ଦେଶରେ JioMartକୁ ବିରୋଧ: ବହୁ ଶସ୍ତାରେ ମିଳୁଛି ରାସନ ସାମଗ୍ରୀ, ଡିଷ୍ଟ୍ରିବ୍ୟୁଟର୍ସଙ୍କୁ ପଚାରୁନାହାଁନ୍ତି ଖୁଚୁରା ବେପାରୀ !

Published By : Prameya-News7 Bureau | November 22, 2021 IST

ନୂଆଦିଲ୍ଲୀ ୨୨/୧୧:  ମୁକେଶ ଅମ୍ବାନୀଙ୍କ ଜିଓ ମାର୍ଟକୁ ବିରୋଧ। ମହାରାଷ୍ଟ୍ରରୁ ତାମିଲନାଡୁ ପର୍ଯ୍ୟନ୍ତ ବିରୋଧ ପ୍ରଦର୍ଶନ ଜାରି ରହିଥିବା ବେଳେ  ଗ୍ରୋସରୀ ବିତରକ (ଡିଷ୍ଟ୍ରିବ୍ୟୁଟର୍ସ) ଜିଓ ମାର୍ଟର ଡେଲିଭରି କଣ୍ଟେନରକୁ ରୋକି ଦେଇଛନ୍ତି । ଜିଓ ମାର୍ଟ ପାଇଁ ଡିଷ୍ଟ୍ରିବ୍ୟୁଟର୍ସ ଘାଟା ସହୁଥିବା ବେଳେ ଖୁଚୁରା ବେପାରୀ ଏବେ ସେମାନଙ୍କ ଠାରୁ ଜିନିଷ ପତ୍ର କିଣାକିଣି କରୁନାହାନ୍ତି। ମୋବାଇଲ୍‌ରେ ଗୋଟିଏ କ୍ଲିକ୍‌ରେ କମ୍‌ ଦାମରେ ସବୁ କିଛି ମିଳିଯାଉଥିବାରୁ ଛୋଟ ଦୋକାନୀ ଆଉ ଡିଷ୍ଟ୍ରିବ୍ୟୁଟର୍ସଙ୍କୁ ଖୋଜୁନାହାନ୍ତି । ତେଣୁ ଡିଷ୍ଟ୍ରିବ୍ୟୁଟରମାନେ ନିଜର କର୍ମଚାରୀ କମ୍‌ କରିଥିବା ବେଳେ ବେପାର ଏକ ପ୍ରକାର ଠପ ହୋଇଛି ।

୨୦୦୮ରେ ମୁକେଶ ଅମ୍ବାନୀଙ୍କ କମ୍ପାନୀ ରିଲାଏନ୍ସ ପକ୍ଷରୁ ଦେଶରେ ‘ଜିଓ ମାର୍ଟ’ ଲଞ୍ଚ ହୋଇଥିଲା। ଆଜି ଏହା ଦେଶର ପାଖାପାଖି ୪.୫୦ ଲକ୍ଷ ଡିଷ୍ଟ୍ରିବ୍ୟୁଟର୍ସଙ୍କ ଆହାର ଉପରେ ପ୍ରହାର ସାଜିଛି। ବିଶେଷ କରି ବଡ଼ ବ୍ୟବସାୟୀମାନେ ୩-୪ ପ୍ରତିଶତ ଲାଭ ରଖି ଛୋଟ ଦୋକାନୀଙ୍କୁ ରାସନ ସାମଗ୍ରୀ ଯୋଗାଇ ଥାନ୍ତି। ଖୁଚୁରା ବେପାରୀ ଅର୍ଡର କରିବାର ୨-୩ ଦିନ ପରେ ସେମାନଙ୍କ ପାଖରେ ମାଲ ପହଞ୍ଚିଯାଏ। କିନ୍ତୁ ରିଲାଏନ୍ସ ଜିଓ ମାର୍ଟରେ ଅର୍ଡର କଲେ ୨୪ ଘଣ୍ଟା ଭିତରେ ମାଲ୍‌ ପହଞ୍ଚୁଛି ।

ଏହା ବ୍ୟତୀତ ଏଥିରେ ବହୁତ ରିହାତି ମଧ୍ୟ ମିଳୁଛି। ତେଣୁ ଖୁଚୁରା ବେପାରୀ ଡିଷ୍ଟ୍ରିବ୍ୟୁଟର୍ସଙ୍କ ଠାରୁ ମାଲ୍‌ ଅର୍ଡର କରୁନାହାନ୍ତି। ଜଣେ ଡିଷ୍ଟ୍ରିବ୍ୟୁଟରଙ୍କ  ଅନୁସାରେ, ଲଗାତାର ୮ ଦିନ ହେଲା ସେ ଛୋଟ ଦୋକାନୀଙ୍କୁ ଖଣ୍ଡେ ହେଲେ ବି ସାବୁନ ବିକ୍ରି କରିନାହାନ୍ତି। ଏନେଇ ଦୋକାନୀଙ୍କୁ ପଚାରିବାରୁ ସେମାନେ ମୋବାଇଲରେ ଜିଓ ମାର୍ଟ ଆପ୍‌ ଦେଖାଇ କହୁଛନ୍ତି, ଏଠାରେ ୧୫ ପ୍ରତିଶତ ରିହାତିରେ ଜିନି​‌ଷ ମିଳୁଛି। ସେପଟେ ଜିଓ ମାର୍ଟ ବିରୋଧରେ ଆନ୍ଦୋଳନ ଜାରି ରଖି​‌ବେ ବୋଲି ଅଲ ଇଣ୍ଡିଆ କନଜ୍ୟୁମର ପ୍ରଡକ୍ଟସ୍‌ ଡିଷ୍ଟ୍ରିବ୍ୟୁଟର୍ସ ଫେଡରେସନ୍‌ର ଅଧ୍ୟକ୍ଷ ଧୈର୍ଯ୍ୟଶୀଳ ପାଟିଲ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.