ଢାକା ୨୮।୧୧: ବାଂଲାଦେଶ ଉଚ୍ଚ ନ୍ୟାୟାଳୟ ଗୁରୁବାର ଦେଶରେ ଅନ୍ତରାଷ୍ଟ୍ରୀୟ କୃଷ୍ଣ ଭାବନା ସଂଘ (ଇସ୍କନ)ର ଗତିବିଦ୍ଧି ଉପରେ କଟକଣା ଲଗାଇବା ପାଇଁ ଆଦେଶ ଗୃହୀତ କରିବାକୁ ମନା କରିଦେଇଛନ୍ତି। ଇସ୍କନ ଉପରେ ପ୍ରତିବନ୍ଧକ ଲଗାଇବା ଦାବି କରି ଉପସ୍ଥାପିତ ପିଟିସନର ଶୁଣାଣି କାଳରେ ଆଟର୍ଣ୍ଣି ଜେନେରାଲଙ୍କ କାର୍ଯ୍ୟାଳୟ କହିଛନ୍ତି ଯେ ସରକାରୀ ଅଧିକାରୀମାନେ ଏ ବାବଦେ ଆବଶ୍ୟକ ପଦକ୍ଷେପ ନେଇଛନ୍ତି।
ଶୁଣାଣି କାଳରେ ବାଂଲାଦେଶ ହାଇକୋର୍ଟ କହିଛନ୍ତି ଯେ ଏହି ପ୍ରସଙ୍ଗକୁ ସରକାର ଦେଖିବେ। ଏଥିରେ ଆଟର୍ଣ୍ଣି ଜେନେରାଲ କହିଛନ୍ତିଯେ ଇସ୍କନ ସମ୍ପର୍କିତ ମାମଲା ବାଂଲାଦେଶର ସର୍ବୋଚ୍ଚ ପ୍ରାଥମିକତା। ଏଥିରେ ବାଂଲାଦେଶ ସରକାର କହିଛନ୍ତି ଯେ ସରକାର ଚିନ୍ମୟ ଦାସଙ୍କ ଗିରଫ ପରେ ଆଇନଶୃଙ୍ଖଳା ବିଗାଡିବାକୁ ଉଦ୍ୟମ କରିଥିବା ଲୋକଙ୍କବିରୋଧରେ କଡା ପଦକ୍ଷେପ ଗ୍ରହଣ କରିଛନ୍ତି। ଅତିରିକ୍ତ ଆଟର୍ଣ୍ଣି ଜେନେରାଲ କୋର୍ଟଙ୍କୁ ଆଶ୍ୱସ୍ତ କରିଛନ୍ତି ଯେ ଇସ୍କନ ପ୍ରସଙ୍ଗ ସରକାରଙ୍କ ସର୍ବୋଚ୍ଚ ପ୍ରାଥମିକତା।
ଆବେଦନକାରୀ ଇସ୍କନ ଉପରେ କଟକଣା ଲଗାଇବାର ଏହା ଉପଯୁକ୍ତ ସମୟ ବୋଲି କହିବାରୁ ହାଇକୋର୍ଟ ଏହା ଉପରେ ସରକାର କଣ ନିଷ୍ପତ୍ତି ନେଉଛନ୍ତି ଦେଖିବା ବୋଲି କହିଛନ୍ତି। ବାଂଲାଦେଶ ହାଇକୋର୍ଟ ଇସ୍କନ ବ୍ୟାନ ସମ୍ପର୍କିତ କୌଣସି ନିଷ୍ପତ୍ତି ନେଇ ନାହାନ୍ତି, ତେବେ ହାଇକୋର୍ଟ କହିଛନ୍ତି ସରକାର ନିଶ୍ଚିତ ରୂପେ ମାମଲାକୁ ଦେଖିବେ। ବାଂଲାଦେଶ ଉଚ୍ଚନ୍ୟାୟଳୟରେ ଏହି ଘଟଣା ଇସ୍କନ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ଆବେଦନ ଦାଖଲର ଦିନକ ପରେ ହୋଇଛି। କାରଣ ହିନ୍ଦୁ ଭିକ୍ଷୁ ଚିନ୍ମୟ କୃଷ୍ଣ ଦାସ ପ୍ରଭୁଙ୍କ ଉପରେ ଦେଶଦ୍ରୋହ ଆରୋପ ଲଗାଯିବା ପରେ ଦେଶରେ ହିନ୍ଦୁ ସମୂଦାୟଙ୍କ ଉପରେ ଆକ୍ରମଣ ଘଟଣା ବୃଦ୍ଧି ପାଇଛି।
ଏହି ଆବେଦନରେ ବାଂଲାଦେଶର ଚଟଗାଓଁ ଏବଂ ରଙ୍ଗପୁର ସହରରେ କୌଣସି ଆପ୍ରିୟ ପରିସ୍ଥିତିରୁ ବର୍ତ୍ତିବା ପାଇଁ ଜରୁରିକାଳୀନ ପରିସ୍ଥିତି ଜାରି କରିବା ଲାଗି ମଧ୍ୟ ନିବେଦନ କରାଯାଇଛି। ଶୁଣାଣି ସମାପ୍ତ ହେବାପରେ ଆଟର୍ଣ୍ଣି ଜେନେରାଲ ଗଣମାଧ୍ୟମକୁ କିଛି କହିବେ ବୋଲି ଆଶା କରାଯାଉଥିଲା। ତେବେ ସେ କିଛି କହିନଥିବା ବେଳେ ପ୍ରସଙ୍ଗରେ କୋର୍ଟ ସରକାରଙ୍କୁ ହସ୍ତକ୍ଷେପ କରିବା ପାଇଁ ଦାବି କରିଛନ୍ତି।