଲ ରୋହତଗି ଅରୁଣ ମିଶ୍ରଙ୍କ ନେତୃତ୍ଵାଧୀନ ଖଣ୍ଡପୀଠକୁ କହିଥିଲେ ଯେ, ବିଜେପି ନେତା ଫଡଣବିସ ଶପଥ ପତ୍ରରେ କୌଣସି ମିଥ୍ୟା ସୂଚନା ଦେଇ ନାହାନ୍ତି। ରୋହତଗି ଅଭିଯୋଗ କରିଥିଲେ ଯେ, ଫଡଭବିସଙ୍କ ବିରୋଧରେ ଭୁଲ ମୋକଦ୍ଦମା ଦାୟର କରାଯାଇଛି।

{"id":232201,"sizeSlug":"large"}

ଉଲ୍ଲେଖନୀୟ, ସୁପ୍ରିମକୋର୍ଟ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ  ଜନ ପ୍ରତିନିଧି ଆଇନ ମାମଲାରେ ମୋକଦ୍ଦମାର ସାମ୍ନା କରିବାକୁ  ଆଦେଶ ଦେଇଥିଲେ। କୋର୍ଟ ନିଜ ନିଷ୍ପତ୍ତିରେ କହିଥିଲେ ଯେ, ଫଡଣବିସ ୨୦୧୪ ନିର୍ବାଚନ ସମୟରେ ନିଜର ଶପଥପତ୍ରରେ ଦୁଇଟି ବିଚାରଧିନ ଅପରାଧିକ ମାମଲାର ସୂଚନା ନଦେଇ ଥିବାରୁ ତାଙ୍କୁ ମୋକଦ୍ଦମାର ସାମ୍ନା କରିବାକୁ ପଡିବ।

କୋର୍ଟ ଏହି ମାମଲାରେ ଫଡଣବିସଙ୍କୁ କ୍ଲିନ ଚିଟ୍  ଦେବା ସମ୍ବନ୍ଧିତ ବମ୍ବେ ହାଇକୋର୍ଟର ନିଷ୍ପତ୍ତିକୁ ୨୦୧୯ ଅକ୍ଟୋବର ୧ରେ ଖାରଜ କରିଥିଲେ। ହାଇକୋର୍ଟ ନିଜ ନିଷ୍ପତ୍ତିରେ କହିଥିଲେ ଯେ, ଏହି କଥିତ ଅପରାଧରେ ବିଜେପି ନେତାଙ୍କ ଉପରେ ଜନ ପ୍ରତିନିଧି ଆଇନ ଆଧାରରେ ମୋକଦ୍ଦମା ଚଳାଇବାର ଆବଶ୍ୟକତା ନାହିଁ। ସୁପ୍ରିମକୋର୍ଟ ହାଇକୋର୍ଟର ଆଦେଶକୁ ଚ୍ୟାଲେଞ୍ଜ କରିଥିବା ଆଡଭୋକେଟ୍ ସତୀଶଙ୍କ ଅପିଲ ଉପରେ ଏହି ନିଷ୍ପତ୍ତି ଶୁଣାଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.