ରିଙ୍କି ହତ୍ୟାକାଣ୍ଡ ଉପରୁ ହଟିଲା ପରଦା: କାହିଁକି ଜଗନ୍ନାଥ ଏପରି କଲା ? ଦୁହିଁଙ୍କ ସଂପର୍କରେ ବିଭତ୍ସ କ୍ଲାଇମାକ୍ସର ସମ୍ପୂର୍ଣ୍ଣ କଥା...

Published By : Prameya-News7 Bureau | July 06, 2021 IST

ଭୁବନେଶ୍ୱର, ୦୬/୦୭: ରାଜଧାନୀରେ ମହିଳାଙ୍କୁ ବୀଭତ୍ସ ହତ୍ୟାକାଣ୍ଡର ପର୍ଦ୍ଦାଫାସ୍। ମୃତଦେହ ମିଳିଥିବା ଘରୁ ଗୁରୁତର ଅବସ୍ଥାରେ ଉଦ୍ଧାର ଯୁବକ ଜଗନ୍ନାଥ ପ୍ରଧାନ ହିଁ ହତ୍ୟାକରୀ। ଏକଥା ଏବେ ସ୍ପଷ୍ଟ ହୋଇଯାଇଛି । ହତ୍ୟାକାଣ୍ଡ ପଛରେ ପ୍ରେମ ସଂପର୍କ ଥିବା ସ୍ପଷ୍ଟ ହୋଇଛି । କାରଣ ଅଭିଯୁକ୍ତ ଜଗନ୍ନାଥ ଏସଂପର୍କିତ ଏକ ମ୍ୟାସେଜ୍‌ ନିଜ ଭାଉଜଙ୍କ ନିକଟକୁ ପଠାଇଛି । ଯେଉଁଥିରେ ପ୍ରିୟଙ୍କା ଓରଫ ରିଙ୍କି ସହ ତାଙ୍କ ସଂପର୍କ ଏବଂ ରିଙ୍କି ତାଙ୍କୁ କିପରି ବରବାଦ କଲେ ସେ ସଂପର୍କରେ ଲେଖିବା ସହ ସମସ୍ତେ ତାଙ୍କୁ କ୍ଷମା କରିଦେବାକୁ ଲେଖିଛନ୍ତି । ସେପଟେ ମହିଳାଙ୍କ ମୃତଦେହ ପୋଷ୍ଟ ମର୍ଟମ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।

ରାଜଧାନୀ ଭୀମଟାଙ୍ଗି ଅଞ୍ଚଳରେ ମହିଳାଙ୍କୁ ବୀଭତ୍ସ ହତ୍ୟା ଘଟଣାର ଫିଟୁଛି ଗୁମର । ପ୍ରେମରେ ବିଫଳ ହେବା ପରେ ଅଭିଯୁକ୍ତ ଜଗନ୍ନାଥ ପ୍ରଧାନ, ପ୍ରିୟଙ୍କା ଓରଫ ରିଙ୍କିକୁ ହତ୍ୟା କରିଥିଲା । ସୁଚିନ୍ତିତ ଯୋଜନା କରି ଅଭିଯୁକ୍ତ ଜଗନ୍ନାଥ ପ୍ରଧାନ ପ୍ରିୟଙ୍କା ଓ ତାଙ୍କ ପୁଅକୁ ମାରିବାକୁ ଆସିଥିଲା । ସେ ସକାଳ ପ୍ରାୟ ୧୦ଟା ବେଳେ ରିଙ୍କିଙ୍କ ଘରକୁ ଆସିଥିଲା । ପାଖାପାଖି ୪୦ ମିନିଟ୍‌ ମଧ୍ୟରେ ସେ ଏପରି କାଣ୍ଡ ଘଟାଇ ଥିଲା । ଏହା ପୂର୍ବରୁ ଜଗନ୍ନାଥ ସକାଳେ ତାଙ୍କ ଭାଉଜଙ୍କ ନିକଟକୁ ପଠାଇଥିଲେ ଲମ୍ବା ହ୍ବାଟସ୍‌ଆପ୍‌ ମ୍ୟାସେଜ୍‌ । ଯେଉଁଥିରେ ଜଗନ୍ନାଥ ଲେଖିଥିଲେ ରିଙ୍କି ତାଙ୍କୁ ବରବାଦ କରିଦେଲା । ସେ ଦୁନିଆ ଛାଡି ଯାଉଛନ୍ତି । ତାଙ୍କୁ କ୍ଷମା କରିଦେବେ ।  ସେ ଆଉ ବଞ୍ଚିବା ସ୍ଥିତିରେ ନାହାନ୍ତି । ଭାଇ ଭାଉଜ ପରିବାର ଲୋକଙ୍କୁ ସମସ୍ତଙ୍କୁ କ୍ଷମା କରିଦେବା ପାଇଁ ମ୍ୟାସେଜ୍‌ରେ ଲେଖିଥିଲେ ।

