ଆମ ଦାବି ପୂରଣ କରାଯାଉ, ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ

Published By : Prameya-News7 Bureau | November 05, 2022 IST

ଦେବଗଡ: ଶନିବାର ନୂତନ ପେନସନ ଯୋଜନାଭୁକ୍ତ ଦେବଗଡ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ସାଧାରଣ ସଭା କରାଯିବା ସହ ଦେବଗଡ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ପୂର୍ବାହ୍ନ ସମୟରେ ଜିଲ୍ଲାର ତିନୋଟି ବ୍ଲକ ଅଞ୍ଚଳର ଶତାଧିକ ଶିକ୍ଷକ ସ୍ଥାନୀୟ ଗୋପାଳଜୀଉ ମନ୍ଦିର ଠାରେ ଏକତ୍ରିତ ହୋଇଥିଲେ। ସେଠାରେ ସଂଘ ପକ୍ଷରୁ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା ।

ସାଧାରଣ ସଭା ପରେ ଉପସ୍ଥିତ ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ବିକ୍ଷୋଭ ଶୋଭାଯାତ୍ରା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲେ।ମଧ୍ୟାହ୍ନ ସମୟରେ ସଂଘ ପକ୍ଷରୁ ଶହ ଶହ ଶିକ୍ଷକ ଶିକ୍ଷୟିତ୍ରୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଧାରଣା ଦେଇଥିଲେ । ଶିକ୍ଷକ ମାନଙ୍କ ଏହି ବିକ୍ଷୋଭ ପ୍ରଦର୍ଶନରେ ଦେବଗଡ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀ ସାମିଲ ହୋଇ ଶିକ୍ଷକ ମାନଙ୍କୁ ନୈତିକ ସମର୍ଥନ କରିଥିଲେ ।

ଶିକ୍ଷକ ମାନଙ୍କ ଦାବୀ ମଧ୍ୟରେ ମୁଖ୍ୟତଃ ଛଅଟି ଇନକ୍ରିମେଣ୍ଟ ପ୍ରଦାନ, ନୂତନ ପେନସନ ଯୋଜନା ବାତିଲ କରି ପୁରୁଣା ପେନସନ ଯୋଜନା ଲାଗୁ କରିବା, ଏକ୍ସ କ୍ୟାଡରକୁ ଉଚ୍ଛେଦ କରି ସମସ୍ତଙ୍କୁ ଗୋଟିଏ କ୍ୟାଡରରେ ଅନ୍ତର୍ଭୁକ୍ତ କରିବା ଓ ସପ୍ତମ ବେତନ କମିଶନଙ୍କ ସୁପାରିଶ ଅନୁସାରେ କେନ୍ଦ୍ରୀୟ ହାରରେ ଦରମା ପ୍ରଦାନ ଭଳି ଦାବୀ ରହିଛି । ଆଗାମୀ ଦିନରେ ଏହି ଦାବୀକୁ ନେଇ ସଂଘ ପକ୍ଷରୁ ରାଜଧାନୀରେ ଆନ୍ଦୋଳନ ପାଇଁ ଚେତାବନୀ ଦିଆଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.