ସମଗ୍ର ଶିକ୍ଷା ପାଣ୍ଠି ଅଟକାଇବେ କେନ୍ଦ୍ର ସରକାର, ପଇସା ନେଉଥିଲେ ବି ଯୋଜନା କାର୍ଯ୍ୟକାରୀ କରୁ ନାହାନ୍ତି ରାଜ୍ୟ

Published By : Prameya-News7 Bureau | February 28, 2024 IST

ନୂଆଦିଲ୍ଲୀ ୨୮।୨: ଆର୍ଥିକ ସହାୟତା ନେଉଥିଲେ ବି ମନମୁଖି ଓ ଅହେତୁକ ମନଭାବ ପ୍ରଦର୍ଶନ ଏବେ ୬ ରାଜ୍ୟଙ୍କ ନିମନ୍ତେ ମହଙ୍ଗା ସାବ୍ୟସ୍ତ ହେବ। ବାସ୍ତବରେ କେନ୍ଦ୍ର ସରକାର ଶିକ୍ଷାରେ ରାଜନୀତି କରୁଥିବା ଦିଲ୍ଲୀ ଓ ପଞ୍ଜାବ ସମେତ ୬ ରାଜ୍ୟଙ୍କ ଉପରେ ଲଗାମ ଲଗେଇବାକୁ ପ୍ରସ୍ତୁତି କରୁଛନ୍ତି। ଏହି ରାଜ୍ୟମାନେ ବିଦ୍ୟାଳୟ ଶିକ୍ଷା ନିମନ୍ତେ କେନ୍ଦ୍ର ସରକାରଙ୍କଠାରୁ ପାଣ୍ଠିତ ନେଉଛନ୍ତି ହେଲେ ରାଜ୍ୟରେ ଯୋଜନା ଲାଗୁ କରୁ ନାହାନ୍ତି। ଏପରି ରାଜ୍ୟମାନେ ହେଉଛନ୍ତି ଦିଲ୍ଲୀ, ପଞ୍ଜାବ, ତାମିଲନାଡୁ, ଓଡିଶା, ପଶ୍ଚିମବଙ୍ଗ ଓ କେରଳ।

ବାରମ୍ବାର ନୋଟିସ୍ ସତ୍ତ୍ୱେ ଏହି ରାଜ୍ୟ ସରକାରମାନେ ନୂଆ ଶିକ୍ଷାନୀତି ଏନଇପି-୨୦୨୦ ସୁପାରିଶ ଅନୁସାରେ ପିଏମଶ୍ରୀ ସ୍କୁଲମାନଙ୍କ ନିମନ୍ତେ କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ସହିତ ବୁଝାମଣା ରାଜିନାମାରେ ସ୍ୱାକ୍ଷାର କରିବାକୁ ମନା କରିଦେଇଛନ୍ତି। ଏଣୁ ଏଭଳି ରାଜ୍ୟମାନଙ୍କୁ ଆଉ ସମଗ୍ର ଶିକ୍ଷା ଯୋଜନାରେ ମିଳୁଥିବା ପାଣ୍ଠି ଦିଆଯିବା ନାହିଁ। ସୂତ୍ର ଅନୁସାରେ ଏନଇପି-୨୦୨୦ରେ ସରକାରୀ ବିଦ୍ୟାଳୟଙ୍କ ଶିକ୍ଷାର ଗୁଣବତ୍ତାରେ ସୁଧାର, ଭିତ୍ତିଭୂମି ଓ ଛାତ୍ରଛାତ୍ରୀଙ୍କୁ ଉତ୍ତମ ଶିକ୍ଷା ଦେବା ଉଦ୍ଦେଶ୍ୟରେ ଦେଶରେ ପିଏମଶ୍ରୀ ସ୍କୁଲ ଆରମ୍ଭ କରାଯାଇଛି।

{"id":914892,"width":841,"height":473,"sizeSlug":"full","linkDestination":"none"}

ଏଥିଲାଗି ସମଗ୍ର ଶିକ୍ଷା ଯୋଜନାରେ କେନ୍ଦ୍ର ସରକାର ଫଣ୍ଡିଂ ଦେଉଛନ୍ତି। ଏଥିରେ ସରକାରୀ ସ୍କୁଲମାନଙ୍କୁ ପିଏମଶ୍ରୀ ସ୍କୁଲରେ ରୂପାନ୍ତରିତ କରାଯିବା ପରେ ଏହାର ସାରା ଖର୍ଚ୍ଚ କେନ୍ଦ୍ର ସରକାର ବହନ କରନ୍ତି। ଏହା ଛଡା ପିଏମଶ୍ରୀ ସ୍କୁଲ ଅନ୍ୟ ସରକାରୀ ସ୍କୁଲର ରୋଲ ମଡେଲ ହୋଇ ଆଗକୁ ଅଗ୍ରସର ହେବାରେ ସହାୟତା ମଧ୍ୟ କରିପାରେ। ତେବେ ଏହି ରାଜ୍ୟମାନେ କେନ୍ଦ୍ରରୁ ପଇସା ନେଉଥିଲେ ବି ରାଜ୍ୟରେ ଯୋଜନା କାର୍ଯ୍ୟକାରୀ କରୁ ନାହାନ୍ତି।

ଏଥିପାଇଁ କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ବାରମ୍ବାର ତାଗିଦ କରିବା ପରେ ଏବେ ବୁଝାମଣା ସ୍ୱାକ୍ଷର କରିବାକୁ କହୁଥିବା ବେଳେ ସମାନେ ଏହାକୁ ଅସ୍ୱୀକାର କରିଦେଇଛନ୍ତି। ବିଦ୍ୟାଳୟ ଶିକ୍ଷା ନିମନ୍ତେ ଉତ୍ତରାଖଣ୍ଡ, ହୀମାଚଳ, ଜମ୍ମୁ-କାଶ୍ମୀର,ଲଦ୍ଦାଖ ଓ ପୂର୍ବୋତ୍ତର ରାଜ୍ୟଙ୍କୁ କେନ୍ଦ୍ର ସରକାର ୯୦ ପ୍ରତିଶତ ପାଣ୍ଠି ଯୋଗାଇ ଦେଉଥିବା ବେଳେ ରାଜ୍ୟସରକାରମାନେ କେବଳ ୧୦ ପ୍ରତିଶତ ବ୍ୟୟ କରୁଛନ୍ତି। ତେବେ ଅନ୍ୟ ରାଜ୍ୟମାନଙ୍କରେ ୬୦ ପ୍ରତିଶତ ପଇସା କେନ୍ଦ୍ର ସରକାର ବହନ କରୁଥିବା ବେଳେ ରାଜ୍ୟମାନେ ୪୦ ପ୍ରତିଶତ ବହନ କରୁଛନ୍ତି। ତେବେ ପିଏମଶ୍ରୀ ସ୍କୁଲର ସାରା ଖର୍ଚ୍ଚ କେନ୍ଦ୍ର ସରକାର ବହନ କରୁଛନ୍ତି।    

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.