ଯାଜପୁର କୁଆଖିଆ ଅଞ୍ଚଳରେ ଉଭୟ ରିଙ୍କି ଓ ଜଗନ୍ନାଥଙ୍କ ଘର । ଦୁହିଁଙ୍କ ମଧ୍ୟରେ ଦୀର୍ଘ ବର୍ଷ ଧରି ପ୍ରେମ ସମ୍ପର୍କ ଥିଲା । କିନ୍ତୁ ସେହି ଅଞ୍ଚଳର ରାକେଶ ସାହୁ ନାମକ ଯୁବକଙ୍କ ସହ ୨୦୧୪ ମସିହାରେ ରିଙ୍କିଙ୍କ ବିବାହ ହୋଇଥିଲା । ରାକେଶ ୟୁରେକା ଫୋରବ୍ସ କମ୍ପାନୀରେ ଭୁବନେଶ୍ୱର ଶାଖାର ସର୍ଭିସ୍‌ ହେଡ୍‌ ଅଛନ୍ତି । ଭୁବନେଶ୍ୱରରେ କର୍ମକ୍ଷେତ୍ର ଯୋଗୁଁ ପତି-ପତ୍ନୀ ଗତ ୩ ବର୍ଷ ଧରି ଭୀମଟାଙ୍ଗୀ ହାଉସିଂ ବୋର୍ଡ କଲୋନିର ପ୍ଲଟ ନମ୍ବର ଏଏଲ/୧ ରେ ଭଡ଼ାରେ ରହୁଥିଲେ । ଉଭୟଙ୍କର ୩ବର୍ଷର ପୁଅ ରହିଛି ।

