ଗାଁକୁ ରାସ୍ତା ନାହିଁ କି ପିଇବା ପାଣିର ସୁବିଧା ନାହିଁ, ଉପ-ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଲେ ଆଦିବାସୀ ଲୋକେ
23/08/2022 at 9:24 PM

ଆଠଗଡ଼, ୨୩/୦୮: ଆଠଗଡ଼ ରାଧାକୃଷ୍ଣପୁର ପଞ୍ଚାୟତ ରାଧିକା ପାଟିକା ଗ୍ରାମଟି ଦୀର୍ଘ ଦିନ ଧରି ଅବହେଳିତ ଅବସ୍ଥାରେ ରହିଛି। ଏ ନେଇ ବାରମ୍ବାର ଖବର ପ୍ରସାରଣ ମଧ୍ୟ ପ୍ରଶାସନର ଏ ବାବଦକୁ ଦୃଷ୍ଟି ନଦେବା ର୍ଦୁଭାଗ୍ୟଜନକ । ଏହି ସମସ୍ୟାର ତୁରନ୍ତ ସମାଧାନ ପାଇଁ ଯୁବ ସଂଗଠକଙ୍କ ନେତୃତ୍ବରେ ଗ୍ରାମର ଆଦିବାସୀ ପୁରୁଷ ଓ ମହିଳାମାନେ ଉପଜିଲ୍ଲାପାଳଙ୍କ ନିକଟରେ ଦାବିପତ୍ର ପ୍ରଦାନ କରିଛନ୍ତି । ଉପଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ସହକାରୀ ଉପଜିଲ୍ଲାପାଳ ପ୍ରଜ୍ଞା ପାରମିତା ପୃଷ୍ଟିଙ୍କୁ ଏହି ଦାବି ପତ୍ର ପ୍ରଦାନ କରିଥିଲେ।
ସ୍ଵାଧୀନତାର ୭୬ ବର୍ଷ ପରେ ମଧ୍ୟ ଏ ପର୍ଯ୍ୟନ୍ତ ଏହି ଗାଁକୁ ରାସ୍ତା ନାହିଁ କି ପିଇବା ପାଇଁ ଭଲ ନଳକୂପଟିଏ ନାହିଁ । ଏହି ଗ୍ରାମର ଲୋକମାନେ ଯିବାଆସିବା ପାଇଁ ନିଜେ ଏକାଠି ହୋଇ ଜଙ୍ଗଲରୁ କାଠ ସଂଗ୍ରହ କରି ଏକ କାଠ ପୋଲ ତିଆରି କରିଛନ୍ତି । ଏହି କାଠ ପୋଲ ହେଉଛି ଗ୍ରାମବାସୀ ଙ୍କ ଯିବା ଆସିବା ପାଇଁ ସାହାଭରସା । ଯଦି ଗ୍ରାମର କୌଣସି ଲୋକର ଦେହ ଖରାପ ହୁଏ ତେବେ ତାକୁ ଦୋଳା ସାହାଯ୍ୟରେ ନଚେତ୍ କାନ୍ଧ ଉପରେ ପକାଇ ନେଇ ଆସିଥାନ୍ତି ।କାରଣ ଏହି ଗ୍ରାମକୁ ଆମ୍ବୁଲାନ୍ସ ଆସିପାରେ ନାହିଁ । ଗ୍ରାମକୁ ଆସିବାକୁ ହେଲେ ତିନୋଟି ନଦୀ ପାର ହେବାକୁ ପଡିଥାଏ।
ରାଧିକା ପାଟିକା ଗାଁରେ ଅନେକ ଲୋକ ବାର୍ଦ୍ଧକ୍ୟ ଭତ୍ତା ପାଇବାରୁ ବଞ୍ଚିତ ଅଛନ୍ତି ଏବଂ ଅଧିକାଂଶ ଲୋକ ଆବାସ ଯୋଜନା ପାଇବାରୁ ବଞ୍ଚିତ ଅଛନ୍ତି। ଏହି ଘଟଣା ଆଗରୁ ବହୁବାର ଖବର ପ୍ରସାରଣ ହୋଇଥିଲେ ମଧ୍ୟ ପ୍ରଶାସନ କୌଣସି ଆଖି ଦୃଷ୍ଟିଆ ପଦକ୍ଷେପ ନେଇନାହିଁ। ଜାତୀୟ ରାଜପଥ ଠାରୁ ୬ ରୁ ୭ କିମି ମଧ୍ୟରେ ଓ ଆଠଗଡ଼ ସଦର ମହକୁମା ଠାରୁ ୨୦ କିମି ମଧ୍ୟରେ ଏହି ଗାଁ ଅବସ୍ଥିତ । ୧୫ ଦିନ ମଧ୍ୟରେ ଏହି ସମସ୍ୟାର ସମାଧାନ କରାନଯାଏ ତେବେ ଆଗାମୀ ଦିନରେ ସେହି ଗ୍ରାମର ଆଦିବାସୀ ଲୋକେ ବ୍ୟାପକ ଜନ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି । ଏ ସମ୍ପର୍କରେ ଏକ ସାମ୍ବାଦିକ ସମ୍ମିଳନୀରେ ଆଠଗଡ଼ର ଯୁବ ସଂଗଠକ ତଥା ପୂର୍ବତନ ସେନା କର୍ମଚାରୀ ଅଭୟ କୁମାର ବାରିକ ଦାବି ରଖିଛନ୍ତି।