ତେଜିଲା ଘୁମୁସରଉପକଣ୍ଡକୁ ଜିଲ୍ଲା ମାନ୍ୟତା ଦାବି: ୧୯୯୩ରୁ ଅପେକ୍ଷା କରିଛନ୍ତି ଲୋକେ, ଆଗକୁ ଆନ୍ଦୋଳନ ତୀବ୍ର କରିବାକୁ ଚେତାବନୀ

Published By : Prameya-News7 Bureau | November 27, 2022 IST

ଭଞ୍ଜନଗର: ତେଜିଲା ଘୁମୁସରଉପକଣ୍ଡକୁ ଜିଲ୍ଲା ମାନ୍ୟତା ଦାବି। ଏନେଇ ଆଜି ଭଞ୍ଜନଗର କୋର୍ଟ ପରିସର ସମିଳନୀ କକ୍ଷ ଠାରେ ଉପଖଣ୍ଡର ସମସ୍ତ ୮ଗୋଟି ବ୍ଲକ ଓ ୫ଟି ଏନ୍ଏସିର ସମସ୍ତ ବୁଦ୍ଧିଜୀବୀ, ଆଇନ ଜୀବ, ଶିକ୍ଷାବିତ୍ତ, ଓ ରାଜନୀତି ପ୍ରତିନିଧି ଏଖାଠି ହୋଇଥିଲେ।  ଘୁମୁସରଉପଖଣ୍ଡକୁ ଜିଲ୍ଲା ଘୋଷଣା କରିବାକୁ ସେମାନେ ଦାବି କରିଥିଲେl

୧୯୯୩ ମସିହାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ରାଜ୍ୟରେ ୧୩ଟି ଜିଲ୍ଳାକୁ ୩୦କୁ ବୃଦ୍ଧି କରିଥିଲେ। ହେଲେ ଭଞ୍ଜନଗର ଉପଖଣ୍ଡ ଏଥିରୁ ବାଦ୍‌ ପଡିଯାଇଥିଲା। ସେବେଠାରୁ ଘୁମୁସର ଉପଖଣ୍ଡର ଲୋକେ ଏହାକୁ ଜିଲ୍ଲା ମାନ୍ୟତା ପାଇଁ ଦୀର୍ଘ ବର୍ଷ ହେଲା ଦାବି କରିଆସୁଛନ୍ତି।

ମାଡ୍ରାସ୍‌ ପ୍ରେସିଡେନ୍‌ସି ଅଧୀନରେ ଥିବା ଗଞ୍ଜାମ ଜିଲ୍ଲାରେ ସବୁଠାରୁ ବଡ଼ ଭୂଖଣ୍ଡ ଭାବେ ଘୁମୁସର ତାଲୁକାର ସ୍ୱତନ୍ତ୍ର ପରିଚୟ ରହିଥିଲା। ସଂପ୍ରତି ଜିଲ୍ଲାରେ ଭଞ୍ଜନଗର ସମେତ ଛତ୍ରପୁର, ବ୍ରହ୍ମପୁର ତିନୋଟି ସଦରମହକୁମା ରହିଛି। ସେଥିରୁ ଭଞ୍ଜନଗର(ଘୁମୁସର) ଅଧୀନରେ ଭଞ୍ଜନଗର, ବେଲଗୁଣ୍ଠା, ଜଗନ୍ନାଥପ୍ରସାଦ, ସୋରଡ଼ା, ଶେରଗଡ, ଧରାକୋଟ, ଆସିକା, ବୁଗୁଡା ବ୍ଳକ ରହିଛି। ତେଣୁ ଉପଖଣ୍ଡ ଆଖପାଖର ଆଉ ଦୁଇଟି ବ୍ଳକକୁ ନେଇ ଘୁମୁସର ଜିଲ୍ଲା ଗଠନ କରିବାକୁ ଦୀର୍ଘ ୩୦ ବର୍ଷ ହେବ ଦାବି ହୋଇ ଆସୁଛି।