ସୋମବାର ଦିନ ସାଢ଼େ ୧୧ଟା ରାକେଶ ପୁଲିସ କଣ୍ଟ୍ରୋଲ ରୁମ୍‌କୁ ଫୋନ୍‌ କରି ହତ୍ୟା ସମ୍ପର୍କରେ ଖବର ଦେଇଥିଲେ । ସେ କହିଥିଲେ ଯେ, ‘କେହି ଜଣେ ମୋ ସ୍ତ୍ରୀକୁ ମାରି ଦେଇଛି । ମୋତେ ଭିଡିଓ କଲ୍‌ କରି ଦେଖାଉଛି । ମୋ ହ୍ୱାଟସ୍‌ଅପ୍‌କୁ ସ୍ତ୍ରୀର ମୃତଦେହ ଫଟୋ ପଠାଇଛି । ମୁଁ ଅଫିସ୍‌ରେ ଅଛି । ଆପଣ ତୁରନ୍ତ ଘଟଣାସ୍ଥଳକୁ ଯାଆନ୍ତୁ’ ।ତୁରନ୍ତ ଏକ ପିସିଆର୍‌ ଭ୍ୟାନ୍‌ ଓ ଏୟାରଫିଲ୍ଡ ଥାନାର ଏକ ଗାଡି଼ ଘଟଣାସ୍ଥଳକୁ ଯାଇଥିଲା । ପୁଲିସ୍‌ ରାକେଶଙ୍କ ରୁମ୍‌ର କବାଟଭାଙ୍ଗି ଭିତରେ ପଶିଥିଲା । ରୁମ୍‌ର ଏକ କଡ଼ରେ ଜଗନ୍ନାଥ ନିସ୍ତେଜ ଅବସ୍ଥାରେ ପଡିଥିଲେ । ଚିକିତ୍ସା ପାଇଁ ପୁଲିସ ତାଙ୍କୁ ତୁରନ୍ତ କ୍ୟାପିଟାଲ ହସ୍ପିଟାଲ ପଠାଇଥିଲା । ରୁମ୍‌ ଚଟାଣରେ ରିଙ୍କିଙ୍କ ମୃତଦେହ ପଡି଼ଥିଲା । ତାଙ୍କ ଗଳାକୁ ଏକ ଧାରୁଆ ଛୁରିରେ କଟା ଯାଇଥିଲା । ବାମପାଶ୍ୱର୍ ହାତ ବି ଏକ ଧାରୁଆ ଛୁରୀରେ କଟିଥିଲା । ମୃତଦେହ ଚାରିପଟେ ରକ୍ତଧାର ବୋହୁଥିଲା । ଖଟର ବେଡସିଟ୍‌ ଓ କାନ୍ଥରେ ରକ୍ତ ଛିଟା ଲାଗିଥିଲା । ଖଟ ଉପରେ ଓ ଚଟାଣରେ ୨ଟି ନୂଆ ଧାରୁଆ ଛୁରୀ ପଡିଥିଲା ।

ସେପଟେ ଜଗନ୍ନାଥଙ୍କ ମା ବି ରିଙ୍କିଙ୍କ ସହିତ ଜଗନ୍ନାଥଙ୍କ ପ୍ରେମ ଦୀର୍ଘ ଦିନର ବୋଲି କହିଛନ୍ତି । ୧୦ ବର୍ଷ ଧରି ଜଗନ୍ନାଥ ଓ ରିଙ୍କିଙ୍କ ମଧ୍ୟରେ ପ୍ରେମ ସଂପର୍କ ଥିଲା। ହେଲେ ରିଙ୍କି ବିବାହ କରିବା ପରେ ଉଭୟଙ୍କ ମଧ୍ୟରେ ସମ୍ପର୍କରେ ଭଟ୍ଟା ପଡିଥିଲା । ତେବେ ଗତବର୍ଷ ଲକଡାଉନ୍ ବେଳେ ରିଙ୍କି ଜଗନ୍ନାଥଙ୍କୁ ଫୋନ୍ କରିଥିଲେ । ପୁଣି ଥରେ ଉଭୟଙ୍କ ମଧ୍ୟରେ ସମ୍ପର୍କ ଗଢ଼ିଉଠିଥିଲା । ଜଗନ୍ନାଥଙ୍କୁ ଆମେ ରିଙ୍କିଙ୍କ ସହ ଆଉ ସଂପର୍କ ବଢାଇବାକୁ ମନା କରିଥିଲୁ। ହେଲେ ଏମିତି ଜିନିଷ ଘଟିବ ବୋଲି ଆମେ ଆଶା କରିନଥିଲୁ । ଜଗନ୍ନାଥ ଏପିରି କରିବ ବୋଲି ଜାଣଥିଲେ ତାକୁ ଘରୁ ଛାଡିନଥାନ୍ତୁ ବୋଲି କହିଛନ୍ତି ଅଭିଯୁକ୍ତ ଜଗନ୍ନାଥ ପ୍ରଧାନଙ୍କ ମା ।

