ଶାରୀରିକ ସମ୍ପର୍କ ପାଇଁ ସ୍ୱାମୀଙ୍କୁ ମନା କରିବା, ସାଙ୍ଗଙ୍କ ସାମନାରେ ଅପମାନିତ କରିବା ‘କ୍ରୂରତା’: ବମ୍ୱେ ହାଇକୋର୍ଟଙ୍କ ବଡ଼ ରାୟ

Published By : Prameya-News7 Bureau | July 19, 2025 IST

ନୂଆଦିଲ୍ଲୀ: ଏକ ଛାଡ଼ପତ୍ର ମାମଲା ଉପରେ ଶୁଣାଣି ବେଳେ ବମ୍ୱେ ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ କରିଛନ୍ତି । ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇ କହିଛନ୍ତି, ଯଦି କୌଣସି ସ୍ତ୍ରୀ ନିଜ ସ୍ୱାମୀଙ୍କୁ ତାଙ୍କ ବନ୍ଧୁ ସାମନାରେ ଅପମାନିତ କରନ୍ତି, ସ୍ୱାମୀଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ ମନା କରନ୍ତି ଓ ପ୍ରରକୀୟ ପ୍ରୀତିର ମିଛ ଅଭିଯୋଗ ଲଗାନ୍ତି, ତେବେ ତାହା ‘କ୍ରୂରତା’ ବୋଲି ଧରାଯିବ । ଏହା ହିନ୍ଦୁ ବିବାହ ଅଧିନିୟମ ଅନୁଯାୟୀ ଛାଡ଼ପତ୍ର ପାଇଁ ଏକ ଆଧାର ହୋଇପାରିବ ।

ନ୍ୟାୟାଧୀଶ ରେବତୀ ମୋହିତେ ଡେରେ ଓ ନ୍ୟାୟାଧୀଶ ଡ.ନୀଲା ଗୋକଲେଙ୍କ ଖଣ୍ଡପୀଠ ଏହି ରାୟ ଶୁଣାଣିଥିଲେ । ୨୦୧୯ରେ ପୁଣେ ଫ୍ୟାମିଲି କୋର୍ଟ ଦେଇଥିବା ରାୟକୁ ବିରୋଧ କରି ଜଣେ ମହିଳା ଦାଖଲ କରିଥିବା ଆବେଦନ ଉପରେ ହାଇକୋର୍ଟ ଶୁଣାଣି କରିଥିଲେ । ପୁଣେ ଫ୍ୟାମିଲି କୋର୍ଟ ନିଜ ରାୟରେ ସ୍ୱାମୀଙ୍କୁ ଛାଡ଼ପତ୍ର ଲାଗି ଅନୁମତି ଦେଇଥିଲେ । 

ଏହି ଦମ୍ପତିଙ୍କ ବିବାହ ୨୦୧୩ ଡିସେମ୍ୱରରେ ହୋଇଥିଲା, କିନ୍ତୁ ଗୋଟିଏ ବର୍ଷ ଭିତରେ ହିଁ ମନ୍ତାନ୍ତର ଯୋଗୁ ଦୁହେଁ ଅଲଗା ହୋଇ ଯାଇଥିଲେ । ୨୦୧୫ ଜୁଲାଇରେ ମହିଳା ଜଣକ ନିଜ ସ୍ୱାମୀ ଓ ଶାଶୁଘର ଲୋକଙ୍କ ବିରୋଧରେ ପୋଲିସରେ ଅଭିଯୋଗ କରିଥିଲେ । ମାନସିକ ନିର୍ଯାତନା, ସ୍ତ୍ରୀ ଧନ ରଖିବା ଓ ଘରୁ ବାହାର କରିବା ପରି ସଙ୍ଗୀନ ଅଭିଯୋଗ କରିଥିଲେ । ପରେ କିନ୍ତୁ ମହିଳା ଜଣକ ଫ୍ୟାମିଲି କୋର୍ଟରେ ବିବାହ ବଞ୍ଚାଇବା ପାଇଁ ଆବେଦନ କରିଥିଲେ । ଆବେଦନରେ ବିବାହକୁ ଶେଷ କରିବାକୁ ଚାହୁଁନଥିବା କହିଥିଲେ । ଅନ୍ୟପଟେ, ମହିଳାଙ୍କ ସ୍ୱାମୀ କ୍ରୂରତା ଓ ପରିତ୍ୟାଗ ଆଧାରରେ ଛାଡ଼ପତ୍ର ଆବେଦନ କରିଥିଲେ ।

ସ୍ୱାମୀ କୋର୍ଟରେ କହିଥିଲେ ଯେ ତାଙ୍କ ସ୍ତ୍ରୀ କେବଳ ଶାରୀରିକ ସମ୍ପର୍କ ରଖିବାକୁ ମନା କରୁନାହାନ୍ତି, ବରଂ ସାଙ୍ଗମାନଙ୍କ ସାମନାରେ ବି ତାଙ୍କୁ ଅପମାନିତ କରୁଥିଲେ । ଏହାଛଡ଼ା ମିଛ ପରକୀୟ ପ୍ରୀତି ନେଇ ଅଭିଯୋଗ ମଧ୍ୟ ଲଗାଉଥିଲେ । ଏହା ସହ ସ୍ତ୍ରୀ ତାଙ୍କ ଦିବ୍ୟାଙ୍ଗ ଭଉଣୀ ସହ ଅମାନବୀୟ ବ୍ୟବହାର କରୁଥିବା ଅଭିଯୋଗ କରିଥିଲେ । ଏପରି କି ସ୍ତ୍ରୀ ତାଙ୍କ କାର୍ଯ୍ୟାଳକର କର୍ମଚାରୀଙ୍କୁ ବି ଦୁର୍ବ୍ୟବହାର କରୁଥିଲେ, ଯେଉଁଥି ପାଇଁ ସେ ମାନସିକ ଭାବେ ପୀଡ଼ିତ ହୋଇଥିବା କହିଥିଲେ ।

୨୦୧୯ରେ ପୁଣେ ଫ୍ୟାମିଲି କୋର୍ଟ ସ୍ତ୍ରୀଙ୍କ ଆବେଦନକୁ ଖାରଜ କରି ସ୍ୱାମୀଙ୍କୁ ଛାଡପତ୍ର ପାଇଁ ଅନୁମତି ଦେଇଥିଲେ । ଏହାକୁ ବିରୋଧ କରି ମହିଳା ଜଣକ ୨୦୨୧ରେ ବମ୍ୱେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଓ ୧୦,୦୦୦ ଟଙ୍କା ପ୍ରତିମାସ ଭରଣପୋଷଣ ଦାବି କରିଥିଲେ । ହାଇକୋର୍ଟ ଦୁଇ ଜଣଙ୍କ ମଧ୍ୟରେ ଅନେକ ଥର ମଧ୍ୟସ୍ଥତା କରି ସମାଧାନ କରିବାକୁ ଉଦ୍ୟମ କରିଥିଲେ, କିନ୍ତୁ କିଛି ଲାଭ ହେଲା ନାହିଁ । ହାଇକୋର୍ଟ ସ୍ପଷ୍ଟ କରିଥିଲେ ଯେ ଦୁଇ ଜଣଙ୍କ ମଧ୍ୟରେ କୌଣସି ସମ୍ଭାବନା ନାହିଁ ଓ ମହିଳା ଆଣିଥିବା ଅଭିଯୋଗ କୋର୍ଟରେ ପ୍ରସ୍ତୁତ ସାକ୍ଷୀ ଆଧାରରେ ମିଛ ପ୍ରମାଣିତ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.