ରାଜ୍ୟରେ ଜିଲ୍ଲା ବିଭାଜିତ ସମୟରେ ଘୁମୁସର ଜିଲ୍ଲା ଗଠନ ନେଇ ପ୍ରସ୍ତାବ ଉଠିଥିଲା କିନ୍ତୁ ଆଜି ସୁଦ୍ଧା ତାହା କାର୍ଯ୍ୟକାରୀ ହୋଇନାହିଁ। ଗତ ୧୯୯୨ ମସିହାରେ ଘୁମୁସର ଯୁବ କଲ୍ୟାଣ ସମିତି ଗଠନ ହେବା ସହ ତତ୍କାଳୀନ ଜିଲ୍ଲାପାଳଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରାଯିବା ସହ ଜିଲ୍ଲା ଗଠନ ନେଇ ଆନ୍ଦୋଳନକୁ ତୀବ୍ରତର କରାଯାଇଥିଲା।

ଏହାପରେ ଜିଲ୍ଲାପାଳ ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନଙ୍କୁ ଅବଗତ କରାଇବା ସହ ରାଜସ୍ୱ ସଚିବଙ୍କୁ ଚିଠି ଲେଖିଥିଲେ। ଫଳରେ ରାଜସ୍ୱ ବିଭାଗ ଏହାକୁ ବିଚାରକୁ ନେବା ସହ ଏହି ପ୍ରସ୍ତାବର ଯାଞ୍ଚ ଓ ଅନୁଧ୍ୟାନ କରି ‌ରିପୋର୍ଟ ଦେବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ। ନୂଆଁ ଜିଲ୍ଲା ଗଠନ ପାଇଁ ଆବଶ୍ୟକ ଆନୁଷଙ୍ଗିକ ଭିତ୍ତିଭୂମୀ, କାର୍ଯ୍ୟାଳୟ, ବ୍ଳକ, ପଞ୍ଚାୟତ, ତହସିଲ, ଆର୍‌ଆଇ ସର୍କଲ, ରାଜସ୍ୱ ଗ୍ରାମ ଆଦି ବିବରଣୀ ସହ ଭୌଗଳିକ ସ୍ଥିତି ଉପରେ ତଥ୍ୟ ସଂଗ୍ରହ କରାଯିବା ସହ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଜିଲ୍ଲାପାଳ ଭାବ‌େ ପରିଣତ କରିବାକୁ ରିପୋର୍ଟ ପ୍ରଦାନ କରାଯାଇଥିଲା।

ଭଞ୍ଜନଗରରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପାଇଁ ଭିତ୍ତିଭୂମୀ ସହ ଆନୁଷଙ୍ଗିକ ବ୍ୟବସ୍ଥା ଥିବା ସହ ଜିଲ୍ଲା ପାଇଁ ସମସ୍ତ ଯୋଗ୍ୟତା ରହିଥିବା ଜିଲ୍ଲାପାଳ ମାନେ ଜବାବ ମଧ୍ୟ ଦାଖଲ କରିଛନ୍ତି। କିନ୍ତୁ କାର୍ଯ୍ୟକାରିତ ଆଜି ମଧ୍ୟ ଫାଇଲ ତଳେ ରହି ଯାଇଛି। ତେଣୁ ବହୁବର୍ଷ ତଳୁ ପ୍ରସ୍ତାବିତ ଘୁମୁସର ଜିଲ୍ଲା ଗଠନ ଦାବି ପୁଣି ଜୋରଦାର ହେବା ଆରମ୍ଭ ହୋଇଛି।

ବହୁ ସଙ୍ଗଠନ, ଯୁବବର୍ଗ, ବରିଷ୍ଠ ନାଗରିକ, ବୁଦ୍ଧିଜୀବୀ,ଓକିଲ ସଂଘ ଦାବିର ଯଥାର୍ଥତା ସପକ୍ଷରେ ସ୍ୱରୋତ୍ତୋଳନ କରିବା ସହ ଆସନ୍ତା ୫ ଏବଂ ୬ ତାରିଖ ଦୀନ ଏହି ଆନ୍ଦୋଳନ କୁ ତୀବ୍ରତର କରାଯିବ ବୋଲି ବୁଦ୍ଧିଜୀବୀ କହିଛନ୍ତି l

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.