ରିଙ୍କିଙ୍କ ସହ ସଂପର୍କ ବଢିବା ପରେ ସ୍ବାମୀଙ୍କୁ ଛାଡି ତାଙ୍କ ସହ ରହିବାକୁ ଜଗନ୍ନାଥ ରିଙ୍କିଙ୍କ ଉପରେ ଚାପ ପକାଉଥିଲେ । ହେଲେ ରିଙ୍କି ଏଥିରେ ରାଜି ହେଉନଥିଲେ । ସେଥିପାଇଁ ଜଗନ୍ନାଥ ରାଗରେ ରିଙ୍କି ଓ ତାଙ୍କ ପୁଅକୁ ମାରିବାକୁ ଯୋଜନା କରିଥିଲେ । ଯୋଜନା ମୁତାବକ ଜଗନ୍ନାଥ ଏକ ସୁଇସାଇଡାଲ ନୋଟ ଲେଖିଥିବା ବେଳେ ବିଷ, ଛୁରୀ ଆଦି ଧରି ପ୍ରିୟଙ୍କାଙ୍କ ଘରେ ପହଞ୍ଚିଥିଲେ। ସୁଇସାଇଡାଲ ନୋଟରେ ମାରିବି, ମରିବି ବୋଲି ଲେଖିଥିଲେ ।

ତେବେ ରିଙ୍କିକୁ ହତ୍ୟା କରିଥିବା ବେଳେ ଶିଶୁ ପୁତ୍ର ବର୍ତ୍ତି ଯାଇଥିଲା । ଜଗନ୍ନାଥ ବିଷ ପିଇବା ସହ ନିଜ ହାତ କାଟି ଦେଇଥିଲେ । ଏହାପରେ ରିଙ୍କିଙ୍କ ସ୍ବାମୀଙ୍କୁ ଭିଡିଓ କଲ୍‌ କରିଥିଲେ ।  ପରେ ଜଗନ୍ନାଥଙ୍କୁ ସେହି ଘରୁ ମୁମୁର୍ଷ ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ଜଗନ୍ନାଥଙ୍କ  ଅବସ୍ଥା ସଂକଟାପର୍ଣ୍ଣ ରହିଛି । କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ ତାଙ୍କର ଚିକିତ୍ସା ଚାଲିଛି । ସେପଟେ ରିଙ୍କିଙ୍କ ପରିବାର ଲୋକ ଓ ସଂପର୍କୀୟଙ୍କ କହିବା କଥା ଜଗନ୍ନାଥ ପ୍ରଧାନ ଓ ରିଙ୍କିଙ୍କ ସଂପର୍କ ନେଇ ସେମାନେ କିଛି ଜାଣି ନାହାନ୍ତି ।

ଅଭିଯୁକ୍ତ ଜଗନ୍ନାଥର ଘର ଯାଜପୁର ବଡ ମଙ୍ଗଳା ଅଞ୍ଚଳରେ । ରିଙ୍କିଙ୍କ ଘର ବି ସେହି ଅଞ୍ଚଳରେ । ତେଣୁ କମିଶନରେଟ୍‌ ପୋଲିସର ଏକ ସ୍ବତନ୍ତ୍ର ଟିମ୍‌  ଅଧିକ ତଦନ୍ତ ପାଇଁ ଏମାନଙ୍କ ଗାଁକୁ ଯାଇଛି । ଟିମ୍‌ ଫେରିଲା ପରେ ଏହି ଘଟଣା ପଛର ରହସ୍ୟ ଖୋଲିଯିବ। ଜଗନ୍ନାଥଙ୍କୁ ଗିରଫ କରାଯାଇଛି ।  ତେବେ ପ୍ରେମ ସଂପର୍କ ପାଇଁ ଏହି ହତ୍ୟାକାଣ୍ଡ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଥିବା ଭୁବନେଶ୍ବର ଡିସିପି କହିଛନ୍ତି । ଘଟଣାର ଅଧିକ ତଦନ୍ତ ଜାରି ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.