ସଂସ୍କୃତି ବିଭାଗକୁ ଗଲା ଶିବଶକ୍ତି, ଅଧିକ ଜାଣିବା ପାଇଁ ନିଆଯିବ ପ୍ରତ୍ନତତ୍ତ୍ଵ ବିଭାଗର ସହାୟତା

Published By : Prameya-News7 Bureau | June 01, 2022 IST

ପୁରୀ: ପୁରୀ ବଳିଆପଣ୍ଡା ଲାଇଟ ହାଉସ ବେଳାଭୂମିରେ ଗତକାଲି ଭାସି ଆସିଥିବା ଶିବ ଶକ୍ତିକୁ ଆଜି ଉଦ୍ଧାର କରାଯାଇଛି। ନ୍ୟୁଜ7ରେ ଲଗାତାର ଖବର ପ୍ରସାରଣ ପରେ ଜିଲ୍ଲା ସଂସ୍କୃତି ବିଭାଗ ଅଧିକାରୀ ପଥରର ଏହି ଶିବ ଶକ୍ତିକୁ ଉଦ୍ଧାର କରି ନିଜ କାର୍ଯ୍ୟାଳୟରେ ରଖିଛନ୍ତି। ତେବେ ଏହା ସମୁଦ୍ରରେ ଭାସି ଆସି କୂଳରେ ଲାଗିଛି ନା କୌଣସି ଦୁର୍ବୁତ୍ତ ଏହାକୁ ଏଠାରେ ରଖି ଚାଲିଯାଇଛି ତାହା ସ୍ପଷ୍ଟ ହୋଇନାହିଁ। ରାଜ୍ୟ ତଥା କେନ୍ଦ୍ର ପ୍ରତ୍ନତତ୍ତ୍ଵ ବିଭାଗର ବିଶେଷଜ୍ଞଙ୍କ ସହ ଆଲୋଚନା ପରେ ଏହି ଶିବ ଶକ୍ତି ସମ୍ପର୍କରେ ଅଧିକ ତଥ୍ୟ ମିଳିପାରିବ ବୋଲି କହିଛନ୍ତି ଜିଲ୍ଲାପାଳ।

ଶିବଶକ୍ତିକୁ ଭଲଭାବେ ପରୀକ୍ଷା କରିବାକୁ ପଡିବ ବୋଲି କହିଛନ୍ତି ସଂସ୍କୃତି ବିଭାଗ ଅଧିକାରୀ ହେମନ୍ତ ବେହେରା। ପ୍ରାୟ ୫୦କିଲୋରୁ ଅଧିକ ଓଜନର ଏହି ପଥରର ଶିବ ଶକ୍ତି ସମ୍ପର୍କରେ ଅଧିକ ତଥ୍ୟ ହାସଲ ପାଇଁ ରାଜ୍ୟ ତଥା କେନ୍ଦ୍ର ପ୍ରତ୍ନତତ୍ତ୍ଵ ବିଭାଗ ସହ ଆଲୋଚନା କରାଯିବ ବୋଲି ଜିଲ୍ଲାପାଳ ସମର୍ଥ ବର୍ମା କହିଛନ୍ତି।

wp:html /wp:html

ଗତକାଲି ସକାଳ ପ୍ରାୟ ୧୦.୩୦ ସମୟରେ ପଥରର ଏହି ଶିବ ଶକ୍ତିଟି ବଳିଆପଣ୍ଡା ଲାଇଟ ହାଉସ ବେଳାଭୂମିରେ ଲାଗିଥିଲା। ସେଠାରେ ଥିବା କିଛି ମତ୍ସଜୀବୀ ମାନେ ଏହାକୁ ଦେଖି ନ୍ୟୁଜ7 କୁ ଖବର ଦେଇଥିଲେ। ଏହି ଶିବ ଶକ୍ତିଟି ଭାସି ଆସିବା ସମୟରେ ଏଥିରୁ ଶିବ ଲିଙ୍ଗଟି ଅଲଗା ହୋଇଯାଇଥିବା ଅନୁମାନ କରାଯାଉଛି।

ପଥରର ଏହି ଶକ୍ତିକୁ ଦେଖିବା ପାଇଁ ପର୍ଯ୍ୟଟକ ଓ ସ୍ଥାନୀୟ ବାସିନ୍ଦାଙ୍କ ଭିଡ ଜମିଥିବା ବେଳେ ଏଥିରେ ଦୁଇଟି ଗର୍ତ୍ତ ରହିଛି। ତେବେ ଏହା ଓଡିଶାରେ ଦେଖିବାକୁ ମିଳୁନଥିଲେ ମଧ୍ୟ ଦକ୍ଷିଣ ଭାରତର ରାମେଶ୍ବରମ୍ ଇଲାକାରେ ଦେଖିବାକୁ ମିଳିଥାଏ ବୋଲି ଚର୍ଚ୍ଚା ହେଉଛି। ଏହା କେଉଁ ପଥରରେ ନିର୍ମିତ ଓ ମହୋଦଧିରେ କିଭଳି ଭାସି ଆସି ଲାଗିଲା ସେନେଇ ପରୀକ୍ଷା ନିରୀକ୍ଷା କରିବା ଆବଶ୍ୟକ ବୋଲି ସସ୍କୃତିବିତ୍ ମତ ରଖିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.