ଡିଜାଇନରଙ୍କ ବିରୋଧରେ ପୋଲିସ FIR କଲେ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀଙ୍କ ପତ୍ନୀ, ଜାଣନ୍ତୁ କାହିଁକି
16/03/2023 at 7:06 PM

ମୁମ୍ବାଇ ୧୬।୩: ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀଶଙ୍କ ପତ୍ନୀ ଅମୃତା ଫଡନବୀଶ ଜନୈକା ଡିଜାଇନରଙ୍କ ବିରୋଧରେ ପୋଲିସରେ ଏତଲା ଦେଇଛନ୍ତି। ଡିଜାଇନର ପ୍ରଥମେ ଅମୃତାଙ୍କୁ ତାଙ୍କ ଡିଜାଇନ ଦେଖାଇଥିଲା ଓ ତାଙ୍କ ସହ ସମ୍ପର୍କ ସ୍ଥାପନା କରିଥିଲା। ପରେ ଏକ ଅପରାଧିକ ମାମଲାରେ ଡିଜାଇନର ତାଙ୍କ ବାପାଙ୍କୁ ମୁକାଳିବା ପାଇଁ ଅମୃତାଙ୍କୁ ଲାଞ୍ଚ ଯାଚିଥିଲେ। ସେବେଠାରୁ ଅମୃତା ଡିଜାଇନରର ଫୋନକୁ ବ୍ଲକ ଲିଷ୍ଟରେ ପକାଇଥିଲେ ବି ସେ ଏଣୁ ତେଣୁ ନମ୍ବରରେ ଫୋନ କରି ତାଙ୍କୁ ହଇରାଣ କରୁଥିଲା।
ମାମଲାରେ ମାଲବାର ହିଲ ଥାନାରେ ଏତଲା ହୋଇଛି। ତେବେ ଏ ପର୍ଯ୍ୟନ୍ତ ପୋଲିସ କାହାରିକୁ ଗିରଫ କରି ନାହିଁ। ପୋଲିସ ଅଭିଯୁକ୍ତ ଡିଜାଇନରଙ୍କୁ ଚିହ୍ନଟ କରିଛି। ଅନିକ୍ଷା ନାମ୍ନୀ ଏହି ଡିଜାଇନର ଗତ ୧୬ ମାସ ହେଲା ଅମୃତାଙ୍କ ସମ୍ପର୍କରେ ଥିଲେ ଓ ତାଙ୍କ ଘରକୁ ଯିବା ଆସିବା କରୁଥିଲେ। ଅନିକ୍ଷା ଓ ଅମୃତାଙ୍କ ସାକ୍ଷାତ ନଭେମ୍ବର ୨୦୨୧ରେ ହୋଇଥିଲା। ସେତେବେଳେ ଅନିକ୍ଷା ନିଜକୁ ଜଣେ ଡିଜାଇନର ଓ ସେ ବସ୍ତ୍ର, ଆଭୂଷଣ ଓ ଜୋତା ଡିଜାଇନ କରନ୍ତି ବୋଲି କହିଥିଲା।

ଅମୃତାଙ୍କ ସହ ଚିହ୍ନା ପରିଚୟ ହେବା ପରେ ଅନିକ୍ଷା ରିତିମତ ତାଙ୍କ ଘରକୁ ଯିବା ଆସିବା କରୁଥିଲେ ଓ ମଝିରେ ମୁମ୍ବାଇର ସଟ୍ଟା ଚଳାଉଥିବା କିଛି ଲୋକଙ୍କ ସମ୍ପର୍କରେ କହିଥିଲେ। ସେମାନଙ୍କ ଦ୍ୱାରା ପଇସା କରାଯାଇ ପାରିବ ବୋଲି କହିଥିଲେ। ତେବେ ଅମୃତା ତା କଥା ଉପରେ ଗୁରୁତ୍ୱ ଦେଇ ନଥିଲେ। ଏହା ପରେ ଅନିକ୍ଷା ଏକ ପୋଲିସ କେସ୍ରେ ତାଙ୍କ ପିତାଙ୍କୁ ମୁକାଳିବା ପାଇଁ ଅମୃତାଙ୍କୁ କହିଥିଲେ ଓ ଏଥି ପାଇଁ ୧ କୋଟି ଟଙ୍କାର ଲାଞ୍ଚ ଯାଚିଥିଲେ। ଏହା ପରେ ଅମୃତା ତାକୁ ଆଉ ଘରକୁ ଡକାଉନଥିଲେ ଓ ତା ଫୋନ ନମ୍ବରକୁ ବ୍ଲକ୍ କରିଦେଇଥିଲେ।
ତେବେ ପରେ ଅନିକ୍ଷା ଅଜ୍ଞାତ ନମ୍ବରରୁ ଭିଡିଓ କ୍ଲିପ୍, ଭୟେସ୍ ମ୍ୟାସେଜ୍ ଓ ଏସଏମଏସ ପଠାଉଥିଲେ। ଏଥିରେ ଅନିକ୍ଷା ଓ ତାଙ୍କ ପିତା ପରୋକ୍ଷରେ ଅମୃତାଙ୍କୁ ଧମକ ମଧ୍ୟ ଦେଉଥିଲେ। ଏଣୁ ଅମୃତା ତା ବିରୋଧରେ ଏତଲା କରିଛନ୍ତି। ମାମଲାରେ ପୋଲିସ ଏତଲା ରୁଜୁ କରିଥିବା ବେଳେ ଆଇପିସିର ଧାରା ୧୨୦ (ବି) ଓ ଦୁର୍ନୀତି ନିବାରଣ ଆଇନରେ ମୋକଦ୍ଦମା ରୁଜୁ କରିଛି।