ବଡ଼ ଠାକୁର ପଡ଼ିଯିବା ଘଟଣା: ସେବାୟତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି, ତଦନ୍ତ ପାଇଁ ୩ ଜଣିଆ କମିଟି ଗଠନ

Published By : Prameya-News7 Bureau | July 10, 2024 IST

ପୁରୀ:  ଆଡ଼ପ ପହଣ୍ଡିବେଳେ ଚାରମାଳ ଉପରେ ବଡ଼ ଠାକୁର ପ୍ରଭୁ ଶ୍ରୀବଳଭଦ୍ର ହାମୁଡ଼େଇ ପଡ଼ିଯିବା ଘଟଣାକୁ ନେଇ ଭକ୍ତ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଏଭଳି ଦାୟିତ୍ବହୀନ କାର୍ଯ୍ୟ କରିଥିବା ସେବାୟତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ଜୋର୍ ଧରିଛି । ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ସରିବା ପରେ ନିଜ ନିଜର ପ୍ରତିକ୍ରିୟା ରଖିଛନ୍ତି ଗଜପତି ମହାରାଜା, ସେବାୟତ ଓ ପରିଚାଳନା କମିଟି ସଦସ୍ୟ । ଘଟଣାର ତଦନ୍ତ ପାଇଁ ତିନି ଜଣିଆ କମିଟି ଗଠନ ହୋଇଥିବା ବେଳେ ରିପୋର୍ଟ ଆଧାରରେ ଉଚିତ୍ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ।

Also read: ଆଇନମନ୍ତ୍ରୀ କହିଲେ ବଡ ଠାକୁରଙ୍କର କିଛି କ୍ଷତି ହୋଇନି, ଉପମୁଖ୍ୟମନ୍ତ୍ରୀଙ୍କ ମନ୍ତବ୍ୟ,ଏହା ଲୀଳାମୟଙ୍କ ଲୀଳା

ପୂର୍ବରୁ କେବେ ଘଟିନଥିଲା ଏତେ ବଡ଼ ଅଘଟଣ । ଯାହା ଗତକାଲି ଆଡ଼ପ ପହଣ୍ଡି ବେଳେ ଘଟିଲା । ପହଣ୍ଡି ବେଳେ ମହାପ୍ରଭୁ ଶ୍ରୀବଳଭଦ୍ରଙ୍କୁ ପକାଇଦେଲେ ସେବାୟତ । ଚାରମାଳ ଉପରେ ହାମୁଡେଇ ପଡ଼ିଗଲେ ବଡ଼ ଠାକୁର । କୋଟି କୋଟି ଜଗନ୍ନାଥପ୍ରେମୀଙ୍କ ଭାବାବେଗକୁ ଦୋହଲାଇ ଦେଇଛି ଏହି ଘଟଣା । ଚାହୁଁ ଚାହୁଁ ନିଜ ଆଖିସାମ୍ନାରେ ଘଟିଗଲା ଏତେ ବଡ଼ ଅଘଟଣ । କିଛି ସମୟ ପାଇଁ ବନ୍ଦ ହୋଇଗଲା ସମସ୍ତଙ୍କ ହୃତ୍ସ୍ପନ୍ଦନ । ପ୍ରତ୍ୟେକଙ୍କ ମୁହଁରୁ ବାହାରି ଆସିଥିଲା ଆହାଃ ଏ କ’ଣ କଲ ? ଆମ ଠାକୁରଙ୍କୁ ଏମିତି ତଳେ ପକାଇଦେଲ ? 

କାହିଁକି ଘଟିଲା ଏ ଅଘଟଣ ? ପ୍ରଶ୍ନ ୧ । ପ୍ରଥମେ ଚାରମାଳ ଉପରେ କାହିଁକି ବଡ଼ ଠାକୁରଙ୍କୁ ପାଖାପାଖି ଅଧଘଣ୍ଟା ଧରି ଅପେକ୍ଷା କରିବାକୁ ପଡ଼ିଥିଲା ?  ପ୍ରଶ୍ନ-୨ । ଏହା ବଡ଼ ଠାକୁରଙ୍କ ଅଙ୍ଗରକ୍ଷୀ ସେବାୟତଙ୍କ ଦାୟିତ୍ବହୀନତା କି ?  ପ୍ରଶ୍ନ-୩ ।  ରଥ ଉପରେ ଆବଶ୍ୟକତା ଠାରୁ ଅଧିକ ସେବାୟତ ଚଢ଼ିଥିଲେ କି ? ପ୍ରଶ୍ନ -୪ । ମହାପ୍ରଭୁଙ୍କ ପହଣ୍ଡିରେ ନିୟୋଜିତ ହୋଇଥିଲେ କି ଅନଭିଜ୍ଞ ସେବାୟତ । ପ୍ରଶ୍ନ-୫ । ସେମାନଙ୍କୁ ଠିକ୍ ଭାବେ ପ୍ରଶିକ୍ଷଣ ଦେଇନଥିଲେ କି ବରିଷ୍ଠ ସେବାୟତ ?  ପ୍ରଶ୍ନ -୬ ।   ଠାକୁରଙ୍କ ପହଣ୍ଡିରେ ନିୟୋଜିତ ସେବକଙ୍କ ଶାରିରୀକ ଦକ୍ଷତା କମ୍ ଥିବାରୁ ହରାଇଲେ କି ନିୟନ୍ତ୍ରଣ ?  ଏଭଳି ଅନେକ ପ୍ରଶ୍ନର ବୁଢ଼ିଆଣି ଜାଲରେ ଛନ୍ଦି ହୋଇ ଆଉଟୁପାଉଟୁ ହେଉଛି କୋଟି ଓଡ଼ିଆଙ୍କ ମନ । 

