ନୂଆଦିଲ୍ଲୀ ୧୪।୪: ଲୋକସଭା ନିର୍ବାଚନ ନିମନ୍ତେ ରାଜନେତା ଓ ରାଜନୈତିକ ଦଳଙ୍କ ପ୍ରତିନିଧି ଏବେ ସାରା ଦେଶ ଯାତ୍ରା କରୁଛନ୍ତି। ଏଥି ପାଇଁ ଚାର୍ଟାଡ ବିମାନ ଓ ହେଲିକପ୍ଟର ଚାହିଦା ପାଖିପାଖି ୪୦ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ହୋଇଛି। ଏଣୁ ନିର୍ବାଚନରୁ ଅପରେଟର ଅଧିକ ୧୫ରୁ ୨୦ ପ୍ରତିଶତ ଆୟ କରିବେ ବୋଲି ଏବେ ଅନୁମାନ କରାଯାଉଛି। ଗୋଟିଏ ପଟେ ଚାହିଦା ବଢିଥିବା ବେଳେ ଅନ୍ୟପଟେ ଘଣ୍ଟାପ୍ରତି ବିମାନ ଭଡା ମଧ୍ୟ ବୃଦ୍ଧି ହୋଇଛି।
ଗତ ନିର୍ବାଚନ ବର୍ଷମାନଙ୍କ ସହ ତୁଳନା କରାଗଲେ ୨୦୨୪ ନିର୍ବାଚନରେ ବିମାନ ଓ ହେଲିକପ୍ଟର ଚାହିଦା ଢେର ବଢି ଯାଇଛି। ଗୋଟିଏ ଏୟରକ୍ରାଫ୍ଟ ପାଇଁ ୪.୫ରୁ ୫.୨୫ଲକ୍ଷ ଟଙ୍କା ଭଡା ପଡୁଥିବା ବେଳେ ଦୁଇ ଇଞ୍ଜିନ ହେଲିକପ୍ଟର ଭଡା ୧.୫ରୁ ୧.୭ ଲକ୍ଷ ଟଙ୍କା ମଧ୍ୟରେ ଆସୁଛି। ଦେଶରେ ଫିକ୍ସଡ ୱିଙ୍ଗ ବିମାନ ଓ ହେଲିକପ୍ଟର ସଂଖ୍ୟା କମ ଥିବାରୁ ଅପରେଟର ଏବେ ଲିଜରେ ହେଲିକପ୍ଟର ଓ ବିମାନ ଆଣୁଛନ୍ତି। ରୋଟାରୀ ୱିଙ୍ଗ ସୋସାଇଟି ଅଫ ଇଣ୍ଡିଆ (ଆରଡବ୍ଲୁଏସଆଇ) ଅଧ୍ୟକ୍ଷ କ୍ୟାପ୍ଟେନ ଉଦୟ ଗେଲି ନିର୍ବାଚନ ନିମନ୍ତେ ହେଲିକପ୍ଟର ଚାହିଦା ୨୫ ପ୍ରତିଶତ ବଢିଥିବା କହିଛନ୍ତି।
ସେ କହିଛନ୍ତି ଯେ ଉତ୍ତରପ୍ରଦେଶ, ଆନ୍ଧ୍ରପ୍ରଦେଶ, ପଶ୍ଚିମବଙ୍ଗ ଓ ତାମିଲନାଡୁ ଭଳି ବଡ଼ ରାଜ୍ୟରେ ନିର୍ବାଚନ ପ୍ରଚାର ନିମନ୍ତେ ହେଲିକପ୍ଟରର ଅଧିକ ଆବଶ୍ୟକତା ପଡୁଛି। ରାଜନୈତିକ ପାର୍ଟିମାନେ ସେମାନଙ୍କ ପ୍ରାର୍ଥୀ ଓ ନେତାଙ୍କ ଲାଗି ହେଲିକପ୍ଟର ବ୍ୟବହାର କରୁଛନ୍ତି। ଫଳରେ ନେତାମାନେ କମ ସମୟରେ ନିର୍ଦ୍ଧାରିତ ସ୍ଥାନରେ ପହଞ୍ଚିବା ସହ ନିର୍ବାଚନ ପ୍ରଚାର କରିପାରୁଛନ୍ତି। ଏଥି ପାଇଁ ହେଲିକପ୍ଟର ଘଣ୍ଟାପ୍ରତି ୮୦ରୁ ୯୦ ହଜାର ଟଙ୍କା ଭଡା ପଡୁଥିବା ବେଳେ ଦୁଇ ଇଞ୍ଜିନ ହେଲିକପ୍ଟର ଭଡା ଦେଢରୁ ଲକ୍ଷେ ୭୦ ହଜାର ଟଙ୍କା ପାଖାପାଖି ହେଉଛି।
ଗୋଟିଏ ଇଞ୍ଜିନ ହେଲିକପ୍ଟରରେ ୭ ଜଣ ଲୋକ ବସି ପାରୁଛନ୍ତି। ତେବେ ଦୁଇ ଇଞ୍ଜିନ ହେଲିକପ୍ଟରରେ ୧୨ ଜଣ ଲୋକ ବସି ପାରୁଛନ୍ତି। ଚାର୍ଟର୍ଡ ବିମାନ ଭଡା ଏବେ ସାଢେ ୪ ଲକ୍ଷରୁ ୫ଲକ୍ଷ ୨୫ ହଜାର ଟଙ୍କା ମଧ୍ୟରେ ପଡୁଛି। ନିର୍ବାଚନ ଆୟୋଗଙ୍କ ଦ୍ୱାରା ଦିଆଯାଇଥିବା ୨୦୧୯-୨୦ ପାର୍ଟିର ବାର୍ଷିକ ଅଡିଟ ଖାତା ଅନୁସାରେ ବିଜେପି ହେଲିକପ୍ଟର ଓ ଚାର୍ଟଡ ବିମାନ ବାବଦେ ୨୫୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରିଛି। ଏହି ସମୟରେ କଂଗ୍ରେସର ବିମାନ ଭଡା ବାବଦକୁ ଖର୍ଚ୍ଚ ୧୨୬ କୋଟି ଟଙ୍କା ଥିଲା। ସାରା ଦେଶରେ ୭ଟି ପର୍ଯ୍ୟାୟରେ ଆରମ୍ଭ ହେବାକୁ ଯାଉଥିବା ଲୋକସଭା ନିର୍ବାଚନ ୧୯ ଏପ୍ରିଲରୁ ଆରମ୍ଭ ହେବ।