ଏହା ଛଡ଼ା ମହାପ୍ରଭୁଙ୍କ ସେବା ଅପେକ୍ଷା ଅନେକ ସେବାୟତ ରଥ ଉପରେ ସେଲଫି ଉଠାଇବାରେ ବ୍ୟସ୍ତ ଥିବାର ଦେଖିବାକୁ ମିଳୁଥିଲା । ପ୍ରଭୁଙ୍କ ଅଙ୍ଗଲାଗି ସେବକ ହେବା ପାଇଁ କେବଳ ମାନସିକ ନୁହେଁ ଶାରୀରିକ ଓ ଆଧ୍ୟାତ୍ମିକ ଅଭିବୃଦ୍ଧି ପାଇଁ ପ୍ରତ୍ୟେକ ସେବକ ପ୍ରସ୍ତୁତ ହେବା ଦରକାର । ଖୋଦ୍ ଗଜପତି ମହରାଜ ମଧ୍ୟ ଏହି ଘଟଣାକୁ ନେଇ ସମାନ ଆକଳନ କରିଛନ୍ତି ।  କହିଛନ୍ତି, ଏହି ଘଟଣାକୁ ନେଇ ସେବାୟତମାନେ ଯାହା ଶିକ୍ଷା ପାଇବା କଥା ପାଇ ସାରିଛନ୍ତି । କେତେ ଗୁଡ଼ିଏ ମୂଳ ସମସ୍ୟା ରହିଛି । ପହଣ୍ଡି ବେଳେ ଅଧିକ ସଂଖ୍ୟକ ସେବକ ରହିବା ଏବଂ ରଥ ଉପରେ ଅଧିକ ସଂଖ୍ୟକ ସେବକ ଚଢ଼ିବା ଚିନ୍ତାଜନକ । ନିଳାଦ୍ରୀ ବିଜେ ପରେ ଘଟଣାର ତଦନ୍ତ ହେବ । ଆଗାମୀ ରଥଯାତ୍ରା ସମୟରେ ଯେଭଳି ଏହାର ପୁନରାବୃତ୍ତି ନହେବ ସେଥିପାଇଁ ସମସ୍ତେ ଯତ୍ନବାନ ହେବା ଆବଶ୍ୟକ ବୋଲି କହିଛନ୍ତି ଗଜପତି । ସେହିଭଳି ପରିଚାଳନା କମିଟି ସଦସ୍ୟ ତଥା ବିରିଷ୍ଠ ଦଇତାପତି ସେବାୟତ ଦୁର୍ଗାପ୍ରସାଦ ମହାପାତ୍ର ମଧ୍ୟ ରଥ ଉପରେ ଆବଶ୍ୟକତା ଠାରୁ ଅଧିକ ସଂଖ୍ୟକ ସେବାୟତଙ୍କ ଉପସ୍ଥିତିକୁ ଦାୟୀ କରିଛନ୍ତି । ମହାପ୍ରଭୁଙ୍କ ପହଣ୍ଡି ବେଳେ ଛାଟେଣୀ ଖସିଯିବାରୁ ଏଭଳି ଅଭାବନୀୟ ଘଟଣା ଘଟିଲା ବୋଲି କହିଛନ୍ତି ସେବାୟତ । 

ସେପଟେ ଆଡ଼ପ ପହଣ୍ଡି ବେଳେ ଏଭଳି ଅଘଟଣର ତଦନ୍ତ ପାଇଁ ଗଠନ ହୋଇଛି ତିନି ଜଣିଆ କମିଟି । ଏହି କମିଟିରେ ଅତିରିକ୍ତ ଜିଲ୍ଲାପାଳ, ଉନ୍ନୟନ ପ୍ରଶାସକ, ଡେପୁଟି କମାଣ୍ଡାଣ୍ଟ ରହିଛନ୍ତି । ତଦନ୍ତ କରି କମିଟି ରିପୋର୍ଟ ପ୍ରଦାନ କରିବା ପରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ଜିଲ୍ଲାପାଳ ।  କାଲିର ଘଟରା ଅତି ନିନ୍ଦନୀୟ । ଠାକୁରଙ୍କ ପହଣ୍ଡି କରନ୍ତି ମହାପ୍ରଭୁଙ୍କ ଅଙ୍ଗଲାଗି ସେବକ । ରଥ ଉପରେ ଆବଶ୍ୟକ ଠାରୁ ଅଧିକ ସେବାୟତ ରହୁଛନ୍ତି ତାଙ୍କ ଉପରେ କାହାର ନିୟନ୍ତ୍ରଣ ରହୁନି । ସେମାନେ ଯେଉଁଭଳି ଭାବେ ଦାୟିତ୍ବହୀନ ଭାବେ କାମ କରୁଛନ୍ତି ତାହା ପରିତାପର ବିଷୟ । କିଛି ସେବକଙ୍କ ଏଭଳି ଦାୟିତ୍ବହୀନ କାର୍ଯ୍ୟ ପାଇଁ ନିନ୍ଦିତ ହେଉଛନ୍ତି ପୂରା ସେବାୟତ ସମାଜ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.